ଟିଡିଆର କେଳେଙ୍କାରୀ: ଜାମିନରେ ଆସିଥିବା ଠିକାଦାର ବଣ୍ଟିକୁ ପୁଣି ଉଠାଇନେଲା ପୁଲିସ

 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବହୁଚର୍ଚ୍ଚିତ ଟିଡିଆର୍‌ (ଟେଣ୍ଡର ଡକ୍ୟୁମେଣ୍ଟ ରିକ୍ବେଷ୍ଟ) କେଳେଙ୍କାରୀ ଘଟଣାର ୪୨୦ ବଣ୍ଟି ଅଗ୍ରୱାଲ ଜେଲ୍‌ ଯିବା ପରେ ଜାମିନରେ ଆସି ପୁନର୍ବାର ନିଜର ଠିକା ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ନିଜ ସମ୍ପର୍କୀୟମାନଙ୍କ ନାମରେ ଠିକା ଟେଣ୍ଡର ପକାଇବାରେ ଲାଗିଛନ୍ତି। ଲାଞ୍ଜିଗଡ଼ ବ୍ଲକ୍‌ରେ ଏକ ରାସ୍ତା ନିର୍ମାଣ କାମକୁ ନେଇ ଧମକ ‌ଚମକ ଦେବା ସହିତ ଭୟଭୀତ କରିବା ଘଟଣାରେ ସୋମବାର ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ୱନାଥପୁର ପୁଲିସ ବଣ୍ଟି ଅଗ୍ରୱାଲଙ୍କୁ ଉଠାଇ ନେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଲାଞ୍ଜିଗଡ ବ୍ଲକ ବନ୍ଧପାରିଠାରୁ କୁବରୀ ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ରାସ୍ତା କାମ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ବେଳେ ଏହି କାମକୁ ବଣ୍ଟି ଅଗ୍ରୱାଲ ଜଣେ ସମ୍ପର୍କୀୟଙ୍କ ଟେଣ୍ଡରରେ ଠିକା କାମ କରୁଥିଲେ। ବନ୍ଧପାରି ଗ୍ରାମର ଧନୁ ଦଳପତିଙ୍କ ଜମିକୁ ଠିକା କ୍ୟାମ୍ପ କରିବା ପାଇଁ ବର୍ଷକୁ ୧୦ ହଜାର ଟଙ୍କା ଦେବେ ବୋଲି ଚୁକ୍ତି କରି ଲିଜ୍‌ରେ ନେଇଥିଲେ। ବର୍ତ୍ତମାନ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଧନୁଙ୍କୁ ଠିକାଦାର ବଣ୍ଟି ଆଜି ପର୍ଯ୍ୟନ୍ତ ଜମି ବାବଦକୁ ଟଙ୍କା ଟିଏ ମଧ୍ୟ ଦେଇନଥିଲେ। ଧନୁ ନିଜ ଜମିର ଲିଜ ପଇସା ମାଗିବାକୁ କିଛିଦିନ ତଳେ ଠିକା କ୍ୟାମ୍ପ ଯାଇ ବଣ୍ଟିଙ୍କ ସୁପରଭାଇଜର ରାମଚନ୍ଦ୍ର ପଟେଲକୁ ଅନୁରୋଧ କରିଥିଲେ।

କିଛି ଦିନ ତଳେ ସୁପରଭାଇଜର ରାମଚନ୍ଦ୍ର ବିଶ୍ୱନାଥପୁର ଥାନାରେ ଧନୁ ତାଙ୍କ ସହିତ ଗଣ୍ଡଗୋଳ କଲେ ବୋଲି ଏକ ଏତଲା ଦେଇଥିଲେ। ଏହାପରେ ଧନୁଙ୍କୁ ପୁଲିସ ଥାନାକୁ ଡାକିଥିଲା। ଧନୁ ଥାନାକୁ ଆସିବା ପରେ ତାଙ୍କ ନାମରେ କେସ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏହା ପରେ ଧନୁ ଭୟଭୀତ ହୋଇ ଠିକାଦାର ବଣ୍ଟିଙ୍କୁ ତାଙ୍କ ନାମରେ ହୋଇଥିବା କେସ୍‌ଟିକୁ ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ। ଠିକାଦାର ବଣ୍ଟି ଏଥିପାଇଁ  ୫୦ ହଜାର ଟଙ୍କା ଦାବି କରିଥିଲେ। ହେଲେ ଧନୁ ଟଙ୍କା ଦେଇ ପାରି ନଥିଲେ। ଭବାନୀପାଟଣା ଆସିଲେ ଗୁଣ୍ଡା ଲଗାଇ ମାରିବେ ବୋଲି ବଣ୍ଟି ଧମକ ମଧ୍ୟ ଦେଇଥିଲେ।

ଫଳରେ ଧନୁ ଭୟଭୀତ ହୋଇ ବିଶ୍ୱନାଥପୁର ପୁଲିସର ଆଶ୍ରୟ ନେଇ ଲିଖିତ ଅଭିଯୋଗ କରିଥିଲେ। ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ଏକ ମାମଲା ରୁଜୁ କରି ବଣ୍ଟିଙ୍କୁ ଥାନାକୁ ଡକାଇଥିଲେ। କିନ୍ତୁ ବଣ୍ଟି ଥାନାକୁ ଆସିନଥିଲେ। ବାରମ୍ବାର ଡାକିବା ପରେ ସୋମବାର ବଣ୍ଟିଙ୍କୁ ଥାନା ଅଧିକାରୀ ଉଠାଇ ଆଣିଥିଲେ। କେସ ନଂ ୪୧/୨୨ ସେକ୍ସନ ୩୪୧/୩୨୩/୨୯୪/୩୪ ଆଇପିସିରେ ଏକ ମାମଲା ରୁଜୁ କରି ବଣ୍ଟିଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚାଲିଥିବା ପୁଲିସ ସୂଚନା ଦେଇଛି। ତୁରନ୍ତ ପୁଲିସ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର