ଡିସେମ୍ବର ୨୦ ଯାଏଁ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସମୟ ମଧ୍ୟରେ ନିଷ୍ପତ୍ତି ନିଆ ନହେଲେ ପୁଣି ଓହ୍ଲାଇବେ ରାସ୍ତାକୁ

ଭୁବନେଶ୍ବର: ଲୋୟର ପିଏମ୍‌ଜିରେ ଗତ ୨୭ ତାରିଖଠାରୁ ଆରମ୍ଭ ହୋଇଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ବୁଧବାର ସ୍ଥଗିତ ହୋଇଛି। ଆଜି ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ପରେ  ଶିକ୍ଷକ ମହାସଂଘ ଏହିଭଳି ନିଷ୍ପତ୍ତି ନେଇଛି। ତେବେ ଶିକ୍ଷକମାନଙ୍କ ତିନି ଦଫା ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମୟସୀମା ଅନୁଯାୟୀ ୨୦ ତାରିଖ ମଧ୍ୟରେ ନିଷ୍ପତ୍ତି ନିଆ ନଗଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ସଂଘ ଚେତାବନୀ ଦେଇଛି।

ଶିକ୍ଷକ ମହାସଂଘର ନିଷ୍ପତ୍ତି ପୂର୍ବରୁ ବୁଧବାର ଅପରାହ୍ନରେ ପ୍ରାଥମିକ ଶିକ୍ଷକ ସଂଘ ଏବଂ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ହୋଇଥିବା ନିଷ୍ବତ୍ତି ଅନୁସାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏଥିରେ ଉନୟନ କମିସନର, ଅର୍ଥ ବିଭାଗ ସଚିବ ଏବଂ ଗଣଶିକ୍ଷା ବିଭାଗ ସଚିବ ରହିବେ। ଏହି କମିଟି ଆସନ୍ତା ଡିସେମ୍ବର ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଶିକ୍ଷକଙ୍କ ଦାବି ନେଇ ଆଲୋଚନା କରିବ ଏବଂ ନିଷ୍ପତ୍ତି ନେବ।

ସୂଚନାଯୋଗ୍ୟ, ଗତ ରବିବାର ଦିନ ଠାରୁ ଶିକ୍ଷକମାନେ ୩ଦଫା ଦାବି ପୂରଣ ନେଇ ଜିଦ୍‌ରେ ଅଟଳ ଅଟଳ ଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାଜଧାନୀ ଛାଡ଼ିବେ ନାହିଁ କି ପିଲାଙ୍କ କ୍ଲାସ ନେବେନି ବୋଲି ଚେତାବନୀ ଦେଇଥିଲେ। ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଗୁରୁବାରଠାରୁ ସାମୂହିକ ଛୁଟିରେ ଯିବେ ବୋଲି ଧମକ ଦେଇଥିଲେ। ପିଲାଙ୍କ ପାଠପଢ଼ାରେ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶିକ୍ଷକମାନେ କହିଥିଲେ। ଆନ୍ଦୋଳନର ତୃତୀୟ ଦିନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ନେତାମାନଙ୍କ ଆଲୋଚନା ବିଫଳ ହେବା ପରେ ଏଭଳି ଚରମବାଣୀ ଶୁଣାଇଥିଲେ।

ସମ୍ବନ୍ଧିତ ଖବର