ହିନ୍ଦୀ ଭଲ ନ କହିପାରେ, ହେଲେ ହିନ୍ଦୁସ୍ତାନୀ ଖରାପ ନୁହେଁ: ରସ୍କିନ୍‌ ବଣ୍ଡ

ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍‌

ଫେକ୍‌ ନ୍ୟୁଜ୍‌ ଇଣ୍ଟରନେଟ୍‌ର ଅନ୍ୟତମ ଭୟବହତା: ମାର୍କ ଟଲି

ଭାବ ବିନିମୟ କଲେ ଦୁଇ ପ୍ରଖ୍ୟାତ ଲେଖକ

ଭୁବନେଶ୍ୱର : ‘ଟାଟା ଷ୍ଟିଲ ଓ ସମ୍ବାଦ’ର ମିଳିତ ଉଦ୍ୟମରେ ଆଜିଠାରୁ ହୋଟେଲ ଟ୍ରାଇଡେଣ୍ଟରେ ଆରମ୍ଭ ହୋଇଛି ଲିଟେରାରି ମିଟ୍‌। ଏହି ଉତ୍ସବର ଦ୍ୱିତୀୟ ଅଧିବେଶନରେ ଅତିଥି ଭାବେ ଯୋଗ ଦେଇ ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଶ୍ରୋତା ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ କିମ୍ବଦନ୍ତୀ ଲେଖକ ରସ୍କିନ୍‌ ବଣ୍ଡ ଓ ପ୍ରଖ୍ୟାତ ସାମ୍ବାଦିକ ତଥା ଲେଖକ ମାର୍କ ଟଲି। ‘ଭାରତୀୟ ଇତିହାସ, ଭାରତୀୟ କଳ୍ପନା’ ଶୀର୍ଷକ ଏହି ଭାବ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ସହ ଉଭୟ ପ୍ରାୟ ଦେଢ଼ ଘଣ୍ଟା ଧରି  ନିଜ ବାଲ୍ୟଜୀବନ, ଲେଖାଲେଖି ଏବଂ ଜୀବନଦର୍ଶନ ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ। ଏହା  ସହିତ ଦୁଇ ଲେଖକ ବିଭିନ୍ନ ସ୍କୁଲ ଓ କଲେଜର ପିଲାମାନଙ୍କର ବିଭିନ୍ନ ପ୍ରଶ୍ନର ମଧ୍ୟ ଉତ୍ତର ଦେବା ସହ ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରିଥିଲେ।

ଜାତୀୟତା ଓ ଦେଶଭକ୍ତି ଉପରେ ନିଜର ମତ ରଖି ରସ୍କିନ୍‌ ବଣ୍ଡ କହିଥିଲେ, ନିଜ ଦେଶକୁ ଶ୍ରେଷ୍ଠ ବୋଲି ଭାବିବା ହେଉଛି ଜାତୀୟତା। ମାତ୍ର ଅନ୍ୟ ଦେଶ ତୁଳନାରେ ନିଜ ଦେଶର ଶକ୍ତି ଓ ସାମର୍ଥ୍ୟକୁ କମ୍‌ ବୋଲି ଜାଣିବା ସତ୍ତ୍ୱେ ଏହାକୁ ଭଲପାଇବା ଓ ଦେଶ ପାଇଁ ଜୀବନ ଦେବା ହେଉଛି ଦେଶଭକ୍ତି। ମାର୍କ ଟଲି କହିଥିଲେ, ଦେଶଭକ୍ତି ହେଉଛି ପ୍ରକୃତ ଭଲପାଇବା। ଏହା ନିଜର ବୋଲି ଅନୁଭବ ହୋଇଥାଏ। ଅପରପକ୍ଷରେ ସେ ଜାତୀୟତାର ଭୟବହତା ସେ ଦେଖିଥିବା କହିଥିଲେ।

ସେହିପରି ଫେକ୍‌ ନ୍ୟୁଜ୍‌ ଉପରେ ଶ୍ରୀ ଟଲି କହିଥିଲେ, ସାମାଜିକ ଗଣମାଧ୍ୟମର ଯେତିକି ଭଲ ପ୍ରଭାବ ରହିଛି, ଅନେକ ଖରାପ ପ୍ରଭାବ ମଧ୍ୟ ରହିଛି। ଇଣ୍ଟରନେଟ୍‌ର ଅନ୍ୟତମ ଭୟବହତା ହେଉଛି ଫେକ୍‌ ନ୍ୟୁଜ୍‌। ସେ ଏଭଳି ଫେକ୍‌ ନ୍ୟୁଜ୍‌ର ଶିକାର ହୋଇଛନ୍ତି। ଏକଦା ଇନ୍ଦିରା ଗାନ୍ଧୀଙ୍କୁ ସମାଲୋଚନା ଓ ମୋଦିଙ୍କୁ ପ୍ରଶଂସା କରୁଥିବା ତାଙ୍କର ଏକ ଲେଖା ଇଣ୍ଟରନେଟ୍‌ରେ ଘୂରି ବୁଲିଥିଲା। ଯେତେ ଚେଷ୍ଟା କରିଥିଲେ ମଧ୍ୟ ତାକୁ ରୋକିବା ସମ୍ଭବ ହୋଇପାରି ନ ଥିଲା। ଜଣେ ସାମ୍ବାଦିକ ଭାବେ ଖବର ପରିବେଷଣ କରିବା ପୂର୍ବରୁ ପ୍ରଥମେ ସୂତ୍ରକୁ ଭଲଭାବେ ପରଖିନେବା ଉଚିତ୍‌ ବୋଲି ସେ କହିଥିଲେ।

