ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ପରିଦର୍ଶନ କଲେ ଟାଟା ଟ୍ରଷ୍ଟର ପ୍ରତିନିଧି

କଟକ : ରାଜ୍ୟରେ କର୍କଟ ରୋଗର ଉଚ୍ଚତର ଗବେଷଣା ଓ ଚିକିତ୍ସା ପାଇଁ ଗତ କିଛି ଦିନ ତଳେ ରାଜ୍ୟ ସରକାର ଟାଟା ଟ୍ରଷ୍ଟ ସହିତ ଏମ୍‌ଓୟୁ କରିଥିଲେ। ରାଜ୍ୟରେ ଏକ ହସ୍ପିଟାଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଟାଟା ଏତେ ବଡ ପ୍ରକଳ୍ପ ରାଜ୍ୟରେ କରିବାକୁ ଯାଉଥିବାରୁ ଆଜି ଡ଼ାକ୍ତର ଦିନେଶ ପେଣ୍ଡାରକରଙ୍କ ନେତୃତ୍ୱରେ ଟାଟା ଟ୍ରଷ୍ଟର ୩ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ କଟକ ଆଚାର୍ଯ୍ୟ ହରିହର କର୍କଟରୋଗ ଗବେଷଣା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଗସ୍ତ ପରେ ଆଚାର୍ଯ୍ୟ ହରିହର ଗବେଷଣା କେନ୍ଦ୍ରରେ ଏକ ରିସର୍ଚ୍ଚ ସେଣ୍ଟର ବା ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ସହ ଏହାକୁ ଅପ୍‌ ଗ୍ରେଡ଼୍‍ କରିବା ପାଇଁ ଟାଟା ସହଯୋଗର ହାତ ବଢାଇବ ବୋଲି ସୂଚନା ମିଳିଛି।

ଆଚାର୍ଯ୍ୟ ହରିହର କେନ୍ଦ୍ର ୩୪ ବର୍ଷର ପୂରୁଣା ତଥା ପୂର୍ବଭାରତର ଅନ୍ୟତମ ଅଗ୍ରଣୀ ପ୍ରତିଷ୍ଠାନ ଭାବେ ବିବେଚିତ। ତେଣୁ ଏହି କେନ୍ଦ୍ରର ଭିତ୍ତିଭୂମି ଯାଂଚ ସହ ବିଭିନ୍ନ କୋଠା, ଆଉଟ୍‌ ଡ଼ୋର, ଆଇସିୟୁ, ଯନ୍ତ୍ରଣା ଉପଶମ ଗୃହ ତଥା ସମସ୍ତ ଭିତ୍ତିଭୂମି ଠିକ୍‌ ଅଛି ନା ନାହିଁ, ସେ ସଂପର୍କରେ ପ୍ରତିନିଧି ମଣ୍ଡଳୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଟାଟା ଟ୍ରଷ୍ଟର ଲକ୍ଷ୍ମଣ ଟେଟୁରମଣ, ଶୁଭାଶିଷ ପତି, ବାଙ୍କିଆଙ୍କ ଗସ୍ତ ଅବସରରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଜୟନ୍ତ ଷଡ଼ଙ୍ଗୀ, ଡାଇରେକ୍ଟର ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ, ଡ଼ିନ୍‌ ପ୍ରଫେସର ଡାକ୍ତର ନିରଞ୍ଜନ ରାଉତ୍‌, ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ପଦ୍ମାଳୟା ଦେବୀ, ପ୍ରଫେସର ଡାକ୍ତର ପି. କେ ଦାସ, ପ୍ରଶାସନିକ ଅଧିକାରୀ ରୁଦ୍ର ନାରାୟଣ ଦାସଙ୍କ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ। କ’ଣ କରାଗଲେ କର୍କଟରୋଗ ଗବେଷଣା କେନ୍ଦ୍ରରେ ରୋଗୀମାନେ ଅଧିକ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ ସେ ସଂପର୍କରେ ଚୂଡାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ପାଖରେ ଦାଖଲ କରାଯିବ ବୋଲି ଅନୁଧ୍ୟାନ ପରେ ଉକ୍ତ ପ୍ରତିନିଧିମଣ୍ଡଳୀ ସୂଚନା ଦେଇଛନ୍ତି। ତେବେ ଖୁବ୍‌ ଶୀଘ୍ର ଟାଟା ଟ୍ରଷ୍ଟ ପକ୍ଷରୁ ଏକ ଟେକ୍ନିକାଲ ଟିମ୍‌ ଆଚାର୍ଯ୍ୟ ହରିହର ଗବେଷଣା କେନ୍ଦ୍ର ପରିଦର୍ଶନରେ ଆସିବେ ଓ ସମସ୍ତ ଭିତ୍ତିଭୂମି ପରିଦର୍ଶନ କରି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ ବୋଲି ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର