‘ଟିବି ମିତ୍ର’ ଆପ୍ ଉଦ୍‌ଘାଟିତ

ଭୁବନେଶ୍ବର : ରାଜ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ମୋବାଇଲ ଆପ୍ ‘ଟିବି ମିତ୍ର’ ଉଦ୍‌ଘାଟିତ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସହଯୋଗୀ ସଂସ୍ଥା ‘ରିଚ୍’ ପକ୍ଷରୁ ପ୍ରସ୍ତୁତ ଏହି ସାମଗ୍ରୀ ଓ ଆପ୍‌କୁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ଉନ୍ମୋଚିତ କରିଛନ୍ତି। ଏଭଳି ଆପ୍ ଦେଶରେ ପ୍ରଥମ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଏହି ଅବସରରେ ଶ୍ରୀ ଜେନା କହିଲେ, ରାଜ୍ୟରେ ବର୍ଷକୁ ପ୍ରାୟ ୫୦ହଜାର ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଛନ୍ତି। ଗୋଷ୍ଠୀସ୍ତରରେ ପ୍ରତ୍ୟେକଟି ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସଂପୂର୍ଣ୍ଣ ଚିକିତ୍ସା ପ୍ରଦାନ କରି ସୁସ୍ଥ କରିବାକୁ ପଦକ୍ଷେପ ନିଆଯାଉଛି। ୯୦ପ୍ରତିଶତ ରୋଗୀ ଚିହ୍ନଟ ହୋଇପାରୁଛନ୍ତି ଓ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଉଛି। ‘ଟିବି ମିତ୍ର’ ଆପ୍‌ ବ୍ୟବହାରକାରୀ ରାଜ୍ୟରେ ଯକ୍ଷ୍ମା ସଂପର୍କିତ ସୂଚନା ସହିତ ମିଳୁଥିବା ସେବା ସଂପର୍କରେ ସଚେତନ ହୋଇପାରିବେ। ଦେଶରେ ପ୍ରଥମ ରାଜ୍ୟଭାବେ ଏହି ଆପ୍ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି। ଏଥିସହିତ ଯକ୍ଷ୍ମାରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କ ଦ୍ବାରା ଗଠିତ କଳିଙ୍ଗ ଟିବି ସର୍ଭାଇବର୍ସ ନେଟୱାର୍କ ପରିବର୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଯଥେଷ୍ଟ ସହାୟକ ହେବ ବୋଲି ଶ୍ରୀ ଜେନା କହିଥିଲେ।

ସ୍ବାସ୍ଥ୍ୟ ସଚବି ଡା.ପ୍ରମୋଦ କୁମାର ମେହେର୍ଦା କହିଲେ, ରାଜ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ‘ରିଚ୍’ ସଂସ୍ଥାର କାର୍ଯ୍ୟକ୍ରମ ପରିଚାଳକ ଅନୁରାଧା ପଣ୍ଡା ରାଜ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସହାୟତା ଓ ସହଯୋଗ ଉପରେ ସୂଚନା ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ବତନ୍ତ୍ର ସଚିବ ଡା.ବି.କେ ବ୍ରହ୍ମା, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ସ୍ବପ୍ନେଶ୍ବର ଗଡ଼ନାୟକ, କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ ଓ ରାଜ୍ୟ ଯକ୍ଷ୍ମା ଅଧିକାରୀ ଡା.ପ୍ରଶାନ୍ତ କୁମାର ହୋତା ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର