ନିଶାସକ୍ତ ଅବସ୍ଥାରେ ବୃଦ୍ଧ ବାପାଙ୍କୁ ପିଟିଲେ ଶିକ୍ଷକ, ଥାନାରେ ଅଟକ

ପ୍ରତାପୁର : ଶିକ୍ଷକ ଦେଖାଇଲେ ଦବଙ୍ଗଗିରି। ଆଉ ନିଶାସକ୍ତ ଅବସ୍ଥାରେ ନିଜ ବାପାଙ୍କୁ ପିଟିବାକୁ ବି ପଛାଇଲେନି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଓ ବେଲଗୁଣ୍ଠା ଥାନା ଅଧୀନ ଅତରାଇପଲ୍ଲୀ ଗ୍ରାମରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ସଂପୃକ୍ତ ଶିକ୍ଷକ ଜଣକ ହେଲେ ଶଙ୍କର ନାଇକ। ଶଙ୍କରଙ୍କୁ ଗ୍ରାମବାସୀ ପୁଲିସ ଜିମା ଦେବା ପରେ ବେଲଗୁଣ୍ଠା ଥାନାରେ ତାଙ୍କୁ ଅଟକ ରଖାଯାଇଛି। ଇଙ୍ଗିନାଠି ଉଚ୍ଚବିଦ୍ୟାଳୟରେ ଖେଳଶିକ୍ଷକ ଭାବେ ଚାକିରି କରୁଥିବା ଶଙ୍କର ନାଇକ ଗତକାଲି ରାତିରେ ଅତ୍ୟଧିକ ମଦ ପିଇ ବୃଦ୍ଧ ବାପା ବିପ୍ରଚରଣଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହାକୁ ପ୍ରତିରୋଧ କରିବାକୁ ଗ୍ରାମର ରବୀନ୍ଦ୍ର ନାଇକ ନାମକ ଜଣେ ଯୁବକ ଆସିଥିଲେ। ବାପାଙ୍କୁ ନମାରିବାକୁ ଶଙ୍କରଙ୍କୁ ତାଗିଦ୍ କରିଥିଲେ। ହେଲେ ଶଙ୍କର ଓଲଟି ହାତରେ ପଞ୍ଚ୍ ମେସିନ୍ ପିନ୍ଧି ରବୀନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ମୁଥ ମାରି ତାଙ୍କୁ ଆହତ କରିଥିଲେ। ଏହାକୁ ନେଇ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ପରେ ଗ୍ରାମବାସୀ ଘଟଣା ସଂପର୍କରେ ବେଲଗୁଣ୍ଠା ପୁଲିସକୁ ଖବର ଦେଇଥିଲେ। ପୁଲିସ ନାଁ ଶୁଣି ଶଙ୍କର ଚମ୍ପଟ୍ ମାରିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ କରି କୋଠଘରେ ବନ୍ଦ କରି ଦେଇଥିଲେ। ବିଳମ୍ବିତ ରାତିରେ ପୁଲିସ ପହଞ୍ଚି ତାଙ୍କୁ ହେପାଜତକୁ ନେଇଥିଲା। ତେବେ ଶଙ୍କରଙ୍କ ଏଭଳି କାଣ୍ଡ କିଛି ନୂଆ ନୂହେଁ। ସେ ଅନେକ ସମୟରେ ମଦ୍ୟପାନ କରି ଗାଁରେ ଅନେକ କାଣ୍ଡ ଘଟାଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଗତବର୍ଷ ଗ୍ରାମର ଜଣେ ମହିଳାଙ୍କ ଗାଲକୁ କାମୁଡ଼ି ଛିଣ୍ଡାଇ ଦେବା ଅଭିଯୋଗରେ ସେ ଗିରଫ ହୋଇ ଜେଲ୍ ଯାଇଥିଲେ। ଶଙ୍କରଙ୍କ ଏହି କୁତ୍ସିତ କାର୍ଯ୍ୟକଳାପକୁ ଗ୍ରାମବାସୀ ନିନ୍ଦା କରିବା ସହ ଶିକ୍ଷାବିଭାଗ ଏହା ଉପରେ ଦୃଷ୍ଟି ଦିଅନ୍ତୁ ବୋଲି ଦାବି କରିଛନ୍ତି। ଶିକ୍ଷକମାନେ ହେଉଛନ୍ତି ସମାଜର ପଥପ୍ରଦର୍ଶକ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ସହ ସମାଜକୁ ସଠିକ୍ ବାଟରେ ଆଗେଇ ନେବାରେ ଶିକ୍ଷକଙ୍କ ପ୍ରମୁଖ ଭୂମିକା ରହିଛି। ହେଲେ ଏଭଳି କିଛି ଶିକ୍ଷକଙ୍କ ପାଇଁ ପୂରା ଶିକ୍ଷକସମାଜକୁ ଅପମାନିତ ହେବାକୁ ପଡ଼ୁଛି ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର