କର୍କଟ ମୁକାବିଲା ପାଇଁ ହଜାରେ କୋଟିର ଯୋଜନା : ପ୍ରତିଷ୍ଠା ହେବ ତ୍ରିସ୍ତରୀୟ ହସ୍ପିଟାଲ ନେଟଓ୍ଵାର୍କ, ରାଜଧାନୀରେ ହେବ ବିଶ୍ୱସ୍ତରୀୟ ଟାଟା ମେମୋରିଆଲ ହସ୍ପିଟାଲ

ଭୁବନେଶ୍ୱର : ରାଜ୍ୟରେ କର୍କଟ (କ୍ୟାନସର) ରୋଗର ଚିକିତ୍ସା ପାଇଁ ତ୍ରିସ୍ତରୀୟ ହସ୍ପିଟାଲ ନେଟଓ୍ଵାର୍କ ପ୍ରତିଷ୍ଠା କରାଯିବ। ବିଭିନ୍ନ ଅଞ୍ଚଳରେ ଚିକିତ୍ସା ୟୁନିଟ୍‌ ଖୋଲାଯିବା ସହିତ ବିଶେଷଜ୍ଞ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ହଜାର କୋଟି ଟଙ୍କା ଖର୍ଚ କରାଯିବାକୁ ରାଜ୍ୟରେ କର୍କଟ ଚିକିତ୍ସା ଯୋଜନାର ପ୍ରଥମ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟରେ କର୍କଟ ରୋଗର ଚିକିତ୍ସା ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୫ଟି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ତରୀୟ ଚିକିତ୍ସା ୟୁନିଟ୍‌ ରହିବ। ପ୍ରଥମସ୍ତରୀୟ ୟୁନିଟ୍‌ଭାବେ ରାଜଧାନୀରେ ଏକ ବିଶ୍ୱସ୍ତରୀୟ ଟାଟା ମେମୋରିଆଲ ହସ୍ପିଟାଲ ପ୍ରତିଷ୍ଠା ହେବ। ଏଥିପାଇଁ ରାଜ୍ୟ ସରକାର ୨୫ଏକର ଜମି ଯୋଗାଇ ଦେବେ। କଟକରେ ଥିବା ଆଚାର୍ଯ୍ୟ ହରିହର ହସ୍ପିଟାଲକୁ କର୍କଟ ଚିକିତ୍ସାର ପ୍ରଥମସ୍ତରୀୟ ଅନୁଷ୍ଠାନ ଭାବେ ବିକଶିତ କରାଯିବ।

ବୁର୍ଲା, କଳାହାଣ୍ଡି, ବ୍ରହ୍ମପୁର, କୋରାପୁଟରେ ସରକାରୀ ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲରେ ଦ୍ୱିତୀୟ ସ୍ତରୀୟ ଚିକିତ୍ସା ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏହାସହ ଝାରସୁଗୁଡ଼ା, କେନ୍ଦୁଝର, ବାରିପଦା, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ନବରଙ୍ଗପୁର ଓ ଅନୁଗୁଳରେ ସରକାରୀ ହସ୍ପିଟାଲରେ ୩ସ୍ତରୀୟ ଚିକିତ୍ସା ୟୁନିଟ୍‌ ପ୍ରତିଷ୍ଠା ହେବ। ଏହି ନେଟଓ୍ଵାର୍କରେ କର୍କଟର ସଂପୂର୍ଣ୍ଣ ଚିକିତ୍ସା ଉପଲବ୍ଧ ହେବ। ବିଶେଷଜ୍ଞ, ସୁପର ସ୍ପେଶାଲିଷ୍ଟ, ଡାକ୍ତର ଓ ସହାୟକ କର୍ମଚାରୀଙ୍କ ନିୟୋଜନ ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆଯାଇଛି। କ୍ଷେତ୍ରସ୍ତରୀୟ ସେବା ଯୋଗାଣ ଓ ତଦାରଖ ପାଇଁ ଜିଲ୍ଲାସ୍ତରରେ ଏକ ବହୁମୁଖୀ ସମନ୍ଵୟ କମିଟି ଗଠନ ପାଇଁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ କର୍କଟ ରୋଗର ବ୍ୟାପକ ଚିକିତ୍ସା ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ଓ ଟାଟା ଟ୍ରଷ୍ଟଙ୍କ ମଧ୍ୟରେ ପୂର୍ବରୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଯୋଜନା ପାଇଁ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ପାଣ୍ଠି ଯୋଗାଇ ଦେବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ହଜାର କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ରାଜ୍ୟ ସରକାର ୫ଶହ କୋଟି ଓ ଟାଟା ଟ୍ରଷ୍ଟ ୫ଶହ କୋଟି ଟଙ୍କାର ପାଣ୍ଠି ଯୋଗାଇବେ। ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ଵିତ କରି ଆସନ୍ତା ୨ବର୍ଷ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଚିକିତ୍ସା ସେବା ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.ବାଲକ୍ରିଷ୍ଣନ୍‌, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ତୁହିନକାନ୍ତ ପାଣ୍ଡେ, ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ରାଜ୍ୟ ଔଷଧ ନିଗରମ ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ଜାତୀୟସ୍ତରୀୟ କର୍କଟ ରୋଗ ବିଶେଷଜ୍ଞ, ଟାଟା ଟ୍ରଷ୍ଟର ରାଜ୍ୟ ପ୍ରତିନିଧିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର