ଭୁବନେଶ୍ବର : ଜଟଣୀସ୍ଥିତ ନାଇଜରଠାରେ ହେବାକୁ ଥିବା ୬୫୦ କୋଟି ଟଙ୍କାର କ୍ୟାନସର ହସ୍ପିଟାଲରୁ ଟାଟା ଟ୍ରଷ୍ଟ ଓହରିଯାଇଛି। ଟାଟା ଟ୍ରଷ୍ଟ ବଦଳରେ ଏବେ ଟାଟା ଷ୍ଟିଲ୍ ହସ୍ପିଟାଲର ନିର୍ମାଣ କରିବ। ନିକଟରେ ଟାଟା ମେମୋରିଆ ସେଣ୍ଟର(ଟିଏମ୍ସି), ଟାଟା ଷ୍ଟିଲ ଓ ନାଇଜର ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିବା ସୂଚନା ମିଳିଛି। ଟାଟା ଟ୍ରଷ୍ଟ ଓହରିଯିବା, ଜାଗା ପ୍ରଦାନରେ ସମସ୍ୟା ପାଇଁ କ୍ୟାନସର ହସ୍ପିଟାଲର ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସରୁ ଏହାର ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଆଶା କରାଯାଉଛି।
୨୦୨୨ ମସିହା ଜୁଲାଇ ମାସରେ ଏହି ପ୍ରକଳ୍ପ ସଂପର୍କରେ ଘୋଷଣା ହୋଇଥିଲା। କେନ୍ଦ୍ର ଆଣବିକ ଶକ୍ତି ବିଭାଗ ଅଧୀନରେ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ସେଣ୍ଟର(ଟିଏମ୍ସି) ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବ। ଏଥିପାଇଁ ଆଣବିକ ଶକ୍ତି ବିଭାଗ ୪ଶହ କୋଟି ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତା। ୧୮ମାସ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରହିଥିଲା। ପ୍ରାଥମିକ ପର୍ଯ୍ୟାୟରେ ନାଇଜର ପକ୍ଷରୁ ୧୭ଏକର ଓ ପରବର୍ତୀ ସମୟରେ ରାଜ୍ୟ ସରକାର ୪୦ଏକର ଜାଗା ଯୋଗାଇବା ଲାଗି ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଟିଏମ୍ସି ସହିତ ରାଜ୍ୟ ସରକାରଙ୍କ ଚୁକ୍ତିନାମା ହୋଇଥିଲା।
ସେପ୍ଟେମ୍ବରରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ : ସ୍ବାସ୍ଥ୍ୟ ସଚିବ
ବାରଙ୍ଗରେ ହେବାକୁ ଥିବା କ୍ୟାନସର ହସ୍ପିଟାଲରୁ ବି ଓହରିଥିଲା ଟାଟା ଟ୍ରଷ୍ଟ
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆର୍ଥିକ ସମସ୍ୟା ପାଇଁ ଟାଟା ଟ୍ରଷ୍ଟ ହସ୍ପିଟାଲ ନିର୍ମାଣରୁ ଓହରିଯାଇଛି। ଏହା ବଦଳରେ ଟାଟା ଷ୍ଟିଲ ଏଥିପାଇଁ ଆଗେଇ ଆସିଛି। ଏହାସହ ହସ୍ପିଟାଲ ପାଇଁ ଜାଗା ପ୍ରଦାନ କରିବା କାର୍ଯ୍ୟ ବିଳମ୍ବିତ ହୋଇଛି। ସ୍ଥାନୀୟ ପ୍ରଶାସନ ସଂପୃକ୍ତ ଅଞ୍ଚଳରେ ୩୦ ଏକର ଜାଗା ଚିହ୍ନଟ କରିଥିଲେ ହେଁ କେବେସୁଦ୍ଧା ହସ୍ତାନ୍ତର ହେବ ତାହା ସ୍ପଷ୍ଟ ହୋଇପାରିନାହିଁ। ଶ୍ମଶାନର ସ୍ଥାନାନ୍ତରଣକୁ ନେଇ ବିବାଦ ସୃଷ୍ଟି ହୋଇଛି। ଜାଗା ହସ୍ତାନ୍ତର ହେବା ପରେ ହିଁ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ତେବେ ନୂଆ ଏମ୍ଓୟୁ ଓ ଜାଗା ପ୍ରଦାନରେ ବିଳମ୍ବ ଆଦି ପାଇଁ ହସ୍ପିଟାଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିବା କୁହାଯାଉଛି।
ତେବେ କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟରୁ ଓହରିବା ଟାଟା ଟ୍ରଷ୍ଟ ପାଇଁ ନୂଆ ନୁହେଁ। ୨୦୧୮ ମସିହାରେ ଟାଟା ଟ୍ରଷ୍ଟ ଓଡ଼ିଶା ସରକାରଙ୍କ ସହ ବାରଙ୍ଗଠାରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଚୁକ୍ତି କରିଥିଲା। ଚୁକ୍ତିନାମା ସ୍ବାକ୍ଷରିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ଉପସ୍ଥିତ ଥିଲେ। ଚୁକ୍ତିନାମା ପରେ ଟାଟା ଟ୍ରଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟରୁ ଓହରି ଯାଇଥିଲା। ଏହା ପଛର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନ ଥିଲା। ଯାହଫଳରେ ରାଜ୍ୟରେ ଏକ ଷ୍ଟେଟ୍ ଅଫ୍ ଦି ଆର୍ଟ କ୍ୟାନସର ହସ୍ପିଟାଲ ନିର୍ମାଣରେ ପୂର୍ଣ୍ଣଛେଦ ପଡ଼ିଥିଲା।
ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ନାଇଜର କ୍ୟାମ୍ପସ ସହିତ ଟିଏମ୍ସି କ୍ୟାନସର ହସ୍ପିଟାଲ ପକ୍ଷରୁ କୌଣସି ଚୁକ୍ତି ହୋଇ ନ ଥିଲା। ଟାଟା ଗ୍ରୁପ୍ ସହିତ ଏମ୍ଓୟୁ ହୋଇଥିଲା। ଟାଟା ଷ୍ଟିଲ ଜରିଆରେ ଟାଟା ଗ୍ରୁପ୍ ହସ୍ପିଟାଲ ନିର୍ମାଣ କରିବ। ହସ୍ପିଟାଲ ନିର୍ମାଣ କାର୍ଯ୍ୟରେ ମଧ୍ୟ ବିଳମ୍ବ ହୋଇନାହିଁ। ଆସନ୍ତା ସେପ୍ଟେମ୍ବର ମାସରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।