ସ୍କେଚ୍‌ ଚୋରିକୁ ନେଇ ଛାତ୍ରୀଙ୍କୁ ମାଡ ମାରିବା ସହ ଉଲଗ୍ନ କଲେ ଶିକ୍ଷୟିତ୍ରୀ

ଥାନାରେ ଅଭିଯୋଗ; ବିଦ୍ୟାଳୟରେ ତାଲା

ବାଙ୍କୀ :ସାମାନ୍ୟ ସ୍କେଚ୍‌ ଚୋରି ଘଟଣାକୁ କେନ୍ଦ୍ରକରି ଘଟିଛି ଅଭାବନୀୟ ଘଟଣା। ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ତୁଳସୀପୁର ଗ୍ରାମର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ସହପାଠୀଙ୍କ ସମ୍ମୁଖରେ ବିଦ୍ୟାଳୟ ଶ୍ରେଣୀ ଗୃହରେ ଉଲଗ୍ନ କରିବା ଭଳି ଘଟଣା ବାଙ୍କୀ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସଂପୃକ୍ତ ଛାତ୍ରୀଙ୍କ ପରିବାର ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରାଯିବା ସହ ବାଙ୍କୀ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି। ଏହି ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ଅଂଚଳବାସୀ ବିଦ୍ୟାଳୟରେ ତାଲା ପକାଇ ଘେରାଉ କରିଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ଶିକ୍ଷାଅଧିକାରୀ ହିମାଂଶୁ ଭୂଷଣ ସମରଥ ବିଦ୍ୟାଳୟକୁ ଯାଇ ଘଟଣା ସଂପର୍କରେ ତଦନ୍ତ କରିଥିବା ଜଣାପଡିଛି।

ଅଭିଯୋଗ ଅନୁସାରେ, ବାଙ୍କୀ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ତୁଳସୀପୁର ଗ୍ରାମର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ବିରୋଧରେ ଚୋରି ଅଭିଯୋଗ ହୋଇଥିଲା। ସେ ତାଙ୍କର ସହପାଠୀଙ୍କର ସ୍କେଚ୍‌ ଚୋରି କରିଥିବା ନେଇ ଅଭିଯୋଗ ହେବା ପରେ ଘଟଣା ସଂପର୍କରେ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଏ ନେଇ ସଂପୃକ୍ତା ଛାତ୍ରୀଙ୍କୁ ପଚରା ଉଚୁରା କରିବା ସହ ସହପାଠୀଙ୍କ ସମ୍ମୁଖରେ ମାଡ ମାରିବା ସହ ଉଲଗ୍ନ ହେବାକୁ ବାଧ୍ୟ କରିଥିଲେ ବୋଲି ସଂପୃକ୍ତା ଛାତ୍ରୀ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲୋ।

ଛାତ୍ରୀଜଣଙ୍କ ବିଦ୍ୟାଳୟ ଛୁଟିପରେ ଘରକୁ କାନ୍ଦି କାନ୍ଦି ଯାଇ ମାଆଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ଶ୍ରେଣୀରେ ନାବାଳିକାର ଭାଇ ମଧ୍ୟ ପଢୁଥିବାରୁ ସେ ବି ଘରକୁ ଯାଇ ଘଟଣା ସଂପର୍କରେ କହିଥିଲେ। ଫଳରେ ଛାତ୍ରୀଙ୍କ ମା’ ବିଦ୍ୟାଳୟକୁ ଯାଇ ଶିକ୍ଷୟିତ୍ରୀଙ୍କୁ ଘଟଣା ସଂପର୍କରେ ପଚାରିଥିଲେ। କିନ୍ତୁ ଶିକ୍ଷୟିତ୍ରୀ ତାଙ୍କୁ ଗାଳି ଗୁଲଜ କରିବା ସହିତ ସର୍ବସମ୍ମୁଖରେ ଲଜ୍ଜିତ କରିଥିଲେ। ଫଳରେ ପରିବାର ଲୋକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଛାତ୍ରୀଙ୍କ ମା’ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ବାଙ୍କୀ ଥାନା ପୁଲିସ ଏକ ମାମଲା (କେସ୍‌ ନଂ-୨୮୯/୧୭ ଦଫା ୩୪୧, ୩୨୩, ୨୯୪) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଶତପଥୀ ଏ ସଂର୍ପକରେ କହିଛନ୍ତି ଯେ ଅଭିଯୋଗ ପାଇବା ପରେ ସେ ଘଟଣା ସଂପର୍କରେ ଅବଗତ ହୋଇଥିଲେ। ବର୍ତ୍ତମାନ ଅଭିଯୋଗ ଉପରେ ବିଇଓ ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର