କର୍କଟ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ : ଭୁବନେଶ୍ୱରରେ ହେବ ଟାଟା କ୍ୟାନ୍‌ସର୍‌ ହସ୍ପିଟାଲ୍‌, ସ୍ୱାସ୍ଥ୍ୟ ବିଭାଗ ଓ ଟାଟା ଟ୍ରଷ୍ଟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ର। ଏଥିରେ କର୍କଟ ରୋଗର ସମସ୍ତ ପ୍ରକାର ଚିକିତ୍ସା ସୁବିଧା ମିଳିବ। ଏହି ହସ୍ପିଟାଲ୍‌ ନିର୍ମାଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟାଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ପ୍ରସ୍ତାବିତ ହସ୍ପିଟାଲ୍‌ର ଗୁଣାତ୍ମକମାନ ମୁମ୍ବାଇର ଟାଟା ମେମୋରିଆଲ୍‌ ହସ୍ପିଟାଲ୍‌ରେ ଯୋଗାଇ ଦିଆଯାଉଥିବା ସମସ୍ତ ସେବା ସହ ସମକକ୍ଷ ହେବ।

ଏହି ହସ୍ପିଟାଲ୍‌ ପାଇଁ ସରକାର ମାଗଣାରେ ୨୫ ଏକର ଜାଗା ଯୋଗାଇଦେବେ। ଏହାର ନିର୍ମାଣ ନିମନ୍ତେ ଖର୍ଚ୍ଚ ହେବ ୮୦୦ କୋଟି ଟଙ୍କା। ଏଥିରୁ ରାଜ୍ୟ ସରକାର ଦେବେ ୫୦୦ କୋଟି ଓ ଟାଟା ଟ୍ରଷ୍ଟ ଦେବ ୩୦୦ କୋଟି ଟଙ୍କା। ପାଞ୍ଚ ବର୍ଷ ମଧ୍ୟରେ ହସ୍ପିଟାଲ୍‌ ପୂର୍ଣ୍ଣାଙ୍ଗ ରୂପ ନେବ। ହସ୍ପିଟାଲ୍‌ ପ୍ରତିଷ୍ଠା ସରିଲା ପରେ ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇଦେବେ। ଓଡ଼ିଶା ବିସ୍ତତ କର୍କଟ ରୋଗ ଚିକିତ୍ସା କାର୍ଯ୍ୟକ୍ରମ(ଓଡ଼ିଶା କମ୍ପ୍ରିହେନ୍‌ସିଭ୍‌ କ୍ୟାନ୍‌ସର୍‌ କେୟାର ପ୍ରୋଗ୍ରାମ୍‌)ର ଏକ ଅଂଶ ଭାବେ ଏହି ହସ୍ପିଟାଲ୍‌ ପ୍ରତିଷ୍ଠା କରାଯିବ।

ଆଜି ସଚିବାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା ଓ ଟାଟା ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଆର୍‌ ଭେଙ୍କଟରମଣନ୍‌ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ବୁଝାମଣା ଅନୁଯାୟୀ ଓଡ଼ିଶା ବିସ୍ତତ କର୍କଟ ରୋଗ ଚିକିତ୍ସା କାର୍ଯ୍ୟକ୍ରମ ଏକ ତ୍ରିସ୍ତରୀୟ ନେଟ୍‌ଓ୍ଵର୍କ ଦ୍ୱାରା ପରିଚାଳିତ ହେବ। ଏହି ବ୍ୟବସ୍ଥାରେ ଭୁବନେଶ୍ୱରରେ ସ୍ଥାପିତ ହେବାକୁ ଥିବା କ୍ୟାନ୍‌ସର୍‌ ହସ୍ପିଟାଲ୍‌ ଓ କଟକର ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନ୍‌ସର୍‌ ହସ୍ପିଟାଲ୍‌ ସର୍ବୋଚ୍ଚ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ରାଜ୍ୟର ମେଡିକାଲ କଲେଜ ଓ ଜିଲ୍ଲାସ୍ତରୀୟ ହସ୍ପିଟାଲ୍‌ଗୁଡ଼ିକରେ ଉଚ୍ଚକୋଟୀର ଡାଇଗ୍ନୋଷ୍ଟିକ୍‌ ଓ କେମୋଥେରାପିର ସୁବିଧା ପ୍ରଦାନ କରାଯିବ ଏବଂ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାସ୍ତରୀୟ ହସ୍ପିଟାଲ୍‌ରେ ଏହିସବୁ ସୁବିଧା ସହ ରେଡିଓଥେରାପି ସେବାର ସୁବିଧା ମଧ୍ୟ ରହିବ। ଏହାଦ୍ୱାରା ରାଜ୍ୟବ୍ୟାପୀ କର୍କଟ ଚିକିତ୍ସା ନେଟ୍‌ଓ୍ଵର୍କ ପ୍ରତିଷ୍ଠା ହୋଇପାରିବ ଏବଂ କର୍କଟ ଚିକିତ୍ସାକୁ ଲୋକଙ୍କ ନିକଟତର କରାଯାଇପାରିବ।

ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି, କ୍ୟାନସର ଚିକିତ୍ସା କାର୍ଯ୍ୟକ୍ରମର ପ୍ରାଥମିକତା ନିର୍ଣ୍ଣୟ କରିବା ପାଇଁ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉପଦେଷ୍ଟା କମିଟି ଗଠନ କରାଯିବ। ବୁଝାମଣା ଅନୁଯାୟୀ, ଏହି ନୂତନ ଚିକିତ୍ସା ନେଟଓ୍ଵର୍କକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଉପଦେଷ୍ଟା କମିଟି ଏକ ସ୍ୱତନ୍ତ୍ର ପୋଗ୍ରାମ ମ୍ୟାନେଜମେଣ୍ଟ ଏଣ୍ଟିଟି ସୁପାରିସ କରିବ। ଏଥିରେ ଉଭୟ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟର ଅଧିକାରୀମାନେ ସଦସ୍ୟ ରହିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟରେ କର୍କଟ ରୋଗ କ୍ଷେତ୍ରରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବାକୁ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଜିଲ୍ଲା ହସ୍ପିଟାଲ୍‌ଗୁଡ଼ିକର ଭିତ୍ତିଭୂମିର ବିକାଶ, ଡାକ୍ତର ଓ କର୍ମଚାରୀ ନିଯୁକ୍ତି ସହ ସମସ୍ତ ୩୦ଟି ଜିଲ୍ଲାରେ କେମୋଥେରାପିର ବ୍ୟବସ୍ଥା କରାଯାଇଛି। କର୍କଟ ରୋଗର ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଟାଟା ଟ୍ରଷ୍ଟର ବିପୁଳ ଅଭିଜ୍ଞତା ରହିଛି। ତେଣୁ ଟାଟା ଟ୍ରଷ୍ଟ ସହଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପ ନିଶ୍ଚିତ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ।

ସେହିଭଳି ରତନ ଟାଟା କହିଥିଲେ, ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି। ଚିକିତ୍ସା କ୍ଷେତ୍ରରେ କର୍କଟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। କର୍କଟ ଚିକିତ୍ସା କ୍ଷେତ୍ରରେ ଟାଟା ଟ୍ରଷ୍ଟର ଯେଉଁ ଅଭିଜ୍ଞତା ରହିଛି, ତାହାକୁ ପାଥେୟ କରି ରାଜ୍ୟ ସରକାରଙ୍କ ସହଯୋଗରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇବାକୁ ଉଦ୍ୟମ କରାଯିବ।

ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ଲର୍ଡ ନର୍ମାନ ଫଷ୍ଟର, ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର