କେନ୍ଦୁଝର  : ପଛୁଆବର୍ଗଙ୍କୁ ରାଜ୍ୟ ସରକାର ଅବହେଳା କରୁଛନ୍ତି। ରାଜ୍ୟ ନିର୍ବାଚନ କମିସନ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ କରିଥିବା ବିଜ୍ଞପ୍ତିରେ ଏହା ସ୍ପଷ୍ଟ ବାରି ହେଉଛି ବୋଲି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ବାବୁଲାଲ ମାରାଣ୍ଡି ଓ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Advertisment

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ କେନ୍ଦୁଝର ଜିଲ୍ଲାରେ ଗୋଟିଏ ବି ଜିଲ୍ଲା ପରିଷଦ ଜୋନ୍‌ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ନାହିଁ। ୭୩ତମ ସମ୍ବିଧାନ ସଂଶୋଧନ ଦ୍ବାରା ପଞ୍ଚାୟତିରାଜ ଓ ୭୪ତମ ସମ୍ବିଧାନ ସଂଶୋଧନ ଦ୍ବାରା ପୌରସଂସ୍ଥା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ କ୍ଷମତାର ବିକେନ୍ଦ୍ରୀକରଣ କରାଯାଇ ତୃଣମୂଳସ୍ତରରେ ଥିବା ଅନୁଷ୍ଠାନକୁ ମଧ୍ୟ କ୍ଷମତା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ସମ୍ବିଧାନର ୩୩୦ ଓ ୩୩୨ ଧାରା ଅନୁସାରେ ଲୋକସଭା ଓ ବିଧାନସଭାରେ ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଛି। ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ଅନୁସୂଚିତ ଜନଜାତି ଓ ଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ପଛୁଆବର୍ଗଙ୍କ ପାଇଁ ମଧ୍ୟ ସ୍ଥାନ ସଂରକ୍ଷଣ କରିବା ନିମନ୍ତେ ରାଜ୍ୟ ସରକର ବିଗତ ଦିନରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ରଖାଯାଇଥିଲା। କେବଳ ପଞ୍ଚମ ଅନୁସୂଚିତ ଅଞ୍ଚଳ ପାଇଁ ୨୪୪ (୧) ଧାରା ଅନୁସାରେ ରାଜ୍ୟପାଳ ନିଜ କ୍ଷମତାର ଉପଯୋଗ କରି ସଂରକ୍ଷଣକୁ ୨୭ ପ୍ରତିଶତରୁ କମାଯାଇ ୧୧.୨୫ ପ୍ରତିଶତ କରିଥିଲେ।

ବିଧାନସଭା ଓ ଲୋକସଭା ଆସନ ଏହି ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଜାତିଙ୍କ ପାଇଁ ସଂରକ୍ଷଣ ଥିବାରୁ ପଛୁଆବର୍ଗଙ୍କୁ ରାଜନୈତିକ ସଶକ୍ତୀକରଣ କରିବା ପାଇଁ ଏହି ବ୍ୟବସ୍ଥା କିଛିମାତ୍ରାରେ ସାହାଯ୍ୟ କରୁଥିଲା। ମାତ୍ର ରାଜ୍ୟ ସରକାର ଏହାକୁ ହଟେଇବା ପାଇଁ ଚକ୍ରାନ୍ତ କରିଛନ୍ତି। ଏହାକୁ ଜେଏମ୍‌ଏମ୍‌ ବିରୋଧ କରୁଛି ବୋଲି ଶ୍ରୀ ହାଁସଦା କହିଥିଲେ। ଏହାର ସମାଧାନ ନହେଲେ ଅଗାମୀ ଦିନରେ ଜେଏମ୍‌ଏମ୍‌ ତୀବ୍ର ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ଜେଏମ୍‌ଏମ୍‌ ସଭାପତି ଜଗବନ୍ଧୁ ମହାନ୍ତ, ସୁରଜ କୁମାର ମହାପାତ୍ର, ଚନ୍ଦ୍ରମଣି ସିଂ, ଚିତ୍ତରଂଜନ ମହାନ୍ତ, ବିଦେଶୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।