ଶବ୍ଦ ଉଚ୍ଚାରଣ କରିପାରିଲେନି ବୋଲି ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ପିଟିଲେ ଶିକ୍ଷୟିତ୍ରୀ

ଚିକିତ୍ସା ପାଇଁ ଉମରକୋଟ ମେଡିକାଲ ଗଲେ

ଉମରକୋଟ/ନବରଙ୍ଗପୁର : ଠିକ୍ ରୂପେ ଶବ୍ଦ ଉଚ୍ଚାରଣ କରି ପାରିଲେନି ବୋଲି କୁନିକୁନି ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ପିଟିଲେ ଶିକ୍ଷୟିତ୍ରୀ। ଏମିତି ପିଟିଛନ୍ତି ଯେ ନୋଳା ବସିବା ସହ ରକ୍ତ ଜମାଟ ବାନ୍ଧିଯାଇଛି। ଘଟଣାର ପ୍ରାୟ ୨୪ଘଣ୍ଟା ପରେ ପଦାକୁ ଆସିବା ପରେ ଆଜି ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତି କରାଯାଇଛି। ଅନ୍ୟପଟେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ପ୍ରବଳ ହୋହଲ୍ଲା କରିଛନ୍ତି। ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ସରକାର ଘୋଷଣା କରିଥିବା ବେଳେ ପିଲାଙ୍କୁ ଏମିତି ମାଡ଼ ମରାଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଅନ୍ତର୍ଗତ ମୁର୍ତ୍ତୁମା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜୟନ୍ତୀମାଳା ଭତ୍ରା ଗତକାଲି ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ। କିଛି ଶବ୍ଦ ପଚାରି ଏହାର ଉଚ୍ଚାରଣ ଠିକ୍ ରୂପେ କରିବାକୁ କହିଥିଲେ। ତେବେ ୭ଜଣ ଛାତ୍ରଛାତ୍ରୀ ଠିକ୍ ରୂପେ ଉଚ୍ଚାରଣ କରି ନ ପାରିବାରୁ ଶିକ୍ଷୟିତ୍ରୀଙ୍କ କ୍ରୋଧ ଏତେ ବଢ଼ି ଯାଇଥିଲା ଯେ ହିତାହିତ ଜ୍ଞାନ ଭୁଲି ଯାଇଥିଲେ। ପ୍ରଥମେ ପିଲାଙ୍କୁ ହାତରେ ପିଟିଥିଲେ ଏବଂ ଏହାପରେ ବାଡ଼ିରେ ପିଟିଥିଲେ। ଏମିତି ପିଟିଲେ ଯେ ନୋଳା ବସିଯିବା ସହ ରକ୍ତ ଜମାଟ ବାନ୍ଧି ଯାଇଥିଲା। ଭୟରେ ଥିବା ଛାତ୍ରଛାତ୍ରୀ ସ୍କୁଲରେ କାହାକୁ କିଛି କହି ନ ଥିଲେ। ତେବେ ମାଡ଼ ଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ଜଣ ହଷ୍ଟେଲରେ ରହୁଥିବା ବେଳେ ଅନ୍ୟ ଦୁଇ ଜଣ ନିକଟସ୍ଥ ଗାଁର ଥିଲେ। ସେମାନେ ଘରେ ପହଞ୍ଚି ସବୁ କଥା କହିଥିଲେ। ସେହିପରି ହଷ୍ଟେଲରେ ଏହି କଥା ଜଣାପଡ଼ିବାରୁ ଘଟଣାକୁ ଚପାଇ ଦେବାକୁ ସ୍କୁଲ କର୍ତୃପକ୍ଷ ଉଦ୍ୟମ କରିଥିଲେ। ରାତିରେ ହିଁ ହଷ୍ଟେଲ ଅନ୍ତେବାସୀଙ୍କୁ ଔଷଧ ଲଗାଇ ବାହାରେ କାହାକୁ କିଛି ନ କହିବାକୁ କୁହାଯାଇଥିଲା। କିନ୍ତୁ ଆଜି ନିକଟସ୍ଥ ଗାଁରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ପହଞ୍ଚି ସ୍କୁଲରେ ପାଟିତୁଣ୍ଡ କରିଥିଲେ। କଥା ପ୍ରଘଟ ହୋଇଯିବାରୁ ତରବରିଆ ଭାବେ ଆହତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲର ସୁପରିଟେଣ୍ଡେଣ୍ଟ୍ ଅଟୋ ଭଡ଼ି କରି ଉମରକୋଟ ମେଡିକାଲକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ଫେରି ଆସିଛନ୍ତି। ତଥାପି ଜଣେ ଛାତ୍ରକୁ ଏମିତି ମାଡ଼ ହୋଇଛି ଯେ ଏକ୍ସରେ କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର