ରାସ୍ତାରୋକ ପରେ​ ହେଲା ଶିକ୍ଷକ ନିଯୁକ୍ତି

ଯାଜପୁରସଦର : ରାସ୍ତାରୋକ ପରେ ହେଲା ଶିକ୍ଷକ ନିଯୁକ୍ତି। ଯାଜପୁର ସହର ମାର୍କେଟ ଛକରେ ଥିବା ବାଳାଶ୍ରମ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଆଜି ପୂର୍ବାହ୍ନରେ ଛାତ୍ରଛାତ୍ରୀ ଓ ଅଭିଭାବକ ବିରଜା ରିଂ ରୋଡ୍‌କୁ ଟାୟାର ଜାଳି ଅବରୋଧ କରିଥିଲେ। ଏହାପୂର୍ବରୁ ମଧ୍ୟ ଛାତ୍ରଛାତ୍ରୀମାନେ ଶିକ୍ଷକ ନିଯୁକ୍ତି ଦାବି କରି ରାସ୍ତାରୋକ କରିଥିଲେ। ସେତେବେଳେ ତୁରନ୍ତ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ତାହା ପୂରଣ କରାଗଲା ନାହିଁ। ତେଣୁ ଆଜି ପୁଣି ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାରୋକ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା।

ମିଳିଥିବା ସୂଚନା ଅନୁସାରେ ବାଳାଶ୍ରମ ପ୍ରାଥମିକ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଥିଲେ। ସେଥିମଧ୍ୟରୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ଅନ୍ୟ ଜଣେ ଶିକ୍ଷକ ସ୍ୱାସ୍ଥ୍ୟଗତ କାରଣରୁ ପାଠ ପଢ଼ାଇ ପାରୁନାହାନ୍ତି। ଏହାଦ୍ବାରେ ଶିକ୍ଷାଦାନ ବ୍ୟାହତ ହେଉଥିବାରୁ ଆଜି ରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ। ଖବର ପାଇ ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମନୋରଞ୍ଜନ ଜେନା ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ତୁରନ୍ତ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବ୍ଲକ ଶିକ୍ଷାଧିକାରୀ ସ୍ମୃତିରେଖା ନାୟକ ଏହାର କିଛି ସମୟ ମଧ୍ୟରେ ସହକାରୀ ଶିକ୍ଷକ ମାନସ ରଞ୍ଜନ ପଣ୍ଡାଙ୍କୁ ବାଳାଶ୍ରମ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ଦେଇ ଆଜି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦେଇଥିଲେ। ପୂର୍ବରୁ ଶ୍ରୀ ଜେନା ବିଚିତ୍ରପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି ଯେ ବାଳାଶ୍ରମ ପ୍ରାଥମିକ ବିଦ୍ୟାଳୟରେ ୬୦ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୨ଜଣ ଶିକ୍ଷକ ଅଛନ୍ତି। ନିୟମ ଦୃଷ୍ଟିରୁ ଏଠାରେ ୨ଜଣ ଶିକ୍ଷକ ରହିବା କଥା। ଜଣେ ଶିକ୍ଷକ ସ୍ୱାସ୍ଥ୍ୟଗତ କାରଣରୁ ପାଠ ପଢ଼ାଇ ପାରୁନାହାନ୍ତି ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର