ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଓପିଜିସିରୁ ଢେଙ୍କାନାଳ ଜିଲ୍ଲା ଟାଟାଷ୍ଟିଲ୍‌ ଅଭିମୁଖେ ବାହାରିଥିବା ଏକ ସ୍କ୍ରାପ୍‌ ବୋଝେଇ ଟ୍ରକ୍‌ ଗତ ଜୁଲାଇ ୪ ତାରିଖରୁ କେଉଁଆଡ଼େ ଗାଏବ୍‌ ହୋଇଯାଇଛି। ଟ୍ରକ୍‌ର ଡ୍ରାଇଭର, ହେଲପର୍‌, ଟ୍ରକ୍‌ ମାଲିକ (ଟ୍ରାନ୍ସପୋର୍ଟର)ଙ୍କ କୌଣସି ଖୋଜ୍‌ ଖବର ନ ମିଳିବା ପରେ ସ୍କ୍ରାପ୍‌ ବ୍ୟବସାୟୀ ନୀତୀଶ କୁମାର ସିଂ ଗତ ଜୁଲାଇ ୯ ତାରିଖରେ ବନହରପାଲି ଥାନାରେ ଅଭିଯୋଗ କରିଥିଲେ। ୧୨ ତାରିଖରେ ପୁଲିସ୍‌ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ମାସେ ପରେ ବି ଗାଏବ୍‌ ଟ୍ରକ୍‌ର କୌଣସି ସନ୍ଧାନ ମିଳିପାରୁନି। ଏ ନେଇ ଥାନାଧିକାରୀ ରଞ୍ଜିତ ନାଏକଙ୍କୁ ପଚାରିବାରୁ ଖୁବ୍‌ ଶୀଘ୍ର ଏକ ଟିମ୍‌ ରାଜ୍ୟ ବାହାରକୁ ଚଢ଼ଉ ପାଇଁ ଯିବେ ବୋଲି କହିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ଜୁଲାଇ ୩ ତାରିଖ ରାତି ୧୦ଟା ବେଳେ କଟକର ଓମ୍‌ ଟ୍ରାନ୍ସପୋର୍ଟ ସର୍ଭିସ୍‌ର ଟ୍ରକ୍‌ (ଜେଏଚ୍‌ ୧୯ ବି-୯୧୩୧) ଓପିଜିସିରୁ ୩୦,୦୩୦ ମେଟ୍ରିକ୍‌ ଟନ୍‌ ଏପିଏଚ୍‌ ବାସ୍କେଟ୍‌ ବୋଝେଇ କରି ଢେଙ୍କାନାଳ ଅଭିମୁଖେ ବାହାରିଥିଲା। ବୋଝେଇ ପରେ ଟ୍ରକ୍‌ର ଫଟୋ ମଧ୍ୟ ହସ୍ତଗତ ହୋଇଛି। ୬ ତାରିଖରେ ଉକ୍ତ ଟ୍ରକ୍‌ ଢେଙ୍କାନାଳରେ ପହଞ୍ଚିବାକୁ ଥିବା ବେଳେ ୪ ତାରିଖରୁ ଟ୍ରକ୍‌ ଡ୍ରାଇଭର, ହେଲପରଙ୍କ ସହ ସ୍କ୍ରାପ୍‌ ବ୍ୟବସାୟୀଙ୍କର କୌଣସି ଯୋଗାଯୋଗ ହୋଇ ପାରିନଥିଲା। ଏପରିକି କଟକ ଜଗତପୁରର ଟ୍ରାନ୍ସପୋର୍ଟର ଶକ୍ତିକୁମାର ପ୍ରସାଦଙ୍କ ମୋବାଇଲ୍‌ ନମ୍ବର ସୁଇଚ୍‌ ଅଫ୍‌ ରହିଥିଲା। ଟ୍ରକ୍‌ରେ ଥିବା ସ୍କ୍ରାପ୍‌ର ମୂଲ୍ୟ ୯ ଲକ୍ଷ ୧୧ ହଜାର ଟଙ୍କା ହୋଇଥିବାରୁ ଟ୍ରାନ୍ସପୋର୍ଟର, ଡ୍ରାଇଭର, ହେଲପର ମିଶି ଟ୍ରକ ସହିତ ସ୍କ୍ରାପ୍‌ ଗାଏବ୍‌ କରିଦେଇଥିବା ବ୍ୟବସାୟୀ ଆଶଙ୍କା କରି ଥାନାରେ ଅଭିଯୋଗ କରିଥିଲେ। ବନହରପାଲି ଥାନା ପୁଲିସ୍‌ ମାମଲାର ତଦନ୍ତ କରିବା ବେଳକୁ ଟ୍ରକ୍‌ଟି ଓପିଜିସିରୁ ବାହାରି ବିଜୁ ଏକ୍ସପ୍ରେସ୍‌ ୱେ ଦେଇ ଯାଇଥିବା ଜଣାପଡ଼ିଥିଲା। ଏପରିକି ଟ୍ରକ୍‌ଟି ସୁନ୍ଦରଗଡ଼ ଟୋଲ୍‌ ଗେଟ୍‌ ମଧ୍ୟ ପାର୍‌ କରିଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ପୁଲିସ୍‌ ଜଗତପୁରସ୍ଥିତ ଟ୍ରାନ୍ସପୋର୍ଟର ନିକଟରେ ଚଢ଼ଉ କରିଥିଲେ ହେଁ ଅଭିଯୁକ୍ତକୁ ନପାଇ ଫେରି ଆସିଥିଲା। ମାତ୍ର ଏହା ପରେ ଆଉ ଟ୍ରକ୍‌ର କୌଣସି ପତ୍ତା ମିଳିନଥିବା ବେଳେ ପୁଲିସ୍‌ ତଦନ୍ତ ମଧ୍ୟ ଧିମେଇ ଯାଇଥିଲା। ଇତିମଧ୍ୟରେ ଟ୍ରକ୍‌ ଗାଏବ୍‌ ହେବା ଘଟଣାକୁ ୧ ମାସରୁ ଅଧିକ ସମୟ ବିତିଯାଇଥିବା ବେଳେ ପୁଲିସ୍‌ର ତଦନ୍ତ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।