ରାଉରକେଲା: ସାନଭାଇର ସ୍କୁଲ ଫି’ ଛାଡ଼ ଓ ଚାକିରି ଲୋଭ ଦେଖାଇ ସ୍କୁଲର ମାଲିକ-ଶିକ୍ଷକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି। ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ଗତ ୬ ମାସ ମଧ୍ୟରେ ବିନା କାରଣରେ ତାଙ୍କୁ ସ୍କୁଲକୁ ଡାକି ୩/୪ଥର ଏଭଳି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଯୁବତୀଙ୍କ ଲିଖିତ ଏତଲା ଆଧାରରେ ବନ୍ଧମୁଣ୍ଡା ପୁଲିସ ସ୍କୁଲର ଶିକ୍ଷକ ତଥା ମାଲିକଙ୍କୁ ଗିରଫ କରିଛି । ଏହି ଶିକ୍ଷକଙ୍କ ନାମ ବିଭୁତି ଗୁପ୍ତା ହୋଇଥିବା ପୁଲିସ ସରକାରୀ ହସ୍ପିଟାଲରେ ଯୁବତୀଙ୍କର ଡାକ୍ତରୀମାଇନା କରିବା ସହ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନାମୁତାବକ, ବନ୍ଧମୁଣ୍ଡା ଶୀତଳନଗରରେ ଯୁବତୀ ଜଣକ ନିଜର ପରିବାର ସହ ରହନ୍ତି। ତାଙ୍କ ସାନ ଭାଇ ବନ୍ଧମୁଣ୍ଡା ବି-ସେକ୍ଟର୍ର ଏକ ଘରୋଇ ହିନ୍ଦୀ ମାଧ୍ୟମ ସ୍କୁଲ୍ରେ ପାଠ ପଢ଼ନ୍ତି। ପରିବାର ଆର୍ଥିକ ସ୍ଥିତି ଭଲ ନଥିବାରୁ ଯୁବତୀ ତାଙ୍କ ସାନଭାଇର ଦୁଇ ବର୍ଷର ସ୍କୁଲ ଫି’ ଦେଇ ପାରି ନଥିଲେ। ଏଥିପାଇଁ ସ୍କୁଲ ଶିକ୍ଷକ ତଥା ମାଲିକ ଯୁବତୀଙ୍କ ପିତାମାତାଙ୍କୁ ସ୍କୁଲ ଆସିବାକୁ ଗତ ୬ ମାସ ତଳେ ଖବର ଦେଇଥିଲେ। ସ୍କୁଲ ମାଲିକଙ୍କ ଖବର ପାଇ ଅଭିଭାବକ ଭାବେ ଯୁବତୀ ଜଣକ ଭାଇର ବକେୟା ସ୍କୁଲ ବାବଦରେ କଥା ହେବାକୁ ଦିନେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ସ୍କୁଲକୁ ଯାଇଥିଲେ। ସ୍କୁଲ ମାଲିକ ଯୁବତୀଙ୍କୁ ଏକାକୀ ଦେଖି ନିଜ ଚାମ୍ବରକୁ ଡାକି ଭାଇର ବକେୟା ଫି’ ଦେବାକୁ ଧମକ ଦେଇଥିଲେ। ଯୁବତୀ ଜଣକ ବକେୟା ଫି ଦେବାକୁ ଅସମର୍ଥ ବୋଲି ସ୍କୁଲ ମାଲିକଙ୍କୁ କହିଥିଲେ। ଏକ ସପ୍ତାହ ମଧ୍ୟରେ ବକେୟା ଫି’ ଜମା ନ କଲେ ଭାଇକୁ ସ୍କୁଲରୁ ବିଦା କରି ଦିଆଯିବ ବୋଲି ରୋକ୍ଠୋକ୍ କହିଥିଲେ। ସ୍କୁଲ ମାଲିକଙ୍କଠାରୁ ଏପରି କଥା ଶୁଣି ଯୁବତୀ ଜଣକ ଘରକୁ ଫେରି ଆସିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବାପାମା’ଙ୍କୁ ସବୁ କଥା କହିଥିଲେ। ସାତ ଦିନ ମଧ୍ୟରେ ଅର୍ଥ ଯୋଗାଡ଼ ହୋଇ ନପାରିବାରୁ ଯୁବତୀ ଜଣକ ପୁଣି ସ୍କୁଲ ମାଲିକଙ୍କ ନିକଟକୁ ଗୁହାରି କରିବାକୁ ଯାଇଥିଲେ। ତେବେ ସ୍କୁଲ ମାଲିକ ପରିସ୍ଥିତିର ସୁଯୋଗ ନେଇ ଯୁବତୀଙ୍କୁ ନିଜ ଚାମ୍ବରକୁ ଡାକି ନେଇଥିଲେ। ସେଠାରେ ଚାକିରି ଓ ଭାଇର ଦୁଇ ବର୍ଷର ସ୍କୁଲ ଫି’ ଛାଡ଼ କରିଦେବାର ଲୋଭ ଦେଖାଇ ଦୁଷ୍କର୍ମ କରିଥିଲେ। ଏପରି ଭାବେ ଗତ ୬ ମାସ ଭିତରେ ବିଭିନ୍ନ ଆଳ ଦେଖାଇ ଯୁବତୀଙ୍କୁ ସେ ବାରମ୍ବାର ସ୍କୁଲକୁ ଡାକି ଦୁଷ୍କର୍ମ କରିଥିଲେ।
ଏ ସଂକ୍ରାନ୍ତ କାହାକୁ କହିଲେ ଯୁବତୀ ଓ ତାଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ବି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଯୁବତୀ ଜଣକ ନିକଟରେ ରାଉରକେଲା ଏସ୍ପି କେ. ଶିବା ସୁବ୍ରମଣିଙ୍କୁ ସାକ୍ଷାତ କରି ସମସ୍ତ କଥା କହିବା ପରେ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ବନ୍ଧମୁଣ୍ଡା ପୁଲିସ ମଙ୍ଗଳବାର ବନ୍ଧମୁଣ୍ଡା ମାର୍କେଟରୁ ସ୍କୁଲ ମାଲିକଙ୍କୁ ଉଠାଇ ନେଇଥିଲା। ଏହା ପରେ ଆଜି ତାଙ୍କୁ ଗିରଫ କରାଯାଇଛି | ସୂଚନାଯୋଗ୍ୟ, ଅଟକ ସ୍କୁଲ ମାଲିକଙ୍କର ବିଶ୍ରାରେ ଏକ ଇଂରାଜୀ ମାଧ୍ୟମ ସ୍କୁଲ ମଧ୍ୟ ରହିଛି।