ଟାଟା ଟ୍ରଷ୍ଟ ପକ୍ଷରୁ ଓଡ଼ିଶା ମ୍ୟାଲେରିଆ ରାଉଣ୍ଡ ଟେବୁଲ

ଭୁବନେଶ୍ବର : ଟାଟା ଟ୍ରଷ୍ଟ ପକ୍ଷରୁ ଆଜି ହୋଟେଲ ନ୍ୟୁ ମାରିଅନ୍‌ରେ ଓଡ଼ିଶା ମ୍ୟାଲେରିଆ ରାଉଣ୍ଡ ଟେବୁଲ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ମ୍ୟାଲେରିଆ ମୂଳୋତ୍ପାଟନ ଦିଗରେ ଟ୍ରଷ୍ଟ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କ‌‌‌‌ରେ ଏଥିରେ ଆଲୋଚନା କରାଯାଇଥିଲା।

୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ସହିତ ଏକ ବୁଝାମଣାପତ୍ର ଟ୍ରଷ୍ଟ ପକ୍ଷରୁ ସ୍ବାକ୍ଷରିତ ହେବା ପରେ ଦକ୍ଷିଣ ଓଡ଼ିଶାରେ ୫ବର୍ଷ ପାଇଁ ମ୍ୟାଲେରିଆ ନିୟନ୍ତ୍ରଣ ଓ ପ୍ରତିରୋଧ ଅଭିଯାନ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି। ଦକ୍ଷିଣ ଓଡ଼ିଶାର ୫ଟି ବ୍ଲକ୍ ମୁନିଗୁଡ଼ା, ବିଷମ କଟକ, ଟିଏଚ୍‌ ରାମପୁର, ଲାଞ୍ଜିଗଡ଼ ଓ କୋଟଗଡ଼ ସହିତ ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳର ୫୦୩ଟି ଗ୍ରାମରେ କାର୍ଯ୍ୟକ୍ରମ କରାଯାଉଛି। ବାର୍ଷିକ ପାରାସାଇଟ୍‌ ମାମଲାକୁ ୧ରୁ କମ୍‌କୁ ହ୍ରାସ କରିବା, ୫ବର୍ଷରେ ମ୍ୟାଲେରିଆ ମୃତ୍ୟୁର ଦୂରୀକରଣ, ସ୍ଲାଇଡ୍‌ ପଜିଟିଭ୍ ରେଟ୍‌କୁ ୪୦ ପ୍ରତିଶତରୁ କମ୍ ଓ ଉଚ୍ଚମାନର ଗବେଷଣା ଜରିଆରେ ପ୍ରମାଣ ସୃଷ୍ଟି କରିବା ଦିଗରେ ଉଦ୍ୟମ ଜାରି ରଖିଛି ଟାଟା ଟ୍ରଷ୍ଟ। ଏଥିପାଇଁ ୫୦୩ ଗ୍ରାମରେ ମ୍ୟାଲେରିଆ ସ୍କ୍ରିନିଂ ଓ ପରୀକ୍ଷା ପାଇଁ ଗ୍ରାମ୍ୟ ସ୍ବାସ୍ଥ୍ୟ ସ୍ବେଚ୍ଛାସେବୀ ମୁତୟନ କରାଯିବା ସହ ୩୪ ହଜାର ୭୫୦ ମାମଲାର ପରୀକ୍ଷଣ କରାଯାଇଥିବା ବେଳେ ୮୨୩୨ ପରୀକ୍ଷା ପଜିଟିଭ୍ ବାହାରିଛି। ସେହିପରି ୧ଲକ୍ଷ ୧୬ହଜାର ୪୧୩ ମାମଲାର ସ୍କ୍ରିନିଂ କରାଯିବା ସହ ୧ହଜାର ୨୭ ମାମଲା ପଜିଟିଭ୍ ଘଟଣା ନଜରକୁ ଆସିଛି। ୫୦୩ ଗ୍ରାମରୁ ୩୭୯ ଗ୍ରାମରେ ଆଭ୍ୟନ୍ତରୀଣ ବସବାସ ସିଞ୍ଚନକୁ ନିଶ୍ଚିତ କରାଯାଇଛି। ମାଇକ୍ରୋସ୍କୋପି ପରୀକ୍ଷାକୁ ସହଜ କରିବା ଓ ଗୁଣାତ୍ମକ ଡାଇଗ୍ନୋସିସ ପାଇଁ ୨୦୧୭ମସିହାରେ ୯ଟି କେନ୍ଦ୍ରରେ ଡିଜିଟାଲ ପୋର୍ଟେବଲ୍‌ ମାଇକ୍ରୋସ୍କୋପି ସହିତ ସମନ୍ବିତ କରାଯାଇଛି। ସେଣ୍ଟ୍ରାଲ ଲାବ୍ ଭୁବନେଶ୍ବର, କୋରାପୁଟ, ରାୟଗଡ଼ା, କନ୍ଧମାଳ, ପୁରୀ, ବାଲେଶ୍ବର, କେନ୍ଦୁଝର, କଳାହାଣ୍ଡି ଓ ଗଜପତିରେ ଏହା ଉପଲବ୍ଧ ‌ହେଉଛି। ମ୍ୟାଲେରିଆର ବାସ୍ତବ ସ୍ଥିତି ତଥ୍ୟ ହାସଲ ପାଇଁ ୨୩୦ଟି ଗ୍ରାମରେ ଟ୍ୟାବ୍‌ଭିତ୍ତିକ ଏମ୍‌ଆଇଏସ୍ ପ୍ରଚଳନ କରାଯାଇଥିବା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ବୈଠକରେ ଡା. ମଦନ ପ୍ରଧାନ, ଡା. ପ୍ରମିଳା ବରାଳ, ଟାଟା ଟ୍ରଷ୍ଟର ସ୍ବାସ୍ଥ୍ୟ(ମୁଖ୍ୟ) ଏଚ୍‌ଏସ୍‌ଡି ଶ୍ରୀନିବାସ, ଟେକନୋଲୋଜି ଉପଦେଷ୍ଟା, ଡା. କର୍ଣ୍ଣେଲ ଏମ୍‌.ପି କରିଆପ୍ପା, ପରାମର୍ଶଦାତା ଡା. ବିକ୍ରମ ସାହାଣେ, ଖ୍ରୀଷ୍ଟିଆନ୍ ହସ୍ପିଟାଲର ଉପ-ଅଧୀକ୍ଷକ ଡା. ଜନ୍ ଓମେନ୍, ଲିଭଲୋକ ଫାଉଣ୍ଡେସନ୍‌ର ବରିଷ୍ଠ ମହାପ୍ରବାନ୍ଧକ ଶୁଭାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର