ଫୁଲବାଣୀ : ବିଶ୍ବର ପ୍ରମୁଖ ଦେଶଗୁଡିକରେ କରୋନା ସଂକ୍ରମଣ ବଢିଚାଲିଛି । ଆମେରିକା,ଇଟାଲି ଭଳି ବହୁ ବିକଶୀଳ ଦେଶରେ କରୋନା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ହେଲେ ଭାରତରେ ଲକ୍ ଡାଉନ ଯୋଗୁ ହିଁ କରୋକାକୁ ରୋକାଯାଇ ପାରିଛି। ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ ପରେ ଆସନ୍ତା ୪ରୁ ପୁଣି ୨ ସପ୍ତାହ ଲକ୍ ଡାଉନ ବୃଦ୍ଧି ହେଉଛି। ହେଲେ ଲକ୍ ଡାଉନ ଯୋଗୁଁ ଜୀବନ ଜୀବିକା ହରାଉଥିବା ଦୋକାନୀଙ୍କ ପାଇଁ କିଛି କଟକଣା କୋହଳ କରାଯାଇଛି। ଯଦିଓ ଏହା ମଧ୍ୟରେ ବହୁ ଛୋଟଛୋଟ ଦୋକାନୀ ଜୀବନ ଜୀବିକା ପାଇଁ ବେଉଷା ବଦଳାଇ ସାରିଲେଣି। ହେଲେ ତୃତୀୟ ପର୍ଯ୍ୟାୟରେ ଲକ୍ ଡାଉନ ବି ଚା ଦୋକାନ ଖୋଲିବା ଉପରେ କଟକଣା ବଳବତ୍ତର ରହିଛି। ତେଣୁ ବାଧ୍ୟ ହୋଇ ଫୁଲବାଣୀରେ ଚା ଦୋକାନ କରି ଜୀବନ ଜୀବିକା ନିର୍ବାହ କରୁଥିବା ଦୋକାନୀମାନେ ବଡ ଦୁଃଖରେ ଦିନ କାଟୁଛନ୍ତି। ଅନ୍ୟ କିଛି ଉପାୟ ନଥିବାରୁ ଫୁଲବାଣୀ ସହର କୋର୍ଟ ଛକରେ ୩୦ ବର୍ଷ ହେଲା ଚା ଦୋକାନ ଦେଇଥିବା ଭାସ୍କର ଡକୁଆ ଆଜିଠାରୁ ଚା ଦୋକାନରେ ଚା ବଦଳରେ ଆମ୍ବ, ପାରଁରୁଟି, ଅଣ୍ଡା ଓ କ୍ଷୀର ବିକିବା ଆରମ୍ଭ କରିଛନ୍ତି।

Advertisment

ଦେଢ ମାସ ହେଲା ରୋଜଗାର ବନ୍ଦ। ସକାଳେ ଓ ସଂଧ୍ୟାରେ ଚା ଦୋକାନରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳିବାରେ ସାହାଯ୍ୟ କରେ। ତାଙ୍କୁ ଏହି କାମରେ ସାହାଯ୍ୟ କରନ୍ତି ସାନ ପୁଅ ବିଷ୍ଣୁ। ଲକ୍ ଡାଉନ ଯୋଗୁ ରୋଜଗାର ବନ୍ଦ ହେଲା। ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ଘୋଷଣାରେ ଚା ଦୋକାନ ଖୋଲିବାକୁ ଅନୁମତି ମିଳିବ ବୋଲି ଆଶା ରଖିଥିଲି। ହେଲେ ଚା ଦୋକାନ ଖୋଲିବା ନେଇ କଟକଣା ବଳବତ୍ତର ରହିବାରୁ ବାଧ୍ୟ ହୋଇ ଅନ୍ୟ ବେପାର କରିବାକୁ ବାଧ୍ୟ ହେଲି ବୋଲି କହନ୍ତି ଭାସ୍କର। ଏବେ ଆମ୍ବ, ପାଉଁରୁଟି, ଅଣ୍ଡା ଓ କ୍ଷୀର ବିକ୍ରି କରିବା ଆରମ୍ଭ କରିଛି। କାରବାର ସେମିତି ସେତେଟା ଭଲ ହେଉ ନାହିଁ। କଟକଣା ମୁକ୍ତ ହେଲେ ପୁଣି ଚା ଦୋକାନ ଖୋଲିବେ ବୋଲି ଭାସ୍କର କହିଛନ୍ତି। କେବଳ ଭାସ୍କର ନୁହଁନ୍ତି ଏମିତି ଫୁଲବାଣୀ ସହରରେ ସବୁ ଚା ଦୋକାନୀ ବହୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। କେହି ପେଟପାଟଣା ପାଇଁ ବେଉଷା ବଦଳାଲେଣି ତ ଆଉ କିଏ କଟକଣା କୋହଳକୁ ଚାହିଁ ବସିଛନ୍ତି।