ସୁନ୍ଦରଗଡ଼: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସ୍‌ଆଇ ଏଲିଶ ନାରମି ଲୁଗୁନଙ୍କ ସନ୍ଦେହନକ ମୃତ୍ୟୁ ମାମଲାରେ ଜିଲ୍ଲାରେ ଅସନ୍ତୋଷର ନିଆଁ କୁହୁଳୁଛି। ଏ ସ୍ଥିତିରେ ତାତିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ। ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଥିବା ଜିଲ୍ଲା ଆଦିବାସୀ ସଂଗଠନ ସମୂହର ହଜାରହଜାର ଆଦିବାସୀ ଆଜି ବିଶାଳ ଶୋଭାଯାତ୍ରାରେ ଆସି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସିବିଆଇ ତଦନ୍ତ କରି ମାମଲାର ପର୍ଦ୍ଦାଫାସ ଓ ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା।

Advertisment

କିଛି ପ୍ରତିନିଧି ଭିତରକୁ ଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ କୁହାଯାଇଥିଲା। ଯାହାକୁ ମନା କରି ଦେଇଥିଲେ ଆନ୍ଦୋଳନକାରୀ। ପରେ ଦାବିପତ୍ର ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ ଓ ଉପଜିଲ୍ଲାପାଳ ଦାଶରଥି ସରାବୁ ଆସିଥିଲେ। ଆନ୍ଦୋଳନକାରୀ ଦୁଇ ଅଧିକାରୀଙ୍କୁ ପ୍ରତ୍ୟାଖ୍ୟାନ କରି ଦାବିପତ୍ର ନେବାକୁ ଜିଲ୍ଲାପାଳ ଆସନ୍ତୁ ବୋଲି ଦାବି କରିଥିଲେ। କିନ୍ତୁ ପ୍ରାୟ ୨ ଘଣ୍ଟା ଅପେକ୍ଷା କରିବା ପରେ ବି ଜିଲ୍ଲାପାଳ ଆସି ନଥିଲେ। ଅଫିସରେ ଥାଇ ମଧ୍ୟ ଜିଲ୍ଲାପାଳ ଆନ୍ଦୋଳନସ୍ଥଳକୁ ନ ଆସିବାରୁ କ୍ଷୁବ୍ଧ ହୋଇଥିଲେ ଆଦିବାସୀ। ଜିଲ୍ଲାପାଳଙ୍କ ବିରୋଧରେ ପ୍ରବଳ ନାରାବାଜି କରି ଅଫିସ ମୁଖ୍ୟଗେଟ୍‌ରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। କିଛି ମହିଳା ଗେଟ୍‌ ଉପରକୁ ଚଢ଼ି ଯାଇଥିବା ଦେଖାଯାଇଥିଲା। କିଛି ସମୟ ପାଇଁ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଏହାପରେ ଉତ୍ତେଜିତ ଆଦିବାସୀ ମହିଳାମାନେ ହାତରୁ ଚୁଡ଼ି ଓ ଦାବିପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଫିଙ୍ଗି ଫେରି ଯାଇଥିଲେ।

publive-image

ଜିଲ୍ଲାପାଳଙ୍କୁ ଗସ୍ତବେଳେ ପ୍ରତି ଗାଁରେ ବିରୋଧ କରାଯିବ ବୋଲି ଘୋଷଣା କରିଥିଲେ ଆଦିବାସୀ। ସୁସ୍ମିତାଙ୍କୁ ଯୋଜନାବଦ୍ଧ ଭା‌ବେ ହତ୍ୟା କରାଯାଇଛି ଓ ଏଥିରେ ଜିଲ୍ଲାର ଉଚ୍ଚ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଥିବାରୁ ପୁଲିସ ଆତ୍ମହତ୍ୟାର ରୂପଦେଇ ମାମଲାକୁ ଚାପିଦେବାକୁ ବସିଥିବା ଆଦିବାସୀ ସଂଗଠନ ଅଭିଯୋଗ କରିଥିଲେ। ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କୀ, ରାଜଗାଙ୍ଗପୁର ବିଧାୟକ ଡା. ସିଏସ୍‌ ରାଜେନ ଏକ୍କା, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଓ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏଏସ୍‌ପି, ଏସ୍‌ଡିପିଓଙ୍କ ନେତୃତ୍ବରେ ୭ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ। ଜିଲ୍ଲାର ପ୍ରାୟ ସବୁଥାନାର ଅଧିକାରୀ ଉପସ୍ଥିତ ଥିଲେ।