ଭୁବନେଶ୍ବର/ବାରଙ୍ଗ: ୫ଦିନ ହେଲା ଅପହର୍ତ୍ତାଙ୍କ କବଳରେ ଥିବା ଟାକ୍ସି ଡ୍ରାଇଭର ଖୋର୍ଦ୍ଧା ବାଣପୁର ଅରାଙ୍ଗ ଗ୍ରାମର ବିଦ୍ୟାଧର ସାହୁ ଓରଫ ମଣ୍ଟୁ(୩୦)ଙ୍କ ମୃତଦେହ ଆଜି ବାରଙ୍ଗ-ଚନ୍ଦକା ରାସ୍ତାରେ ଦାରୁଠେଙ୍ଗ ନିକଟରୁ ମିଳିଛି। ବଡ଼ଗଡ଼ ଥାନା ଅଞ୍ଚଳରୁ ମଣ୍ଟୁଙ୍କୁ ଯୋଜନାବଦ୍ଧ ଭାବେ ଉଠାଇ ନେଇଥିବା ଅପହର୍ତ୍ତାମାନେ କାର୍‌ ଭିତରେ ତାଙ୍କ ବେକକୁ ଗାମୁଛାରେ ଭିଡ଼ି ହତ୍ୟା କରିବା ପରେ ଘୋଷାରି ନେଇ ରାସ୍ତାକଡ଼ ବଣ ଭିତରକୁ ଫୋପାଡ଼ି ଦେଇଥିବା ଜଣାପଡ଼ିଛି। ଆଜି ସକାଳୁ ଏହି ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଚନ୍ଦକା ଓ ବଡ଼ଗଡ଼ ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍‌ ସହ ପହଞ୍ଚି ଛାନ୍‌ଭିନ୍‌ କରିଛି। ମଣ୍ଟୁଙ୍କ ସମ୍ପର୍କୀୟ ଓ ପରିବାର ଲୋକଙ୍କ ସୂଚନା ଆଧାରରେ ପୁଲିସ ହତ୍ୟାକାରୀଙ୍କୁ ଠାବ କରିବାକୁ ତଦନ୍ତ ଚଳାଇଛି। ମଣ୍ଟୁଙ୍କୁ ମୁଣ୍ଡଜାମିନ ରଖି ୨କୋଟି ଟଙ୍କା ଦାବି କରିଥିବା ଅପହର୍ତ୍ତାମାନେ କିଏ, ସେହିଦିଗରେ ପୁଲିସ ତଦନ୍ତ ଆଗକୁ ବଢ଼ିଛି। ବଡ଼ କଥା ହେଉଛି ଗତକାଲିଠାରୁ ପୁଲିସ ଗଞ୍ଜାମ ପାରଳାଖେମୁଣ୍ଡିର ଜଣେ ସନ୍ଦିଗ୍ଧକୁ ଅଟକ ରଖିଥିଲେ ହେଁ ମଣ୍ଟୁଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନାହିଁ। ସେହିଭଳି ଏହି ମାମଲାରେ ପୁଲିସକୁ ଜଣେ ମହିଳାଙ୍କ ସମ୍ପୃକ୍ତି ବାବଦରେ ସମ୍ୟକ୍‌ ସୂଚନା ମିଳିଛି। ମହିଳାଙ୍କ ଫୋନ୍‌ ସୁଇଚ୍‌ ଅଫ୍ ଥିବାରୁ ପୁଲିସ ତାଙ୍କୁ ଯୋଗା‌ଯୋଗ କରିପାରି ନଥିବା ଜଣାପଡ଼ିଛି। କିନ୍ତୁ ପୁଲିସ ଧମକପୂର୍ଣ୍ଣ କଲ୍‌ ଆସିଥିବା ଅପହର୍ତ୍ତାଙ୍କ ଫୋନ୍‌ ନମ୍ବର ଓ ବିଦ୍ୟାଧରଙ୍କ ଫୋନ୍‌ ନମ୍ବରର ସିଡିଆର୍‌ ଯାଞ୍ଚ କରୁଛି। 

Advertisment

ବଡ଼ଗଡ଼ରୁ ନେଇଥିଲେ, ଚନ୍ଦକା‌ରେ ଫିଙ୍ଗିଦେଲେ
ମୁଣ୍ଡଜାମିନ ରଖି ୨କୋଟି ଦାବି କରିଥିଲେ
୫ଦିନ ରଖି ନିର୍ଯାତନା ଦେଇଥିଲେ

ପରିବାର ଲୋକଙ୍କ ସୂଚନାନୁଯାୟୀ, ଚାକିରି ବାବଦରେ ଟଙ୍କା କାରବାରକୁ ନେଇ ପୂର୍ବରୁ କିଛି ଲୋକ ମଣ୍ଟୁଙ୍କୁ ଧମକ ଦେଇଥିଲେ। ଚାକିରି ପାଇଁ ଟଙ୍କା ଦେଇଥିବା ବ୍ୟକ୍ତିମାନେ ୧୫ ତାରିଖରୁ ତାଙ୍କୁ ଅପହରଣ କରି ଫୋନ୍‌ ଯୋଗେ ୨କୋଟି ଟଙ୍କା ଦାବି କରିଥିଲେ। ପୁଲିସକୁ ଜଣାଇଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିଲେ। ଏନେଇ ପରିବାର ଲୋକେ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ ଚଳାଇଥିଲା। ମାତ୍ର ଆଜି ସକାଳୁ ତାଙ୍କର ମୃତଦେହ ମିଳିଛି। ଆଜି ସକାଳ ପ୍ରାୟ ୮ଟା ସମୟରେ ମଣ୍ଟୁଙ୍କର ଜଣେ ଡ୍ରାଇଭର୍‌ ବନ୍ଧୁ ସବୁଦିନ ଭଳି ବାରଙ୍ଗ-ଚନ୍ଦକା ରାସ୍ତାରେ କଟକ ଯାଉଥିଲେ। ମଣ୍ଟୁଙ୍କ କାର୍‌ (ଓଡି ୦୨ ସିସି ୪୨୩୭) ଏକ ହୋଟେଲ୍‌ଠାରୁ କିଛି ଦୂରରେ ରାସ୍ତାକଡ଼ରେ ଥିବା ଦେଖି ଅଟକିଥିଲେ। ମଣ୍ଟୁ ନିଖୋଜ ଥିବା ସମ୍ପର୍କରେ ସେ ଜାଣିଥିବାରୁ  ତୁରନ୍ତ କାର୍‌ ନିକଟକୁ ଯାଇଥିଲେ।

ସେଠାରେ ତାଙ୍କୁ ପାଇନଥିଲେ। ମଣ୍ଟୁ ଶୌଚ ହେବାକୁ ବଣ ଭିତରକୁ ଯାଇଥିବା ଭାବି ‌କିଛି ସମୟ ଅପେକ୍ଷା କରିଥିଲେ। ଏହାପରେ ରାସ୍ତା କଡ଼ ବାଡ଼ା ଡେଇଁ ତଳକୁ ଦେଖିଥିଲେ ଏବଂ ମଣ୍ଟୁଙ୍କ ମୃତଦେହ ଦେଖି ତୁରନ୍ତ ଚନ୍ଦକା ଥାନା ଓ ପରିବାର ଲୋକଙ୍କୁ ଫୋନ୍‌ କରି ଜଣାଇଥିଲେ। ମଣ୍ଟୁଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା ଏବଂ ବେକରେ ଧଳା ଗାମୁଛା ଗୁଡ଼ାଇହୋଇ ରହିଥିଲା। ମଣ୍ଟୁଙ୍କ ମୁହଁ ସିଝିଯାଇ କଳା ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରୁ ଛତା, ପର୍ସ ଓ ବ୍ୟାଗ୍‌ ମିଳିଛି। କାର୍‌ ଭିତରୁ ଟାଣି ନେବା ବେଳେ ପର୍ସ ଓ କିଛି ଖୁଚୁରା ଟଙ୍କା ଖସିପଡ଼ିଥିବା ଅନୁମାନ କରାଯାଉଛି। ମୃତଦେହ ନିକଟରୁ ମଦବୋତଲ, ପ୍ଲାଷ୍ଟିକ୍‌ ଗ୍ଲାସ୍‌ ମଧ୍ୟ ମିଳିଛି। ଏସିପି ସୋନାଲି ସିଂହ ପରମାର୍‌, ଚନ୍ଦକା ଓ ବଡ଼ଗଡ଼ ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ଯାଞ୍ଚ କରିଛନ୍ତି। ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ବ୍ୟବଚ୍ଛେଦ କରାଇ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଛି।