ଚା’ ଓ ଚାବି ବଞ୍ଚାଇଦେଲା ୪ ଜୀବନ

ଯାଜପୁର: କୋରେଇ ରେଳ ଷ୍ଟେସନରେ ଆଜିର ରେଳ ଦୁର୍ଘଟଣା ବେଳେ ଚା’ ଓ ଚାବି ୪ଜଣଙ୍କ ଜୀବନ ବଞ୍ଚାଇ ଦେଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାର୍ବତୀ ବିନ୍ଧାଣୀଙ୍କ ଜୋଇଁ ବଳରାମ ସେହି ସମୟରେ ଚା’ ଆଣିବା ପାଇଁ ଷ୍ଟେସନ ନିକଟରେ ଥିବା ଏକ ଦୋକାନକୁ ଯାଇଥିଲେ। ସାଙ୍ଗରେ ସେ ତାଙ୍କ ପୁଅ ବିଶ୍ବଜିତକୁ ନେଇଯାଇଥିଲେ। ଫଳରେ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲା। ସେହିପରି ଧନେଶ୍ବର ପଞ୍ଚାୟତ ମୃତ୍ୟୁଞ୍ଜୟପୁର ବାଡ଼ା ଗ୍ରାମର ପ୍ରଶାନ୍ତ ପ୍ରତିହାରୀ ଓ ତାଙ୍କ ପତ୍ନୀ ମେମୁ ଟ୍ରେନ୍‌ରେ କଟକ ବଡ଼ ଡାକ୍ତରଖାନାକୁ ଯିବା ପାଇଁ ଷ୍ଟେସନକୁ ଆସିଥିଲେ।

କୋରେଇ ଷ୍ଟେସନ ବଜାରରେ ଥିବା ପ୍ରଶାନ୍ତଙ୍କ ଦ‌ୋକାନରେ ତାଙ୍କ ପତ୍ନୀଙ୍କ ବିଭିନ୍ନ ନିଦାନ ରିପୋର୍ଟ ରହିଯାଇଥିଲା। ହେଲେ ସେ ଭୁଲିଯାଇ ଘରେ ଦୋକାନ ଚାବି ଛାଡ଼ି ଆସିଥିଲେ। ଦୋକାନରୁ ପରୀକ୍ଷାନିରିକ୍ଷା ରିପୋର୍ଟ ବାହାର କରିବା ପାଇଁ ସେ ଦୋକାନ ଚାବି ଆଣିବାକୁ ଷ୍ଟେସନରୁ ଫେରିଯାଇଥିଲେ। ଏହି ସମୟରେ ‌ଦୁର୍ଘଟଣା ଘଟିଥିଲା। ସେ ରକ୍ଷା ପାଇଯିବା ସହିତ ପ୍ଲାଟ୍‌ଫର୍ମରେ ବହୁ ଆଗକୁ ଚାଲିଯାଇଥିବାରୁ ତାଙ୍କ ପତ୍ନୀ ମଧ୍ୟ ରକ୍ଷା ପାଇଯାଇଥିଲେ।

ସମ୍ବନ୍ଧିତ ଖବର