ସରକାରଙ୍କ ଦୃଷ୍ଟି ପଡ଼ୁ: ଶିକ୍ଷକ ସଂଘର ଗଣଧାରଣା ଜାରି, ବିଦ୍ୟାଳୟରେ ତାଲା

ରାୟଗଡ଼ା: ଓଡ଼ିଶା ସାରା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ୩ଦଫା ଦାବି ପୁରଣ ପାଇଁ ଗଣଧାରଣା ନିମନ୍ତେ ଦିଆଯାଇଥିବା ଡାକରାରେ ରାୟଗଡା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ସମର୍ଥନ ଜଣାଇ ରାୟଗଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଗଣଧାରଣାରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବସିଛନ୍ତି। ଫଳରେ ଜିଲ୍ଲାର ପ୍ରାଥମିକ ସ୍କୁଲଗୁଡିକରେ ତାଲା ପଡ଼ିଥିବା ବେଳେ ମଧ୍ୟାହ୍ନ ଭୋଜନରୁ ବଂଚିତ ହୋଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ। ଏନେଇ ସରକାର ତୁରନ୍ତ ଦୃଷ୍ଟି ନଦେଲେ ପିଲାଙ୍କ ଭବିଷ୍ୟତ ବିଗିଡିବ ବୋଲି କୁହାଯାଇଛି। ସଂଘର ୩ ଦଫା ଦାବିଗୁଡିକ ମଧ୍ୟରୁ ପ୍ରଥମଟି ହେଲା ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଛେଦ କରିବା, ଶିକ୍ଷକର୍ମୀ ଓ ଶିକ୍ଷା ସହାୟକଙ୍କୁ ଠିକା କାର୍ଯ୍ୟକାଳକୁ ହଟାଇ ମୂଳ ଚାକିରିରେ ଗଣନା କରିବା ଏବଂ ଏକ୍ସ କ୍ୟାଡେର ଶିକ୍ଷକ ଓ ବହୁଭାଷୀ ଶିକ୍ଷକ, କଳା, କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକରେ ମାନ୍ୟତା ପ୍ରଦାନ କରିବା। ଦ୍ୱତୀୟ ଦାବିଟି ହେଲା ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବେଲ ୯ ଗ୍ରେଡ଼ ପେ ଅନୁଯାୟୀ ୪୨୦୦ ପ୍ରଦାନ କରିବା ଓ ତୃତୀୟ ଦାବି ହେଲା ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନ ପୁଣିଥରେ ପ୍ରଚଳନ କରାଯିବା ଦାବିରେ ଶିକ୍ଷକମାନେ ଏହି ଗଣଧାରଣାରେ ଦୀର୍ଘ ୪ ଦିନ ଧରି ବସିଛନ୍ତି।

ସରକାର ବାରମ୍ବାର ଦିନରେ ଲଣ୍ଠନରେ ଆଲୁଅ ଦେଖାଇଲା ପରି ପ୍ରତିଶ୍ରୁତି ଦେଇ ଦିବା ସ୍ବପ୍ନ ଦେଖାଇବା ସହିତ ଆମକୁ ପ୍ରତାରଣା କରୁଛନ୍ତି ବୋଲି ସେଥିପାଇଁ ଆମେ ଆମର ଦାବି ହାସଲ ପର୍ଯ୍ୟନ୍ତ ଗଣଧାରଣା ଚାଲୁରହିବ ବୋଲି କହିଛନ୍ତି ଗଣଧାରଣାରତ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ। ଏହି ଗଣଧାରଣାରେ ବସିଥିବା ଅଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନକୁ ଏନ ପି ଏସ, କନିଷ୍ଠ ଶିକ୍ଷକ, ଏକ୍ସ କେଡର ଶିକ୍ଷକ,ବହୁ ଭାଷୀ ଶିକ୍ଷକ, ଗଣ ଶିକ୍ଷକ ସଙ୍ଘ ନିଜର ସମର୍ଥନ ଜଣାଇ ସ୍କୁଲ ବନ୍ଦ କରି ଧାରଣାରେ ବସିବା ନିମନ୍ତେ ରାୟଗଡା ଗୋଷ୍ଠୀ ଶିକ୍ଷଧିକାରୀଙ୍କ ଅନୁପସ୍ଥିତ ଅତିରିକ୍ତ ଗୋଷ୍ଠୀ ଶିକ୍ଷଧିକାରୀ ବାଗ୍ରାହୀ ଶବର ଓ ଜ଼ିଲ୍ଲା ଶିକ୍ଷା ଆଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହାଙ୍କୁ ସୂଚନା ଦେଇଥିବା ଜଣାପଡିଛି।

ଗୋଷ୍ଠୀ ଶିକ୍ଷାଧିକାରୀ ଓ ଜ଼ିଲ୍ଲା ଶିକ୍ଷଧିକାରୀଙ୍କୁ ସୂଚନା ଦେବା ସମୟରେ ଜ଼ିଲ୍ଲା ସଭାପତି ଏୟୁଟିଏଫ ଅଜିତ କୁମାର ଚୌଧୁରୀ, ଜ଼ିଲ୍ଲା ସାଧାରଣ ସମ୍ପାଦକ ନୀଳାଞ୍ଚଳ ମିଶ୍ର, ରାଜ୍ୟ ଉପସଭାପତି ନରେଶ ସିଂ, ରାଜ୍ୟ ଆଞ୍ଚଳିକ ସମ୍ପାଦକ ଦୀପକ କୁମାର ରାଉତ, ଆବାହକ ପ୍ରମୋଦ କୁମାର ପଣ୍ଡା, ରାୟଗଡା ବ୍ଲକ ସଭାପତି ସଦାନନ୍ଦ ନାୟକ, ବ୍ଲକ ସମ୍ପାଦକ ଦୁର୍ଗସନ୍ୟାସୀ ବେହେରା, ଗଙ୍ଗାରଜୁ ପ୍ରସାଦ ବ୍ରହ୍ମା, ମନରଞ୍ଜନ ମିଶ୍ର,ଏଲ ସତୀଶ, ସୁରେଶ ମହାନ୍ତି, ତନୁଶ୍ରୀ ସ୍ମରଣୀକା ମିଶ୍ର, ସୋମନାଥ ଗରଡ଼ାଙ୍କ ସମତେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ସ୍କୁଲରେ ପାଠ ପଢ଼ା ସାଙ୍ଗକୁ ମଧ୍ୟାହ୍ନ ଭୋଜନ ବାଧା ପ୍ରାପ୍ତ ହୋଇଥିବାରୁ ସାଧାରଣ ସମ୍ପାଦକ ନୀଳାଞ୍ଚଳ ମିଶ୍ର ଦୁଃଖ ପ୍ରକାଶ କରିବା ସହିତ ନିଜର ହକ ଦାବି ପାଇଁ ଲଡ଼ୁଛୁ ବୋଲି କହିଥିଲେ। ସେହିପରି ଶିକ୍ଷୟତ୍ରୀ ତନୁଶ୍ରୀ କହିଛନ୍ତି ଯେ ଛୁଆ ଜନ୍ମ ହେଲେ ପ୍ରଥମେ ତାହାର ଦାୟିତ୍ୱ ମା ବାପା ନେଇଥାନ୍ତି। ଠିକ ସେହିପରି ଶିଶୁଟି ପ୍ରଥମେ ସ୍କୁଲକୁ ପଢିବା ପାଇଁ ଆସିଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ତାହାର ଶିକ୍ଷା ଦାୟିତ୍ୱ ନେଇ ଉଚ୍ଚ ଶିକ୍ଷା ଦେଇଥାନ୍ତି। କିନ୍ତୁ ଦୁର୍ଭାଗ୍ୟ ଯେ ପ୍ରାଥମିକ ଶିକ୍ଷକକୁ ହିଁ ସରକାର ଅଣଦେଖା କରୁଛନ୍ତି। ସେଥିପାଇଁ ଆମର ହକ ପାଇଁ ଆମେ ଗଣଧାରଣାରେ ଆମର ଦାବି ହାସଲ ପର୍ଯ୍ୟନ୍ତ ବସିବୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର