ଭୁବନେଶ୍ବର : ଏପ୍ରିଲ ଶେଷ ସପ୍ତାହରେ ତେନ୍ତୁଳି ସଂଗ୍ରହ କରିବ ଆଦିବାସୀ ଉନ୍ନୟନ ସମବାୟ ସମିତି(ଟିଡିସିସି)। ଏଣେ ମାର୍ଚ୍ଚ ମଝି ସପ୍ତାହରୁ ନାମମାତ୍ର ମୂଲ୍ୟରେ ତୋଳାଳିମାନେ ବ୍ୟବସାୟୀଙ୍କୁ ବିକ୍ରି କରିବା ଆରମ୍ଭ କରିଥିବା ନେଇ ବିଭିନ୍ନ ଜିଲ୍ଲାରୁ ସୂଚନା ମିଳିବାରେ ଲାଗିଛି। ଏଭଳି ସ୍ଥିତିରେ ଟିଡିସିସି ସଂଗ୍ରହର ଲାଭ ପ୍ରକୃତ ତୋଳାଳି କି ବ୍ୟବସାୟୀ କିଏ ଉଠାଇବ ତାକୁ ନେଇ ବିଭିନ୍ନ ସଙ୍ଗଠନ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ଅନ୍ୟଦିଗରେ ଟିଡିସିସି କହିବା ଅନୁସାରେ, ଚଳିତ ବର୍ଷର ବିଳମ୍ବ ଉତ୍ପାଦନକୁ ଦୃଷ୍ଟିରେ ରଖି ସଂଗ୍ରହ ତାରିଖ ନିର୍ଧାରଣ କରାଯାଇଛି। ଏଥିପୂର୍ବରୁ ତୋଳାଳିମାନଙ୍କୁ ସେମାନଙ୍କୁ ତେନ୍ତୁଳି ସଂରକ୍ଷିତ କରି ରଖିବା ପାଇଁ କୁହାଯାଇଛି।
ଘରେ ଘରେ ତେନ୍ତୁଳିର ବ୍ୟବହାର ସହ ପୁରୀ ଶ୍ରୀମନ୍ଦିରରେ ଦୈନିକ ୪ରୁ୫ କେଜିର ତେନ୍ତୁଳି ଆବଶ୍ୟକତା ହୁଏ। ରାଜ୍ୟରେ ଥିବା ସବୁ ମନ୍ଦିର, ହୋଟେଲରେ ମଧ୍ୟ ଏହାର ଆବଶ୍ୟକତା ପାଖାପାଖି ଏହିଭଳି। ଏହାବାଦ ତେନ୍ତୁଳି ପାଉଡର, ଚକ୍ଲେଟ, ସସ୍ ସହିତ ବିଭିନ୍ନ କାରଖାନାରେ ସଫେଇରେ ମଧ୍ୟ ଏହାର ବ୍ୟବହାର ହୁଏ। ପାକିସ୍ତାନ, ବାଲାଂଦେଶ, ଇରାକ, ଦୁବାଇ, ମେକ୍ସିକୋ ଭଳି ଦେଶରେ କିନ୍ତୁ ଏହାର ସ୍ବତନ୍ତ୍ର ଚାହିଦା ରହିଛି। ଯାହା ଭାରତର ବଡ଼ ବ୍ୟବସାୟୀମାନେ ପୂରଣ କରି ଲାଭାନ୍ବିତ ହୁଅନ୍ତି। ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଗତ କିଛି ବର୍ଷ ହେଲା ରପ୍ତାନି ପ୍ରଭାବିତ ହୋଇଛି। ଦେଶରେ ସଫଳ ତେନ୍ତୁଳି ବ୍ୟବସାୟର ଲାଭ କିନ୍ତୁ ଏହାକୁ ସଂଗ୍ରହ କରୁଥିବା ଆଦିବାସୀଙ୍କ ପାଇଁ ଅପହଞ୍ଚ ଥାଏ। ଏଥିରେ ଓଡ଼ିଶାର ଉଦାହରଣ ନିଆଯାଇପାରେ। ଓଡ଼ିଶାରେ ପ୍ରାୟ ୨୦ ହଜାର ମେଟ୍ରିକ ଟନର ତେନ୍ତୁଳି ଉତ୍ପାଦିତ ହୁଏ। ୧.୮୫ ଲକ୍ଷରୁ ଅଧିକ ପରିବାର ଋତୁକାଳୀନ ରୋଜଗାର ଭାବରେ ତେନ୍ତୁଳି ସଂଗ୍ରହ କରି ବିକ୍ରି କରନ୍ତି। ବଜାରରେ ଏହାର ଗୁଣାତ୍ମକ ମୂଲ୍ୟ, ଚାହିଦା ଏବଂ ତୋଳାଳିମାନଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଟିଡିସିସି ଏହାର ସଂଗ୍ରହ କରିଥାଏ।
ଚଳିତବର୍ଷ ୧୩ଟି ଜିଲ୍ଲାରୁ ୭ ହଜାର ମେଟ୍ରିକ ଟନ୍ର ତେନ୍ତୁଳି ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିରେ କୋରାପୁଟ ପାଇଁ ୬୮୫, ନବରଙ୍ଗପୁରରେ ୫୫୭, କଳାହାଣ୍ଡିରେ ୮୦୦, ରାୟଗଡ଼ାରେ ୮୦୦, ଗଜପତିରେ ୬୦୦, କେନ୍ଦୁଝରରେ ୭୦୦, ମୟୂରଭଞ୍ଜରେ ୧୫୦, କନ୍ଧମାଳରେ ୧୦୦୦, ସୁନ୍ଦରଗଡ଼ରେ ୬୧୫, ସମ୍ବଲପୁରରେ ୩୦୦, ମାଲକାନଗିରିରେ ୪୦୦, ଦେବଗଡ଼ରେ ୮୦ ଏବଂ ନୂଆପଡ଼ାରେ ୧ ହଜାର ମେଟ୍ରିକ ଟନ୍ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ତୋଳାଳି ଶୋଷଣର ଶିକାର ନ ହୁଅନ୍ତୁ ଏଥିପାଇଁ ତେନ୍ତୁଳିର ସହାୟକ ମୂଲ୍ୟ ଚଳିତ ବର୍ଷ କେଜି ହିସାବରେ ୩୬ ଟଙ୍କା ରଖାଯାଇଛି। ମାତ୍ର ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଗାଁରେ ମାର୍ଚ୍ଚ ମଝି ସପ୍ତାହରୁ ୨୦ରୁ ୨୫ ଟଙ୍କାରେ ବିକ୍ରି କରିବା ଆରମ୍ଭ କଲେଣି। ଠିକ ସମୟରେ ତୋଳି ବିକ୍ରି ନ କଲେ ଏହା ନଷ୍ଟ ହେବାର ଆଶଙ୍କା ରହିଥିବା ତୋଳାଳିମାନେ କହିଛନ୍ତି। ସଂରକ୍ଷିତ ଗୋଦାମ ଗୃହର ଅଭାବ ଏହାର କାରଣ। ତେଣୁ ବର୍ତ୍ତମାନ ଅନେକ ତେନ୍ତୁଳି ବ୍ୟବସାୟୀଙ୍କ ପାଖକୁ ଚାଲି ଯାଉଥିବା କୁହାଯାଉଛି।
ସାମାଜିକ କର୍ମକର୍ତ୍ତା ଗିରି ରାଓଙ୍କ କହିବା ଅନୁସାରେ, ରାଜ୍ୟର ସମୁଦାୟ ଉତ୍ପାଦନର ୨୦ ପ୍ରତିଶତ ତେନ୍ତୁଳି ହିଁ ଡିଟିସିସି ସଂଗ୍ରହ କରୁଛି। ତେନ୍ତୁଳି ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଅର୍ଥର ଅଭାବ ନାହିଁ। କିନ୍ତୁ ଏହାର ଲାଭ ସ୍ଥାନୀୟ ତୋଳାଳିଙ୍କୁ ମିଳୁନାହିଁ। ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଲଘୁବନଜାତ ଦ୍ରବ୍ୟ ତୋଳାଳିଙ୍କ ସ୍ଥିତିକୁ ନେଇ ଗଠିତ କମିଟିଗୁଡ଼ିକ ଅଚଳ ହୋଇ ପଡ଼ିଛି। ତେନ୍ତୁଳି ସଂରକ୍ଷିତ କରି ରଖିବା ପାଇଁ ଗୋଦାମ ଗୃହ ନାହିଁ। ଏହାର ଯେଉଁଭଳି ବଜାର ଚାହିଦା ରହିଛି ରାଜ୍ୟ ସରକାର ବ୍ୟାବସାୟିକ ରୂପ ଦେଇ ପାରନ୍ତେ। ମାତ୍ର ହୋଇପାରୁ ନାହିଁ। ଓଡ଼ିଶା ଟିଡିସିସିର ସୂଚନା ଅନୁସାରେ, ପ୍ରାଥମିକ ପର୍ଯ୍ୟାୟରେ ଏହି ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଯେତେ ତୋଳାଳି ଆସିବେ ସେତେ ପରିମାଣରେ ତେନ୍ତୁଳି ସଂଗ୍ରହ କରାଯିବ। ଗତବର୍ଷ ୨୧ କୋଟିର ୫୮ ହଜାର କ୍ବିଣ୍ଟାଲ ସଂଗ୍ରହ ହୋଇଥିଲା। ଯାହାକୁ ଇ-ନିଲାମ ଜରିଆରେ ବିକ୍ରି କରାଯାଇଛି। ଓଡ଼ିଶା ୩୨ ପ୍ରତିଶତ କ୍ଷତି ସହିଛି। ଏହା ସତ୍ତ୍ବେ ତେନ୍ତୁଳି ସଂଗ୍ରହ ନେଇ କୌଣସି ଅବହେଳା କରାଯାଉ ନାହିଁ।