କାଲିମେଳା: ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଗଣିତ ଶିକ୍ଷକ ଦିପକ ନାୟକ ଥାନାରେ ଅଟକ ଅଛନ୍ତି। ଏପରି ଏକ ଅଭିଯୋଗ ଆସିଛି କାଲିମେଳା ବ୍ଲକ ଅନ୍ତର୍ଗତ ଏକ ଛାତ୍ରୀନିବାସରୁ। ପୀଡିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଆଜି କାଲିମେଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉକ୍ତ ଶିକ୍ଷକକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ କାଲିମେଳା ବ୍ଲକ ଅନ୍ତର୍ଗତ ଏକ ଛାତ୍ରୀ ନିବାସରେ ଗତକାଲି ରାତି ୧୨ଟା ସମୟରେ ଗଣିତ ଶିକ୍ଷକ ଦୀପକ ନାୟକ ଛାତ୍ରୀଙ୍କୁ ନିଜ ରୁମକୁ ଡାକି ଦୁଷ୍କର୍ମ କରିଥିବାର ସନ୍ଦେହ କରୁଛନ୍ତି ପରିବାର ଲୋକ। ଉକ୍ତ ଛାତ୍ରୀ ଜଣକୁ ଶିକ୍ଷକ ଜଣକ ରାତି ୧୨ଟାରେ ୩ ଘଣ୍ଟା ଅଟକ ରଖିଥିବା ବେଳେ ଝିଅ କାନ୍ଦିକାନ୍ଦି ମେଟ୍ରୋନକୁ ପ୍ରଥମେ ଘଟଣା ସମ୍ପର୍କରେ ଜଣାଇଥିଲା। ଏହା ପରେ ପରିବାର ଲୋକ ସ୍କୁଲକୁ ଯାଇ ଶିକ୍ଷକକୁ ଧରି ପୁଲିସ ଜିମା ଦେଇଥିବାର ଜଣାପଡ଼ିଛି। ଛାତ୍ରୀର ଶରୀରରେ ବିଭିନ୍ନ ଦାଗ ରହିଥିବା ବେଳେ ଶିକ୍ଷକ ଜଣଙ୍କ ଏ ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଛାତ୍ରୀର ବଡ଼ବାପା କହିଛନ୍ତି। ଏ ସମ୍ପର୍କରେ ଉକ୍ତ ବିଦ୍ୟାଳୟ ପକ୍ଷରୁ ମଧ୍ୟ ପୁଲିସକୁ ଅବଗତ କରାଯାଇଛି। ଅଭିଯୁକ୍ତ ଶିକ୍ଷକଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳରେ ହୋଇଥିବା ବେଳେ ସେ ବିବାହିତ ଓ ତାଙ୍କର ଜଣେ ସନ୍ତାନ ରହିଥିବାର ଜଣାପଡ଼ିଛି।