କେନ୍ଦୁଝର: ଦିନେ ଏଠାରେ ଥିଲା ବିସ୍ତୀର୍ଣ୍ଣ ଚା ବଗିଚା। ଏକହଜାର ଶ୍ରମିକ ଏଠାରେ କାମ କରି ଗୁଜୁରାଣ ମେଣ୍ଟାଉଥିଲେ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ତରମାକାନ୍ତଠାରେ ଥିବା ଏହି ଚା ବଗିଚାରେ ଏବେ ଦିନରେ ଗୃହପାଳିତ ପଶୁ ଚରୁଥିବା ବେଳେ ରାତିରେ କାଠ ମାଫିଆଙ୍କ ଆଡ଼ାସ୍ଥଳ ପାଲଟିଛି। ୧୯୮୨ରେ ଏହି ଚା ବଗିଚା ପ୍ରତିଷ୍ଠା ହୋଇଥିଲା। ଏଥି ପାଇଁ ସ୍ଥାନୀୟ ଅଞ୍ଚଳର କେତେକ ଆଦିବାସୀଙ୍କ ଜମି ସହ ଜଙ୍ଗଲଜମିକୁ ମିଶାଇ ମୋଟ ୮୯୬.୫୪ ହେକ୍ଟର ଜମି ଅଧିଗ୍ରହଣ କରାଯାଇଥିଲା। ରାଜ୍ୟ ସରକାର ଓ ଉକ୍ତ କମ୍ପାନିର ମିଳିତ ଉଦ୍ୟମରେ ଗଢ଼ା ଯାଇଥିବା ‘ଓଡ଼ିଶା ଟି ପ୍ଲାଣ୍ଟେସନ ଲି.’ ଦେଶବିଦେଶର ବିଭିନ୍ନ ସ୍ଥାନକୁ ଚା ରପ୍ତାନି କରି ବେଶ୍ ଲାଭବାନ ହୋଇଥିଲା।
ଏଠାରେ ଅଫିସ କାମ ପାଇଁ ୧୨ଜଣ, ବୈଷୟିକ କାମ ପାଇଁ ୨୯ଜଣ, ନିୟମିତ ଶ୍ରମିକ ୧୪୯ଜଣଙ୍କୁ ପ୍ରାଥମିକ ଭାବେ ନିଯୁକ୍ତି ଦିଆଯାଇଥିଲା। ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରାୟ ଏକହଜାର ଶ୍ରମିକ ଏଠାରେ କାମଧନ୍ଦା କରୁଥିଲେ। ୧୯୮୩ରୁ ଏଠାରେ କାରବାର ଆରମ୍ଭ ହୋଇ ୨୦୦୨ ବେଳକୁ ବ୍ୟବସାୟ ସଫଳତାର ଶୀର୍ଷ ଛୁଇଁଥିଲା। ଏଠାରେ ଉତ୍ପାଦିତ ହେଉଥିବା ଚା’ର ଏକ ସ୍ୱତନ୍ତ୍ର ଚାହିଦା ବିଶ୍ୱ ବଜାରରେ ରହିଥିଲା।ଆରମ୍ଭରୁ ଲାଭରେ ଚାଲିଥିବା ଏହି ପ୍ରକଳ୍ପ ହଠାତ୍ ୨୦୦୩ ବେଳକୁ ଧିମେଇ ଯାଇଥିଲା। ସରକାରଙ୍କ ଆନ୍ତରିକତା ଅଭାବ କିମ୍ବା ପରିଚାଳନାଗତ ତ୍ରୁଟି ପାଇଁ ୨୦୦୩-୦୪ ମସିହା ବେଳକୁ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତରମାକାନ୍ତରେ ଗଢ଼ି ଉଠିଥିବା ଚା କାରଖାନାର ମୂଲ୍ୟବାନ ଯନ୍ତ୍ରାଂଶ, କର୍ମଚାରୀଙ୍କ କ୍ୱାର୍ଟର୍ସ, ବେଲଜିୟମ କାଚରେ ନିର୍ମିତ ହୋଇଥିବା ଏହାର ଆକର୍ଷଣୀୟ ତଥା ବିଳାସମୟ ଅତିଥି ଗୃହ ଓ ଚା ବଗିଚା ଧ୍ୱଂସ ପାଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/54s65465fhfhfh.jpg)