ଓଡ଼ିଶାରେ ଟିଡିଏସ୍‌ ଜାଲିଆତି, ଅନୁସନ୍ଧାନ ଆରମ୍ଭ

ଭୁବନେଶ୍ୱର : କିଛି ଦିନ ତଳେ ସାରା ଦେଶରେ ୩୨୦୦ କୋଟି ଟଙ୍କାର ଟିଡିଏସ୍‌ ଠକେଇ ଧରାପଡ଼ିଥିଲା। ପ୍ରାୟ ୪୪୭ଟି ସଂସ୍ଥା ଏହି ଠକେଇ କରିଥିଲେ। ସେମାନେ କର୍ମଚାରୀଙ୍କଠାରୁ ଟିଡିଏସ୍‌ (ଆୟ ଉତ୍ସରୁ ଟିକସ କାଟ) ଅର୍ଥ ସଂଗ୍ରହ କରୁଥିଲେ, କିନ୍ତୁ ତାହାକୁ ଟିକସ କର୍ତୃପକ୍ଷଙ୍କ ପାଖରେ ଜମା କରୁନଥିଲେ। ଓଡ଼ିଶାରେ ବିଭିନ୍ନ ସଂସ୍ଥା ପକ୍ଷରୁ ୧୦୦ କୋଟିରୁ ଅଧିକ ଟଙ୍କାର ଟିଡିଏସ୍‌ ଜାଲିଆତି କରାଯାଇଥିବା ଜଣାପଡ଼ିଛି। ଟିଡିଏସ୍‌ ପଇଠ ନକରିବା ଆୟକର ଅଧିନିୟମ-୧୯୬୧ ଅନୁସାରେ ଏକ ଅପରାଧ। ଏସବୁ ବେନିୟମ କାରବାର ବିରୋଧରେ ଆୟକର ବିଭାଗ, ଓଡ଼ିଶାର ଟିଡିଏସ୍‌ ଶାଖା ଦ୍ୱାରା ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସର୍ଭେ ଓ ଅନୁସନ୍ଧାନ  କରାଯାଉଛି।

ରାଜ୍ୟରେ କିଛି ଇସ୍ପାତ କଂପାନି, କଣ୍ଟ୍ରାକ୍ଟର, ଜମିବାଡ଼ି ଓ ଘର କିଣାବିକା ବ୍ୟବସାୟରେ ନିୟୋଜିତ କମ୍ପାନିମାନେ କୋଟି କୋଟି ଟଙ୍କାର ଟିକସ ଫାଙ୍କିଥିବାର ପ୍ରମାଣ ଆୟକର ବିଭାଗ ପାଖରେ ରହିଛି। ଅନେକ ସଂସ୍ଥା ଏଭଳି ବେନିୟମ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ସେମାନେ ତ୍ରୈମାସିକ ରିଟର୍ଣ୍ଣ ମଧ୍ୟ ଦାଖଲ କରୁନାହାନ୍ତି। ଆୟକର ବିଭାଗ ପକ୍ଷରୁ ସେମାନଙ୍କ ବିରୋଧରେ ଆୟକର ଅଧିନିୟମ ୧୯୬୧ର ଧାରା ୨୭୬(ଖ) ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ଜରିମାନା ସହିତ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଯିବାକୁ ମଧ୍ୟ ପଡ଼ିପାରେ। ଶହେରୁ ଅଧିକ ଟିକସ ଖିଲାପୀଙ୍କ ବିଧରୋରେ ଏପରି କାର୍ଯ୍ୟାନୁଷ୍ଠାନ କରାଯାଇଥିବା ଜଣାପଡ଼ିଛି। ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବର୍ତିବା ଲାଗି ୩୦ରୁ ଅଧିକ କରଦାତା ଦେୟଯୋଗ୍ୟ କର ଉପରେ  ଜରିମାନା ଦେବାକୁ ସମ୍ମତି ଜଣାଇଛନ୍ତି। ବାକି ଥିବା ଆୟକର ସଂଗ୍ରହ ପାଇଁ ଆୟକର ବିଭାଗ ସମସ୍ତ ପ୍ରକାରର ଆଇନଗତ ପଦକ୍ଷେପ ଯଥା ବ୍ୟାଙ୍କ ଖାତା ଜବତ ଭଳି ପଦକ୍ଷେପ ନେଉଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ୪୦ ହଜାର ଟାନ୍‌ ନମ୍ବରଧାରୀ ରହିଛନ୍ତି ଯେଉଁମାନେ କର୍ମଚାରୀଙ୍କ ଟିଡିଏସ୍‌ କାଟ କରିବା ସହିତ ତାହାକୁ ଟିକସ କର୍ତୃପକ୍ଷଙ୍କ ନିକଟରେ ଜମା କରିଥାନ୍ତି। ରାଜ୍ୟରେ ଏଭଳି ୩୦୦ ସଂସ୍ଥା ରହିଛନ୍ତି ଯେଉଁମାନେ ବିଗତ ଦୁଇ ତିନି ବର୍ଷ ଭିତରେ ୧୦୦ କୋଟିରୁ ଅଧିକ ଟଙ୍କାର ଟିଡିଏସ୍‌ ସଂଗ୍ରହ କରିଛନ୍ତି କିନ୍ତୁ ତାହା ଜମା କରିନାହାନ୍ତି। ଆୟକର ବିଭାଗ ପାଖରେ ଏଭଳି ୫୫୦ଟି ମାମଲା ରହିଛି।

ଅସାଧୁ ଟିକସଦାତା ଗଣିବେ ଜରିମାନା, ଯିବେ ଜେଲ୍‌

ଭୁବନେଶ୍ୱର : ଅସାଧୁ ଟିକସଦାତାଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଯେଉଁମାନେ ଟିକସ ପଇଠ କରିନାହାନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ମାମଲା ଗମ୍ଭୀର ହୋଇଥିଲା ଟିକସଦାତାଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡ଼ିବ। ବିମୁଦ୍ରାକରଣ ପରେ ଯେଉଁ ସଂସ୍ଥା, ବ୍ୟକ୍ତି ଏବଂ ଫାର୍ମ ଏକ କୋଟିରୁ ଅଧିକ ଟଙ୍କା ଜମା କରିଥିଲେ ସେମାନଙ୍କ ଉପରେ ଆୟକର ବିଭାଗ ନଜର ରଖିଛି। ଓଡ଼ିଶାରେ ଏଭଳି ସଂସ୍ଥା ଏବଂ ବ୍ୟକ୍ତିଙ୍କ ସଂଖ୍ୟା ୧୩୭ ଥିବା ବେଳେ ସାରା ଭାରତରେ ସେମାନଙ୍କ ସଂଖ୍ୟା ୧୦,୨୩୮ ରହିଛି।

୨୦୧୬ ନଭେମ୍ବରରୁ ୨୦୧୭ ମାର୍ଚ ଭିତରେ ଏହି ସବୁ ସଂସ୍ଥା ଏବଂ ବ୍ୟକ୍ତି ଏକ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଜମା କରିଥିଲେ।  ଓଡ଼ିଶାର ୩୫୯୩ ଜଣ ଟିକସଦାତା ଅଛନ୍ତି ଯେଉଁମାନେ ବିମୁଦ୍ରାକରଣ ସମୟରେ ୨୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଅର୍ଥ ବ୍ୟାଙ୍କରେ ଜମା କରିଥିଲେ। ସେମାନଙ୍କ ମଧ୍ୟରୁ ୨୪୬୦ ଜଣ ଏ ପର୍ଯ୍ୟନ୍ତ ଟିକସ ରିଟର୍ଣ୍ଣ ଦାଖଲ କରିନାହାନ୍ତି। ଟିକସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଚଳିତ ବର୍ଷ ମାର୍ଚ ୩୧ ରହିଛି। ଯେଉଁମାନେ ଏହି ସମୟ ସୀମା ଭିତରେ ରିଟର୍ଣ୍ଣ ଦାଖଲ ନକରିବେ ସେମାନଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର