ବଲାଙ୍ଗୀର : ବହୁଚର୍ଚ୍ଚିତ ଜାଲ ଟିଡିଆର୍ ମାମଲାରେ ପୂର୍ତ୍ତ ବିଭାଗର ଦୁଇ ସହକାରୀ ଯନ୍ତ୍ରୀଙ୍କୁ ରବିବାର ପୁଲିସ ପଚରା ଉଚରା କରିଛି।
ଏହି ମାମଲାର ମାଷ୍ଟର ମାଇଣ୍ଡ ବଣ୍ଟି ଅଗ୍ରୱାଲକୁ କିଛି ଦିନ ତଳେ ଖରିଆରରୁ ବଲାଙ୍ଗୀର ଜେଲ୍କୁ ଅଣା ଯାଇଥିଲା। ତାକୁ ଟାଉନ୍ ଥାନା ପୁଲିସ ତିନି ଦିନିଆ ରିମାଣ୍ଡରେ ଆଣିଥିଲା। ସେହିପରି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀଙ୍କୁ ପଚରାଉଚୁରା କରିଥିଲା ଟିଡିଆର୍ ମାମଲାରେ। ବ୍ୟାଙ୍କ ଓ ଡାକ ବିଭାଗରୁ କାଗଜ ଓ ଗୁରୁତ୍ୱପୂର୍ଣ୍ଣ ଚିଠି କେମିତି ହେରଫେର ହେଉଥିଲା ତାକୁ ପୁଲିସ ଗୁରୁତ୍ୱ ଦେଇଥିଲା ତଦନ୍ତ ସମୟରେ। ସେହିପରି ମାମଲାରେ ପାଇଥିବା କିଛି ସୂତ୍ରକୁ ଧରି ଏବେ ପୁଲିସ ଛାନ୍ବିନ୍ ଜାରି ରଖିଛି।
କଳାହାଣ୍ଡି ଜିଲ୍ଲା ସୂରଜ ଏଣ୍ଟ୍ରପ୍ରାଇଜେସ୍ର ସତ୍ତ୍ୱାଧିକାରୀ ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲ, ପୁଅ ବଣ୍ଟି ଅଗ୍ରୱାଲ ଓ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲ ନବରଙ୍ଗପୁରରୁ ନେଇ ନୂଆପଡ଼ା, କଳାହାଣ୍ଡି, ବରଗଡ, ବଲାଙ୍ଗୀର ଆଦି ଜିଲ୍ଲାରେ କୋଟି କୋଟି ଟଙ୍କାର ନିର୍ମାଣ କାମ ପାଇଥିଲେ। କଳାହାଣ୍ଡିର ସଚେତନ ନାଗରିକ ମଞ୍ଚ ଜାଲ ଟିଡିଆର୍ ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ଚୂନା ଲଗାଉଥିବା ଅଭିଯୋଗ ଆଣିଥିଲେ। ତା’ପରେ ଖୋଲିଥିଲା ବଣ୍ଟିଙ୍କ କଳାସାମ୍ରାଜ୍ୟର ଗୁମର।