କୁଜଙ୍ଗ : ଜଗତସିଂହପୁର କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ ପଞ୍ଚାୟତ ଅନ୍ତର୍ଗତ ବାଣସରାସ୍ଥିତ ରତ୍ନମାଳୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ସମ୍ପୃକ୍ତ ଶିକ୍ଷକଙ୍କୁ ବିଦ୍ୟାଳୟରେ ଅଟକ ରଖି କୁଜଙ୍ଗ ଥାନା ପୁଲିସ ଜିମା ଦେଇଛନ୍ତି। ଏ ନେଇ ଥାନାରେ ଏତଲା ଦିଆଯାଇଛି।
ଅଭିଯୋଗ ଅନୁଯାୟୀ ରତ୍ନମାଳୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଆଜି ଅପରାହ୍ନ ପ୍ରାୟ ସାଢେ ୩ଟାରେ ସପ୍ତମ ଶ୍ରେଣୀରେ ଶିକ୍ଷାଦାନ କରୁଥିଲେ। ଏହି ସମୟରେ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବାହାରକୁ ଡାକି ନେଇ ଅସଦାଚରଣ କରିଥିଲେ ଏବଂ ନିକଟରେ ଥିବା ଅଙ୍ଗନବାଡ଼ି ଘରକୁ ଏକୁଟିଆ ଯିବାକୁ କହିଥିଲେ। ମାତ୍ର ସେ ଜଣେ ସହପାଠିନୀଙ୍କୁ ସାଥିରେ ନେଇ ଯିବାରୁ ଶିକ୍ଷକ ବିରକ୍ତ ହୋଇଥିଲେ। ଏ ସମ୍ପର୍କରେ ଛାତ୍ରୀ ଜଣକ ଜଣାଇବା ପରେ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଘଟଣା ପ୍ରଚାରିତ ହୋଇଯିବା ପରେ ଶତାଧିକ ଲୋକେ ସଂପୃକ୍ତ ଶିକ୍ଷକଙ୍କୁ ବିଦ୍ୟାଳୟରେ ଅଟକ ରଖି ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପୁଲିସ ପହଞ୍ଚି ଶିକ୍ଷକଙ୍କୁ ଥାନାକୁ ନେଇଥିଲା। ଏ ନେଇ ଛାତ୍ରୀଙ୍କ ବାପା ଥାନାରେ ଏତଲା ଦେଇଛନ୍ତି। ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜୟନ୍ତୀ ମିଶ୍ର କହିଛନ୍ତି, ଘଟଣାଟି ସତ୍ୟ। ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ।