ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ, ପରେ ପ୍ରତାରଣା : ଥାନାରେ ମାମଲା, ଶିକ୍ଷକ ଗିରଫ

ବାରିପଦା : ପ୍ରଥମେ ପ୍ରେମ, ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ । ଶେଷରେ ପ୍ରତାରଣା । ଏହିଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ । ତେବେ ବାରିପଦା ଟାଉନ୍ ଥାନାରେ ଏତଲା ରୁଜୁ ପରେ ବାରିପଦା ପୌରପରିଷଦ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳରେ ଥିବା ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜ୍ୟୋତିର୍ମୟ ବାରିକ(୩୦)ଙ୍କୁ ଗିରଫ କରିଛି ପୁଲିସ୍। ଏହି ଥାନା ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ପିଡ଼ୀତାଙ୍କ ସହିତ ଗିରଫ ଅଭିଯୁକ୍ତର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ମେ ୧୬ରେ ଗିରଫ ଶିକ୍ଷକ ପିଡ଼ୀତାଙ୍କୁ ପାର୍କ ବୁଲାଇବାକୁ ନେଇଥିଲେ । ରାତି ହେବାରୁ ନିକଟରେ ଥିବା ଏକ ହୋଟେଲରେ ଅଟକିଥିଲେ। ଶାରିରୀକ ସମ୍ପର୍କ ପାଇଁ ଅରାଜି ପିଡ଼ୀତାଙ୍କୁ ବିବାହର ନିର୍ଭର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଜଣଙ୍କ ଉକ୍ତ ହୋଟେଲରେ ପିଡ଼ୀତାଙ୍କ ଅନିଚ୍ଛା ସତ୍ୱେ ଶାରିରୀକ ସମ୍ପର୍କ ରଖିଥିଲେ । ଏହିପରି ଭାବେ ବିଭିନ୍ନ ସମୟ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି।

ପିଡ଼ୀତା ଏସମ୍ପର୍କରେ ନିଜ ଭାଉଜଙ୍କୁ ସମସ୍ତ ବିଷୟ ଅବଗତ କରାଇଥିଲେ । ଗିରଫ ଶିକ୍ଷକ ମଧ୍ୟ ବିଭିନ୍ନ ସମୟରେ ପିଡ଼ୀତାଙ୍କ ଘରକୁ ଲୁଚି ଲୁଚି ଆସି ସମ୍ପର୍କ ରଖୁଥିବା ବେଳେ ଚଳିତ ମାସ ୨୧ରେ ପିଡ଼ୀତାଙ୍କ ଭାଇଙ୍କ ହାତରେ ଧରାପଡ଼ିଯାଇଥିଲେ । ପରେ ଘଟଣା ସମ୍ପର୍କରେ ସମସ୍ତେ ଜାଣିଥିଲେ। ଏହାପରେ ପିଡ଼ୀତାଙ୍କ ପରିବାର ପକ୍ଷରୁ ଶିକ୍ଷକ ଜ୍ୟୋତିର୍ମୟଙ୍କ ଘରୁକୁ ବିବାହ ପ୍ରସ୍ତାବ ନେଇଯାଇଥିଲେ। ମାତ୍ର ସେ ଆଉ ଧରାଛୁଆଁ ଦେଇନଥିବା ଥାନାରେ ଅଭିଯୋଗ ହୋଇଛି। ତେଣୁ ପ୍ରେମ, ପରେ ଶାରିରୀକ ସମ୍ପର୍କ ଏବଂ ପ୍ରତାରଣା ପରେ ସାମାଜିକ ଅପବାଦ ଭୟରେ ପିଡ଼ୀତା ଆଜି ବାରିପଦା ଟାଉନ୍ ଥାନାରେ ପହଞ୍ଚି ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧ ଅଭିଯୋଗ କରିଛନ୍ତି। ପିଡ଼ୀତାଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଆଇପିସି ୩୭୬(୨)(ଏନ୍), ୪୧୭, ୪୨୦, ଆରଡ଼ବ୍ଲ୍ୟୁଏସ ସେକ୍ସନ୩(୨)(ଭି) ଏସସି ଏଣ୍ଡ ଏସ୍ଟି(ପିଓ୪) ଆକ୍ଟରେ ଏକ ମାମଲା ରଜୁ କରାଯାଇ ତଦନ୍ତ ଜାରି ରହିଥିବାର ଜଣାପଡ଼ିଛି । ଅଭିଯୁକ୍ତ ଶିକ୍ଷକକୁ ଗିରଫ କରାଯାଇଥିବା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର