ଭୁବନେଶ୍ବର: ଆଜି ବିଧାନସଭାରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ (ସଂଶୋଧନ) ବିଧେୟକ, ୨୦୨୫ ପାରିତ ହୋଇଛି। ବିଧେୟକ ଉପରେ ଆଲୋଚନାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ସଂଶୋଧନ ପ୍ରସ୍ତାବ ଦେଇଥିଲେ ହେଁ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ବିରୋଧୀ ଜାଣିଛନ୍ତି ଏହି ବିଧେୟକରେ କୌଣସି ପରିବର୍ତ୍ତନ କରାଯାଇପାରିବନି। ଜିଏସ୍ଟି ପରିଷଦରେ ସର୍ବସମ୍ମତିକ୍ରମେ ହୋଇଥିବା ନିଷ୍ପତ୍ତିକୁ ସବୁ ରାଜ୍ୟ ଯଥାରୀତି ଲାଗୁ କରିବାକୁ ବାଧ୍ୟ। ଯଦି ଏଥିରେ କିଛି ସଂଶୋଧନ କରାଯାଏ ତେବେ ଆଇନଗତ ସମସ୍ୟା ଉପୁଜିବ। ତେଣୁ ଏହି ବିଧେୟକକୁ ପାରିତ କରିବାରେ ସହଯୋଗ କରନ୍ତୁ।
ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ (ସଂଶୋଧନ) ବିଧେୟକ, ୨୦୨୫ ପାରିତ
ଓଡ଼ିଶାର ବିଶେଷ ଲାଭ ହେବନି: ରଣେନ୍ଦ୍ର
ଅକ୍ଟୋବର ୧ରୁ ନୂଆ ନିୟମ ଲାଗୁ ହେବ
ମୁଖ୍ୟମନ୍ତ୍ରୀ ଉତ୍ତର ରଖିବାବେଳେ ଆହୁରି କହିଥିଲେ, ଏହି ସଂଶୋଧନ ଦ୍ବାରା ବିଭିନ୍ନ ସମୟରେ ବିଭିନ୍ନ ସଂସ୍ଥାର ମୁଖ୍ୟାଳୟ ପକ୍ଷରୁ କିଣାଯାଉଥିବା ସାମଗ୍ରୀ ବାବଦକୁ ଯେଉଁ ଜିଏସ୍ଟି ଦିଆଯାଉଛି ସେମାନେ ଏବେ ସେମାନଙ୍କ ଶାଖା କାର୍ଯ୍ୟାଳୟ ମାଧ୍ୟମରେ ଇନପୁଟ୍ କ୍ରେଡିଟ୍ ସୁବିଧା ପାଇପାରିବେ। ଇନଭଏସ୍ ମ୍ୟାନେଜମେଣ୍ଟ ସିଷ୍ଟମରେ ଟିକସଦାତା ଦାଖଲ କରିଥିବା ବିବରଣୀକୁ ସଂଶୋଧନ କରିପାରିବେ। ବ୍ୟବସାୟୀମାନେ ଯେଉଁ ଭାଉଚର୍ ଜାରି କରିବେ ତାହା ଉପରେ ତାଙ୍କୁ ଜିଏସ୍ଟି ଦେବାକୁ ପଡ଼ିବନି। ପାନମସଲା, ଗୁଟ୍ଖା ଉତ୍ପାଦନକାରୀଙ୍କୁ ସେମାନେ ବ୍ୟବହାର କରୁଥିବା ପ୍ରତ୍ୟେକ ଯନ୍ତ୍ରପାତିକୁ ପଞ୍ଜୀକୃତ କରିବାକୁ ପଡ଼ିବ। ଏଥିପାଇଁ ଏକ ୟୁନିକ ଆଇଡେଣ୍ଟିଫିକେସନ୍ ମାର୍କ (ୟୁଆଇଏମ୍) ରହିବ। ଏହା ବାରକୋଡ୍ ଭଳି କାମ କରିବ। ଏହାଦ୍ବାରା କିଏ କେତେ ସାମଗ୍ରୀ ଉତ୍ପାଦନ କଲେ ଜଣାପଡ଼ିବ। ସେହିପରି ଜାଲ୍ ଇନପୁଟ୍ କ୍ରେଡିଟ ନୋଟ୍ ଜାରି କରୁଥିଲେ ଜରିମାନା ଆଦାୟ ହେବ, ଯୋଗାଣକାରୀ କ୍ରେଡିଟ ନୋଟ୍ ଜାରି କରି ତାଙ୍କର ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍କୁ କମାଇପାରିବେ।
ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଏହି ଜିଏସ୍ଟି ସଂସ୍କାର ଦ୍ବାରା ରାଜ୍ୟର ବିଶେଷ ଲାଭ ହେବନି। ଯଦି କେନ୍ଦ୍ର ସରକାର ଯାହା ନିୟମ କରିବେ ତାକୁ ରାଜ୍ୟ ସରକାର ଯଥାରୀତି ପାଳନ କରିବେ ତେବେ ଆଲୋଚନା କରି ଲାଭ କ’ଣ? ତଥାପି ମୁଖ୍ୟମନ୍ତ୍ରୀ କୁହନ୍ତୁ ଯେ ଏହି ବୈଠକରେ ସେ କ’ଣ ପ୍ରସ୍ତାବ ଦେଇଥିଲେ। ବିଧାୟକ ନିରଞ୍ଜନ ପୂଜାରୀ, କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ, ଅଶୋକ ଦାସ ପ୍ରମୁଖ ଭାଗ ନେଇ ଏହାକୁ ବିରୋଧ କରିଥିଲେ। ଶାସକ ଦଳ ପକ୍ଷରୁ ଓମ୍ ପ୍ରକାଶ ମିଶ୍ର, ସନ୍ତୋଷ ଖଟୁଆ, ସିଦ୍ଧାନ୍ତ ମହାପାତ୍ର, ଇରାଶିଷ ଆଚାର୍ଯ୍ୟ, ଅଖିଳ ଚନ୍ଦ୍ର ନାୟକ, ବାବୁ ସିଂହ, ଦୁର୍ଗା ପ୍ରସନ୍ନ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।