ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲାର ବାମନଘାଟୀ ଓ ପାଂଚପୀଢ଼ ଉପଖଣ୍ଡ ହେଉଛି ଆଦିବାସୀ ବହୁଳ ବିଶିଷ୍ଟ ଅଂଚଳ। ଉକ୍ତ ଦୁଇ ଉପଖଣ୍ଡର ଟିବି (ଯକ୍ଷ୍ମା) ରୋଗୀ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ଖଣି ଖାଦାନ ଅଂଚଳରେ ଅଧିକ ସଂକ୍ୟାରେ ରୋଗୀ ଆକ୍ରାନ୍ତ ହେଉଛନ୍ତି। ରାଇରଙ୍ଗପୁର ଓ କରଂଜିଆ ଉପଖଣ୍ଡ ଚିକିତ୍ସ୍ୟାଳୟ ଅଧିନରେ ଥିବା ସମସ୍ତ ସମସ୍ତ ସ୍ୱାସ୍ଥ କେନ୍ଦ୍ରକୁ ଦୈନଦିନ ଟିବି ରୋଗରେ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେବାକୁ ଓ ଔଷଧ ନେବା ପାଇଁ ଯାଇଥାନ୍ତି।

Advertisment

ବର୍ତ୍ତମାନ ମୟୂରଭଂଜ ଜିଲ୍ଲା ଯକ୍ଷ୍ମା ରୋଗୀଙ୍କ ରାଜଧାନୀ ପାଲଟିଛି। ଖଣି ଖାଦାନ ପ୍ରଭାବିତ ଗ୍ରାମ ଗୁଡ଼ିକରେ ଅଧିକ ରୋଗୀ ଥିବା ଜଣାପଡିଛି। ତେଣୁ ସରକାରଙ୍କ ତରଫରୁ ଉଚ୍ଚସ୍ତରୀୟ ମେଡିକାଲ ଟିମ୍ ତଦନ୍ତ କରି ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାର କାରଣ କଣ ତାହା ଅନୁସନ୍ଧାନ କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହୋଇଆସୁଛି। ରୋଗୀ ସଂଖ୍ୟା ଯେତିକି ସେହି ଅନୁସାରେ ଔଷଧ କମ୍ ପରିମାଣର ମିଳୁଥିବା ସୂଚନା ମିଳିଛି। ଏପରିକି ଦେଢ଼ମାସରୁ ଅଧିକ ହେବ କୌଣସି ମେଡିକାଲକୁ ଔଷଧ ଯୋଗାଉନଥିବାରୁ ରୋଗୀ ମାନେ ଔଷଧ ପାଇବାରୁ ବଂଚିତ ହେଉଛନ୍ତି।

ବର୍ତ୍ତମାନ ସୁଦ୍ଧା ବାର୍ଷିକ ରାଇରଙ୍ଗପୁର ଉପଖଣ୍ଡର ଉପଖଣ୍ଡ ଚିକିତ୍ସ୍ୟାଳୟ ଅଧୀନରେ ୨୨୭ ଜଣ ରୋଗୀ, ଜାମଦା ସିଏଚ୍ସି ଅଧିନରେ ୧୫୮ ଜଣ, ବାଦାମପାହାଡ଼ ସିଏଚ୍ସି ଅଧୀନରେ ୨୨୧ ଜଣ,ବହଳଦା ସିଏଚ୍ସି ଅଧୀନରେ ୨୦୮ ଜଣ, ବିଶୋଇ ସିଏଚ୍‌ସି ଅଧୀନରେ ୧୦୪ ଜଣ, ବିଜାତଳା ସିଏଚ୍‌ସି ଅଧୀନରେ ୧୧୪ ଜଣ, ତିରିଂ ସିଏଚ୍‌ସି ଅଧୀନରେ ୭୯ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ କରଂଜିଆ ଉପଖଣ୍ଡ ଚିକିତ୍ସାଳୟ ଅଧିନରେ ୨୩୭ ଜଣ ରୋଗୀ, ରରୁଆଁ ସିଏଚ୍‌ସି ଅଧିନରେ ୮୧ ଜଣ, ଠାକୁରମୁଣ୍ଡା ସିଏଚ୍‌ସି ଅଧୀନରେ ୭୭ ଜଣ, ଶୃକୁଳି ସିଏଚ୍‌ସି ଅଧୀନରେ ୧୨୨ ଜଣ ଓ ଯଶିପୁର ସିଏଚ୍‌ସି ଅଧୀନରେ ୧୪୭ ଜଣ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହା ବ୍ୟତୀତ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟ ଅଧୀନରେ ୧୫୫୬ ଜଣ ରୋଗୀ, ବଡ଼ସାହି ସିଏଚ୍‌ସି ଅଧୀନରେ ୨୪୦ ଜଣ, ବାଙ୍ଗିରିପଷି ସିଏଚ୍‌ସି ଅଧୀନରେ ୨୦୨ ଜଣ, ବେତନଟିରେ ୨୭୯ ଜଣ, କିଶାନତାଣ୍ଡି ସିଏଚ୍‌ସି ଅଧିନରେ ୨୦୨ ଜଣ, କୋଷ୍ଠା ସିଏଚ୍‌ସି ଅଧୀନରେ ୨୦୩ ଜଣ, କୁଳିଅଣା ସିଏଚ୍‌ସି ଅଧିନରେ ୧୫୪ ଜଣ, ସିରସା ସିଏଚ୍‌ସି ଅଧୀନରେ ୧୮୩ ଜଣ, ରଙ୍ଗାମାଟିଆ ସିଏଚ୍‌ସି ଅଧୀନରେ ୮୦ ଜଣ ରାସଗବିନ୍ଦପୁର ସିଏଚ୍‌ସି ଅଧୀନରେ ୨୦୯ ଜଣ ରୋଗୀ ଏବଂ ଉଦଳା ଉପଖଣ୍ଡ ଚିକିତ୍ସ୍ୟାଳୟ ଅଧୀନରେ ୩୩୩ ଜଣ, କପ୍ତିପଦା ସିଏଚ୍‌ସି ଅଧୀନରେ ୨୪୯ ଜଣ, ଖୁଣ୍ଟା ସିଏଚ୍‌ସି ଅଧୀନରେ ୧୨୪ ଜଣ, ଡୁକୁରା ସିଏଚ୍‌ସି ଅଧିନରେ ୧୯୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

ତେବେ ଦେଢମାସରୁ ଅଧିକ ହେଲା ଜିଲ୍ଲା ମୁଖ୍ୟଚିକିତ୍ସ୍ୟାଳୟ ପକ୍ଷରୁ ଉପଖଣ୍ଡ ଚିକିତ୍ସ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ଯକ୍ଷ୍ମା ରୋଗର ଔଷଧ ଯୋଗାଇ ଦିଆଯାଉନଥିବାରୁ ରୋଗୀଙ୍କ ସ୍ୱାସ୍ଥବସ୍ଥା ଖରାପ ହେଉଥିବା ଅଭିଯୋଗ ହେଉଛି। ଏଣୁ ଯଥାଶୀଘ୍ର ଚିକିତ୍ସ୍ୟାଳୟକୁ ଔଷଧ ଯୋଗାଇବା ପାଇଁ ଦାବି ହେଉଛି। ଏ ସମ୍ବନ୍ଧରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଭୟ କୁମାର ଦାସଙ୍କୁ ଯୋଗାଯୋଗ କରିବାରୁ ସମସ୍ତ ମେଡିକାଲକୁ ଚିଠି କରାଯାଇଛି। ମେଡିକାଲ ପକ୍ଷରୁ ଔଷଧ କିଣି ରୋଗୀଙ୍କୁ ଦିଆଯିବ। ଔଷଧ କିଣିବା ନିମନ୍ତେ ଆରକେଏସ୍ ପାଣ୍ଠିରୁ ଦିଆଯିବ। ଖୁବ ଶୀଘ୍ର ଔଷଧ ମିଳିଯିବ ଏବଂ କୌଣସି ଯୋକ୍ଷ୍ମା ରୋଗୀ ଯେପରି ଔଷଧରୁ ବଂଚିତ ନ ହୁଅନ୍ତି ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ମତ ରଖିଛନ୍ତି।