ସେଣ୍ଟର ଅଫ୍‌ ଏକ୍ସଲେନ୍‌ସ ହେବ ଏସ୍‌ସିବି ଛାତି ବିଭାଗ

ଭ୍ରାମ୍ୟମାଣ ଯକ୍ଷ୍ମାରୋଗ ପରୀକ୍ଷାଗାର ଉଦ୍‌ଘାଟିତ

ଭୁବନେଶ୍ୱର : ଯକ୍ଷ୍ମା ହେଉଛି ଏକ ଜନସ୍ୱାସ୍ଥ୍ୟ ସମସ୍ୟା। ଗତ ୫୦ବର୍ଷରୁ ଅଧିକ ସମୟ ଧରି ଯକ୍ଷ୍ମା ବିରୋଧରେ ସଂଗ୍ରାମ ଜାରି ରହିଛି। ଜୀବାଣୁ ଜନିତ ଏହି ରୋଗର ଚିକିତ୍ସା ପାଇଁ ଅନେକ ଔଷଧ ବ୍ୟବସ୍ଥା କରାଯିବା ସହିତ ରୋଗ ନିରୂପଣ ପାଇଁ ପରୀକ୍ଷାଗାର ଓ ମଲିକୁଲାର ନିଦାନ ପଦ୍ଧତି ପ୍ରଣୟନ କରାଯାଇଛି। ଆଗାମୀ ଦିନରେ ଏସ୍‌ସିବି ମେଡିକାଲ କଲେଜର ଛାତି ବିଭାଗକୁ ସେଣ୍ଟର ଅଫ ଏକ୍ସଲେନ୍‌ସରେ ପରିଣତ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।

ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜୟଦେବ ଭବନରେ ରାଜ୍ୟସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଜେନା କହିଲେ, ପୂର୍ବ ଭାରତର ଏହା ଉନ୍ନତ ଯକ୍ଷ୍ମାରୋଗର ଶିକ୍ଷା ଓ ଗବେଷଣା କେନ୍ଦ୍ର ଭାବେ ପରିଗଣିତ ହେବ। ସେହିପରି ଅପପୁଷ୍ଟି ଓ ଯକ୍ଷ୍ମା ପରସ୍ପରର ପରିପୂରକ ହୋଇଥିବା ବେଳେ ଅପପୁଷ୍ଟିର ନିରାକରଣ ପାଇଁ ଯକ୍ଷ୍ମାରୋଗୀଙ୍କ ଓ ତାଙ୍କ ପରିବାରକୁ ସ୍ୱତନ୍ତ୍ର ପୁଷ୍ଟି ସାଧନ ପ୍ୟାକେଟ ପ୍ରଦାନ କରାଯିବ। ସହରାଞ୍ଚଳରେ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଯକ୍ଷ୍ମାରୋଗ ଚିହ୍ନଟ ଓ ଚିକିତ୍ସାକୁ ତ୍ୱରାନ୍ଵିତ କରାଯିବ। ଆଦିବାସୀ ବହୁଳ ଅଞ୍ଚଳରେ ଆଦିବାସୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଯକ୍ଷ୍ମା ଚିହ୍ନଟ ଓ ଚିକିତ୍ସାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି।

ଦେଶ ତଥା ରାଜ୍ୟରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ, ଜାତୀୟ ସ୍ତରରେ ଯକ୍ଷ୍ମା ନିରାକରଣ ହାର ୮୫ପ୍ରତିଶତ ଥିବା ବେଳେ ରାଜ୍ୟରେ ଏହା ୯୦ପ୍ରତିଶତ ରହିଛନ୍ତି। ସେହିପରି ମଲ୍‌ଟି ଡ୍ରଗ୍‌ ରେଜିଷ୍ଟାଣ୍ଟ ବା ଏମ୍‌ଡିଆରରେ ଜାତୀୟ ହାର ୩ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏହାର ୧.୨ପ୍ରତିଶତ ରହିଛି। ଏହାସହ ଯକ୍ଷ୍ମାର ସ୍କ୍ରିନିଂରେ ମଧ୍ୟ ଓଡ଼ିଶା ଯଥେଷ୍ଟ ଆଗରେ ରହିଛି। ଜାତୀୟ ସ୍ତରରେ ୧ଲକ୍ଷ ଲୋକ ସଂଖ୍ୟାରେ ୫ଶହ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଓଡ଼ିଶାରେ ଏହାର ସଂଖ୍ୟା ୬୨୮ ରହିଛି। ସମସ୍ତ ଘରୋଇ କ୍ଲିନିକ୍‌ ଓ ନର୍ସିଂହୋମ୍‌ରେ ଚିକିତ୍ସିତ ଯକ୍ଷ୍ମାରୋଗୀଙ୍କ ସୂଚନା ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି.କେ ବ୍ରହ୍ମା, ଓସାକ୍ସର ପ୍ରକଳ୍ପ ନିର୍ଦେଶକ ସଞ୍ଜୟ ପଟ୍ଟନାୟକ, ଅତିରିକ୍ତ ନିର୍ଦେଶକ(ଯକ୍ଷ୍ମା) ପ୍ରଶାନ୍ତ ହୋତା ଓ ଯୁଗ୍ମ ନିର୍ଦେଶକ(ଯକ୍ଷ୍ମା) ସୁଶାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୨୦୧୮ ବାର୍ଷିକ ଯକ୍ଷ୍ମା ରିପୋର୍ଟ, ଓସାକ୍ସର ନ୍ୟୁଜ୍‌ ଲେଟରର ଉଦଘାଟନ କରାଯାଇଥିଲା। ପ୍ରାରମ୍ଭରେ ଭ୍ରାମ୍ୟମାଣ ଯକ୍ଷ୍ମା ପରୀକ୍ଷାଗାରକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟନ କରିଥିଲେ। ଏଥିରେ କଫର ପରୀକ୍ଷା କରାଯାଇ ମାତ୍ର ୨ଘଣ୍ଟା ମଧ୍ୟରେ ପରୀକ୍ଷା ରିପୋର୍ଟ ମିଳିପାରିବ।

ସମ୍ବନ୍ଧିତ ଖବର