ଭୁବନେଶ୍ବର/ପାରଳାଖେମୁଣ୍ଡି: ଟାକ୍ସିଚାଳକ ବିଦ୍ୟାଧର ସାହୁ ଓରଫ ମଣ୍ଟୁଙ୍କୁ ଅପହରଣ ପରେ ହତ୍ୟାକରି ଫୋପାଡ଼ି ଦେଇଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବା ଲାଗି କମିସନରେଟ୍‌ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଚଳାଇଛି। ଆଜି ପୁଲିସର ୨ଟି ଟିମ୍‌ ଯାଜପୁର ଓ ପାରଳାଖେମୁଣ୍ଡି ସମେତ ୫ଟି ଜାଗାରେ ଚଢ଼ଉ କରିଥିଲା। ଆଜି ପାରଳାଖେମୁଣ୍ଡିରୁ ୫ଜଣଙ୍କୁ ପୁଲିସ ଉଠାଇ ଆଣିଛି। ସେମାନେ ହେଲେ ରବୀନ୍ଦ୍ର ବେହେରା, କରୁଣା ସାଗର, ରମେଶ ବେହେରା, ଦୀପକ ସାହୁକାର ଓ ମୋହନ ବେହେରା। ପୂର୍ବରୁ ଜଣେ ଅଟକ ରହିଥିଲା। ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିବାକୁ ଏବେ ପୁଲିସ ୬ଜଣଙ୍କୁ ମାରାଥନ୍‌ ଜେରା କରୁଛି। ଚାକିରି କରାଇବା ବାହାନାରେ ଠକେଇ କରିଥିବା ଏକ ରୢାକେଟ୍‌ର ସଦସ୍ୟ ଥିବାରୁ ମଣ୍ଟୁଙ୍କୁ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ପୁଲିସ ଠକେଇ ମାମଲାକୁ ନେଇ ମଧ୍ୟ ଖୋଳତାଡ଼ ଚଳାଇଛି। ମାତ୍ର ଠକେଇ ମାମଲାର ମାଷ୍ଟରମାଇଣ୍ଡ୍‌ ଜ୍ୟୋତ୍ସ୍ନା ମାଡାମ୍‌ଙ୍କୁ ପୁଲିସ ଠାବ କରିପାରି ନାହିଁ। ବରମୁଣ୍ଡା ଅଞ୍ଚଳରେ ଏକ କନ୍‌ସଲ୍‌ଟାନ୍‌ସି କାର୍ଯ୍ୟାଳୟ ଖୋଲି କୋଟିକୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିବା ଜ୍ୟୋତ୍ସ୍ନାକୁ ପାଇବା ପରେ ମଣ୍ଟୁ ହତ୍ୟାକାଣ୍ଡର ବହୁ ଗୁମର ପଦାକୁ ଆସିବ। ତେଣୁ ପୁଲିସ ଏବେ ଖଳନାୟିକା ଜ୍ୟୋତ୍ସ୍ନାର ପିଛା କରିବାରେ ଲାଗିପଡ଼ିଛି।   

Advertisment

ମିଳିନାହାନ୍ତି ମାଷ୍ଟରମାଇଣ୍ଡ୍‌ ଜ୍ୟୋତ୍ସ୍ନା‌ ମାଡାମ୍‌

ମାଡାମ୍‌ ଜ୍ୟୋତ୍ସ୍ନା ନାଗେଶ୍ବର ଟାଙ୍ଗୀରେ ରହୁଥିଲେ ଏବଂ ବରମୁଣ୍ଡାରେ କନ୍‌ସଲ୍‌ଟାନ୍‌ସି ଅଫିସ୍‌ କରିଥିଲେ। ମଣ୍ଟୁ ତାଙ୍କ କାର୍‌କୁ ମାଡାମ୍‌ ଜ୍ୟୋତ୍ସ୍ନାଙ୍କୁ ମାସିକିଆ ଭଡ଼ାରେ ଦେଇଥିଲେ ଏବଂ ନିଜେ କାର୍‌ ଚଳାଉଥିଲେ। ଜ୍ୟୋତ୍ସ୍ନା ନିଜକୁ ଜଣେ ଆଇଏଏସ୍‌ ଅଫିସର ବୋଲି ପରିଚୟ ଦେଉଥିଲେ। ଏହି ରୢାକେଟ୍‌ରେ ତାଙ୍କ ସ୍ବାମୀ ଓ ଅନ୍ୟ ଜଣେ ବ୍ୟକ୍ତି ସାମିଲ ଥିଲେ। ସେମାନେ ଚାକିରି ଆଶାୟୀମାନଙ୍କୁ ରାଜଧାନୀକୁ ଡାକି ସାକ୍ଷାତକାର ନେଉଥିଲେ ଏବଂ ବଡ଼ବଡ଼ ମଲ୍‌ଟିନ୍ୟାସ୍‌ନାଲ୍ କମ୍ପାନିରେ ଉଚ୍ଚ ଦରମାରେ ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଏଥିପାଇଁ ଲକ୍ଷଲକ୍ଷ ଟଙ୍କା ଦାବି କରୁଥିଲେ। ଆଶାୟୀଙ୍କୁ ଜାଲରେ ଫସାଇବା ପରେ ମାଡାମ୍ କାର୍‌ ଚାଳକ ମଣ୍ଟୁ ମାଧ୍ୟମରେ ଟଙ୍କା ଆଣୁଥିଲେ। ମଣ୍ଟୁ ହିଁ ଆଶାୟୀମାନଙ୍କଠାରୁ ଟଙ୍କା ଆଣି ମାଡାମ୍‌ଙ୍କୁ ଦେଉଥିଲେ। ମଣ୍ଟୁ କିଭଳି ମାଡାମ୍‌ଙ୍କ ସମ୍ପର୍କରେ ଆସିଲା ଏବଂ ତାଙ୍କର ଏତେ ବିଶ୍ବସ୍ତ ହୋଇପାରିଥିଲା, ସେନେଇ ପୁଲିସ ତଦନ୍ତ କରୁଛି। ମଣ୍ଟୁଙ୍କ କଲ୍‌ ଡିଟେଲ୍‌ସ ଯାଞ୍ଚ କରି ପୁଲିସ ଏହି ରହସ୍ୟ ଭେଦ କରିବାକୁ ଲାଗିଛି। ତଦନ୍ତରୁ ଜଣାପଡ଼ିଛି ଯେ ଗଜପତି ଜିଲ୍ଲାରେ ଏହି ଠକ ଗ୍ୟାଙ୍ଗ୍‌ ସକ୍ରିୟ ଥିଲା। ଏକାଧିକ ଦଲାଲଙ୍କ ଜରିଆରେ ଚାକିରି ଆଶାୟୀଙ୍କୁ ଠାବ କରାଯାଇଥିଲା। ଏହି ରୢାକେଟ୍‌ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୪୦ରୁ ଅଧିକ ଯୁବକଙ୍କଠାରୁ ୪‌ କୋଟିରୁ ଅଧିକ ଟଙ୍କା ଠକି ନେଇଥି‌‌ଲା। ଚାକିରି ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ ପରେ ମାଡାମ୍‌ ଜ୍ୟୋତ୍ସ୍ନା କାର୍ଯ୍ୟାଳୟ ବନ୍ଦ କରି ଅନ୍ତର୍ଦ୍ଧାନ ହୋଇଯିବାରୁ ମଣ୍ଟୁ ଅଡ଼ୁଆରେ ପଡ଼ିଯାଇଥିଲେ। ଠକେଇର ଶିକାର ହୋଇଥିବା ଆଶାୟୀମାନେ ମଣ୍ଟୁଙ୍କ ହାତକୁ ଟଙ୍କା ଦେଇଥିବାରୁ ତାଙ୍କୁ ଧରିଥିଲେ। ଟଙ୍କା ଫେରାଇବାକୁ ସେମାନେ ଧମକଚମକ ଦେଇଆସୁଥିଲେ। ମାତ୍ର ଏତେ ଟଙ୍କା ଫେରାଇବା ମଣ୍ଟୁଙ୍କ ପକ୍ଷେ ସମ୍ଭବ ନଥିଲା। ୧୫ ତାରିଖ ଦିନ କିଛି ଆଶାୟୀ ମଣ୍ଟୁଙ୍କୁ ଅପହରଣ କରିନେଇଥିଲେ ଏବଂ ମୁଣ୍ଡଜାମିନ ରଖି ୨ କୋଟି ଟଙ୍କା ଦେବାକୁ ପରିବାର ଲୋକଙ୍କୁ ଫୋନ୍‌ କରିଥିଲେ। ‌ଅପହର୍ତ୍ତାମାନେ ମଣ୍ଟୁଙ୍କୁ ଯାଜପୁର ନେଇ ୨ଦିନ ରଖି ନିସ୍ତୁକ ମାଡ଼ମାରିଥିଲେ। ୨୦ ତାରିଖ ସକାଳେ ଚନ୍ଦକା ଥାନା ଅଞ୍ଚଳରୁ ମଣ୍ଟୁଙ୍କ ମୃତଦେହ ମିଳିଥିଲା।