ଲାଞ୍ଜିଗଡ଼ : ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଗୁଣ୍ଡୁରି ପଞ୍ଚାୟତ ଶୋଷପଦର ସ୍କୁଲର ଶିକ୍ଷକ ମନୋରଞ୍ଜନ ନନ୍ଦଙ୍କୁ ପୁଲିସ ଗିରଫ କରିଛି। ଏ ସଂପର୍କରେ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।
ଏସ୍ପି ଡ. ବିବେକ ଶ୍ରବଣ ଦେଇଥିବା ସୂଚନା ଅନୁସାରେ, ଶିକ୍ଷକ ନନ୍ଦ ଜଣେ ଲୋକଙ୍କ ଠାରୁ ୭ ଲକ୍ଷ ୬ ହଜାର ଟଙ୍କା ଚାକିରି ଦେବା ନାଁରେ ଠକି ନେଇଛନ୍ତି। ସେ ଚାକିରି ପାଇଁ ଜିଲ୍ଲାପାଳଙ୍କ ନକଲି ଦସ୍ତଖତ ଓ ନକଲି ଚିଠି ତିଆରି କରି ଲୋକଙ୍କୁ ଠକିଥିବା ପ୍ରକାଶ କରିଥିଲେ। ଶିକ୍ଷକ ନନ୍ଦ ଚାକିରି ଆଳରେ ଆଉ କାହାଠାରୁ ଯଦି ଟଙ୍କା ଠକି ନେଇଛନ୍ତି ତୁରନ୍ତ ପୁଲିସ ପାଖରେ ଅଭିଯୋଗ କରିବାକୁ ଏସ୍ପି ପରାମର୍ଶ ଦେଇଥିଲେ। ଶିକ୍ଷକ ନନ୍ଦ ଲାଞ୍ଜିଗଡ଼ ବ୍ଲକ୍ ଗୁଣ୍ଡୁରି ପଞ୍ଚାୟତ ଶୋଷପଦର ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ତାଙ୍କୁ ନର୍ଲା ବ୍ଲକ୍କୁ ଡେପୁଟେସନରେ ପଠାଯାଇଛି ବୋଲି ଲାଞ୍ଜିଗଡ଼ ବ୍ଲକ୍ ଶିକ୍ଷା ଅଧିକାରୀ ସଞ୍ଜୀବ ନାଏକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଶିକ୍ଷକ ନନ୍ଦଙ୍କୁ ଭବାନୀପାଟଣା ଟାଉନ ଥାନା କେସ ନଂ ୧୧୩/୧୫.୩.୨୨ ଆଇପିସି ଧାରା ୪୨୦/ ୪୬୬/ ୪୬୮/ ୪୭୦/ ୪୭୧ ଅନୁସାରେ କୋର୍ଟ ଚାଲାଣ କରାଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।