ରାଇରଙ୍ଗପୁର: ଝାଡ଼ଖଣ୍ଡର ଟାଟାନଗରରୁ ମୟୂରଭଂଜ ଜିଲ୍ଲା ବାଦାମପହାଡ଼ ସନ୍ଧ୍ୟା ସମୟରେ ୬ ଟାରେ ଟ୍ରେନ୍‌ ଯିବାକୁ ଦୀର୍ଘଦିନ ଧରି ଦାବି କରାଯାଇଥିଲା। ବହୁ ବର୍ଷ ପରେ ରେଳ ପ୍ରଶାସନ ତରଫରୁ ଏହି ଦାବିକୁ ଗ୍ରହଣ କରି ସନ୍ଧ୍ୟା ସମୟ ୬ଟାରେ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହା ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ଓ ବାଦାମପହାଡ଼ର ରେଳଯାତ୍ରୀ, ସାଧାରଣ ଜନତା, ଶ୍ରମିକ ଏବଂ ବ୍ୟବସାୟୀଙ୍କ ପାଇଁ ଆର୍ଥିକ ବିକାଶରେ ସହଯୋଗ ମିଳିବ, ତଥା ଏହି ଅଞ୍ଚଳର ଜନସାଧାରଣ ବିକାଶର ମୁଖ୍ୟ ଧାରାରେ ନିଜକୁ ଶାମିଲ କରି ସହାୟକ ହେବେ ବୋଲି ଚର୍ଚ୍ଚା ହେଉଛି।
Advertisment
ଏହି ସନ୍ଧ୍ୟାକାଳୀନ ଟ୍ରେନ୍‌ ସମୟ ଚାଲିବା ନେଇ ଟାଟାନଗର ବାଦାମପାହାଡ଼ ରେଳ ଯାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ବିଶେଷ କରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅବଦାନ ତଥା ଦକ୍ଷିଣ ପୂର୍ବାଞ୍ଚଳ ରେଳ ଜେନେରାଲ ମ୍ୟାନେଜର ଅନିଲ କୁମାର ମିଶ୍ର ଏବଂ ଡିଆରଏମ ଚକ୍ରଧରପୁର ଏ.ଜେ ରାଥଡ଼ ଏବଂ ରେଳବାଇ ପ୍ରଶାସନର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରି ରେଳ ପ୍ରଶାସନକୁ ରାଇରଙ୍ଗପୁର ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛୁ।
ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତି ଏନେଇ ବାରମ୍ବାର ଦାବି କରି ଆସୁଥିଲେ। ଟାଟା ନଗର ଷ୍ଟେସନରୁ ସନ୍ଧ୍ୟା ୬ରୁ ଛାଡ଼ିବା ପରେ ୬.୩୦ ରେ ହଳଦୀ ପୋଖରୀ, ୬.୪୭ ରେ ସିରିଡି ଶାଇ ଷ୍ଟେସନ, ୭.୦୧ରେ ବହଳଦା ରୋଡ ଷ୍ଟେସନ, ୦୭.୨୦ ରେ ଅଁଳାଯୋଡ଼ି ଜଙ୍କସନ୍, ୦୭.୨୬ ରେ ଗୋରୁମହିଷାଣୀ ଷ୍ଟେସନ, ତାପରେ ପୁଣି ୦୭.୫୦ ରେ ଅଁଳାଯୋଡ଼ି ଜଙ୍କସନ୍, ୮.୧୪ ରେ ରାଇରଙ୍ଗପୁର ଷ୍ଟେସନ, ୮.୩୦ ରେ କୁଲଡିହା ଷ୍ଟେସନ, ୮.୪୩ ରେ ଛନୁଆ ଷ୍ଟେସନ୍ ଏବଂ ୯.୦୫ ରେ ବାଦାମପାହାଡ ଷ୍ଟେସନରେ ପହଞ୍ଚିବ। ସେଠାରୁ ପୁଣି ଥରେ ରାତ୍ର ୯.୧୫ରେ ଟାଟା ନଗର ଷ୍ଟେସନକୁ ଯାତ୍ରା କରିବ ବୋଲି ସୂଚନା ମିଳିଛି। ପୂର୍ବରୁ ଚାଲୁଥିବା ତିନିଟି ଟ୍ରେନ୍ ଟାଟାନଗରରୁ ବାଦାମପାହାଡକୁ ସକାଳୁ ଆସୁଥିଲା।