ଇଂରେଜ ବଂଶୋଦ୍ଭବ ହୋଇଥିଲେ ହେଁ ଭାରତରେ ତାଙ୍କ ଗ୍ରହଣୀୟତା ସଂପର୍କରେ ଶ୍ରୀ ବଣ୍ଡ କହିଥିଲେ, ସେ ଉତ୍ତର ଭାରତରେ ରହୁଥିଲେ ହେଁ ସମଗ୍ର ଭାରତରେ ତାଙ୍କୁ ଗ୍ରହଣୀୟତା ମିଳିଛି। ହିନ୍ଦୀ ଭଲରେ କହି ନ ପାରୁଥିଲେ ହେଁ ସେ ଜଣେ ଖରାପ ହିନ୍ଦୁସ୍ତାନୀ ନୁହନ୍ତି ବୋଲି କହିଥିଲେ। ଅନ୍ୟପକ୍ଷରେ ଦେଶରେ ଜରୁରୀ ପରିସ୍ଥିତି ସମୟରେ ମାର୍କ ଟଲିଙ୍କୁ କିଭଳି ୨୪ଘଣ୍ଟା ଭିତରେ ଦେଶ ଛାଡ଼ିବାକୁ କୁହାଯାଇଥିଲା ତାହା ସେ ବର୍ଣ୍ଣନା କରିଥିଲେ। ଏହା ଭିତରେ ସମୟ ବଦଳିଛି, ଏସବୁ ସତ୍ତ୍ୱେ ମୁଁ ଭାରତରେ ରହିଛି ବୋଲି ସେ କହିଥିଲେ।

କେମିତି ଲେଖାଲେଖି ଆରମ୍ଭ କଲେ ସେ ସଂପର୍କରେ ମତ ରଖି ଶ୍ରୀ ବଣ୍ଡ କହିଥିଲେ, ୧୯୫୦ ଦଶକରେ ପୁସ୍ତକ ଭାରତରେ ଲେଖିବା ଏକ ଭଲ ବୃତ୍ତି ନ ଥିଲା। ମୋର ପୁସ୍ତକ ଲେଖିବାରେ ଇଚ୍ଛା ଥିବା ଜାଣିବା ପରେ ମୋ ମା’ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରି ସେନାବାହିନୀରେ ଯୋଗ ଦେବାକୁ ଉପଦେଶ ଦେଇଥିଲେ। ଏହା ସତ୍ତ୍ୱେ ମୁଁ ଲେଖିବା ଆରମ୍ଭ କରିଥିଲି। କଠିନ ସମୟ  ମୋତେ ଲେଖକ କରି ଦେଇଥିଲା। କୌଣସି ଲେଖକଙ୍କୁ ହତୋତ୍ସାହିତ କରିବା ଉଚିତ୍‌ ନୁହେଁ। କାହାକୁ ରାତାରାତି ସଫଳତା ମିଳିଥାଏ ତ ଆଉ କାହାକୁ ସଫଳତା ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ିଥାଏ। ତେବେ ଯେଉଁ ଭାଷାରେ ଲେଖୁଛ ତାହାକୁ ସମ୍ମାନ ଦେବା ଉଚିତ୍‌। ଜଣେ ନିଜ ପାଇଁ ସଚ୍ଚୋଟ ରହିଲେ ଅନ୍ୟମାନଙ୍କ ପାଇଁ ସଚ୍ଚୋଟ ହୋଇପାରିବ ବୋଲି ସେ କହିଥିଲେ।

ଅପରପକ୍ଷରେ ଶ୍ରୀ ଟଲି ସାମ୍ବାଦିକତା ପେସାରେ ଥିବାରୁ ତାଙ୍କୁ ସର୍ଜନାତ୍ମକ ଲେଖାଲେଖିରେ କୌଣସି ଅସୁବିଧା ହୋଇ ନ ଥିବା କହିଥିଲେ। ରେଡିଓ ପାଇଁ ଲେଖା ଲେଖୁଥିବାରୁ ତାଙ୍କୁ ପୁସ୍ତକ ଲେଖିବାରେ ସହଜ ହୋଇଥିଲା। ରେଡିଓ ପାଇଁ ଲେଖିବା ଏବେ ବି ତାଙ୍କର ପ୍ରଥମ ପସନ୍ଦ ହୋଇ ରହିଥିବା ସେ କହିଥିଲେ।

ଇଣ୍ଟରନେଟ୍‌ ଯୁଗରେ ପୁସ୍ତକ ହଜିଯିବ ବୋଲି ଯେଉଁ ଆଶଙ୍କା କରାଯାଉଛି ତାହାକୁ ଉଭୟ ପ୍ରତ୍ୟାଖାନ କରିଥିଲେ। ଶ୍ରୀ ଟଲି କହିଥିଲେ, ଟିଭି ଆସିବା ପରେ ସମସ୍ତେ ଭାବୁଥିଲେ ରେଡିଓ ହଜିଯିବ। ମାତ୍ର ତାହା ହୋଇନାହିଁ। ଆଜିର ସମୟରେ ରେଡିଓ ଯେତିକି ଲୋକପ୍ରିୟତା ହାସଲ କରିଛି ତାହା ପୂର୍ବରୁ ସମ୍ଭବ ହୋଇପାରି ନ ଥିଲା। ତେଣୁ ପୁସ୍ତକ ଆଗକୁ ମଧ୍ୟ ରହିବ। ଶ୍ରୀ ଟଲିଙ୍କ ଏହି ମତକୁ ଶ୍ରୀ ବଣ୍ଡ ମଧ୍ୟ ସମର୍ଥନ କରିଥିଲେ। ଏଭଳି ସାହିତ୍ୟ ମହୋତ୍ସବ ଅନେକ ଲେଖକ ଓ ବକ୍ତାମାନଙ୍କୁ ଏକାଠି କରିବାରେ ସଫଳ ହୋଇପାରିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର