ଜାଲ୍ ପ୍ରମାଣପତ୍ର ଦେଇ ୧୮ ବର୍ଷ ହେଲା ଶିକ୍ଷକ
ପ୍ରକୃତିବନ୍ଧୁ ପୁରସ୍କାର ବି ପାଇଛନ୍ତି, ସ୍କୁଲ୍ ସାମନାରୁ ଉଠାଇ ନେଲା ପୁଲିସ
ବାଙ୍କୀ : ଜାଲ ପ୍ରମାଣପତ୍ର ଜରିଆରେ ଶିକ୍ଷକତା କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଆଜି ବାଙ୍କୀ ଥାନା ପୁଲିସ ସ୍କୁଲ ସାମନାରୁ ଉଠାଇ ନେଇଛି। ବାଙ୍କୀ ଏନ୍ଏସି ଅନ୍ତର୍ଗତ ଶିଶୁଆ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ବଳରାମ ପାଇକରାୟ ଆଜି ସ୍କୁଲ୍ ଆସିଥିଲା ବେଳେ ପୁଲିସ ତାଙ୍କୁ ଧରି ଥାନାକୁ ନେଇଥିଲା। ତାଙ୍କୁ ବାଙ୍କୀ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି।
ବଳରାମ ପାଇକରାୟ ଜାଲ ପ୍ରମାଣପତ୍ର ଜରିଆରେ ଶିକ୍ଷକତା କରୁଥିବା ନେଇ ଡମପଡ଼ା ବ୍ଲକ୍ ଶିକ୍ଷାଧିକାରୀ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ୧୮ ବର୍ଷଧରି ଶିକ୍ଷକତା କରି ସାରିଥିବା ଶ୍ରୀ ପାଇକରାୟ ପୂର୍ବରୁ ଡମପଡ଼ା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ସିଆର୍ସିସି ରହିଥିଲେ। କେବଳ ସେତିକି ନୁହେଁ, ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ଚର୍ଚ୍ଚାରେ ରହୁଥିବା ଶ୍ରୀ ପାଇକରାୟ ବିଗତ ବର୍ଷରେ ପ୍ରକୃତିବନ୍ଧୁ ପୁରସ୍କାର ବି ପାଇଥିଲେ। କିଛିଦିନ ତଳେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରକୁ ନେଇ ଅଭିଯୋଗ ହୋଇଥିଲା। ଏତିକି ବେଳେ ରାଜ୍ୟରେ ନକଲି ସାର୍ଟିଫିକେଟ୍ ସମ୍ପର୍କିତ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଶ୍ରୀ ପାଇକରାୟଙ୍କ ସମସ୍ତ ପ୍ରମାଣପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ପରେ ତାଙ୍କର ସ୍ନାତକ ପରୀକ୍ଷା ମାର୍କସିଟ୍ରେ ଜାଲିଆତି କରାଯାଇଥିବା ଜଣାପଡ଼ିଥିଲା। ଫଳରେ ଶ୍ରୀ ପାଇକରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଗତ ୧୩ ତାରିଖ ଦିନ ଡମପଡ଼ା ବ୍ଲକ୍ ଶିକ୍ଷାଧିକାରୀଙ୍କ ପକ୍ଷରୁ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶାନୁସାରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡମପଡ଼ା ବ୍ଲକ୍ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା ସୂଚନା ଦେଇଛନ୍ତି।