ପର୍ଜଙ୍ଗ: ଏବେ ସାଇବର୍‌ ଠକଙ୍କ ଟ‌ାର୍ଗେଟ୍‌ରେ ଶିକ୍ଷକ, ଶିକ୍ଷୟିତ୍ରୀ। ନକଲି ବିଡିଓ ସାଜି ଫୋନ୍‌ କରି ଆଖି ପିଛୁଳାକେ ଲୁଟି ନେଉଛନ୍ତି ଟଙ୍କା। ପର୍ଜଙ୍ଗ ଅଞ୍ଚଳରେ ଘଟିଥିବା ଏପରି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛନ୍ତି। ମୁହୂର୍ତ୍ତକ ମଧ୍ୟରେ ୩ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ ୬୦ ହଜାର ଟଙ୍କା ଗାଏବ ହୋଇଯାଇଛି। ଏ ନେଇ ପର୍ଜଙ୍ଗ ଥାନାରେ ଅଭିଯୋଗ ହୋଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ପର୍ଜଙ୍ଗ ବ୍ଲକ୍‌ ସାଆନ୍ଦା ହାଇସ୍କୁଲ ପରିସରରେ ଶନିବାର ଦିନ ପ୍ରଧାନ ଶିକ୍ଷକଙ୍କ ସମ୍ମିଳନୀ ଚାଲିଥିଲା। ଏହି ସମୟରେ ଜଣେ ପ୍ରଧାନ ଶିକ୍ଷକଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଏଥିରେ ବିଡିଓଙ୍କ ନାମରେ କେହି ଜଣେ ଚଢ଼ା ସ୍ୱରରେ ତାଗିଦା କହିଥିଲେ, ଆପଣ ମିଟିଂରେ ଅଛନ୍ତି, ସ୍କୁଲ୍‌ ଦାୟିତ୍ୱରେ କିଏ ଅଛନ୍ତି। ତାଙ୍କ ନାଁ ଓ ମୋବାଇଲ୍‌ ନମ୍ବର ଦିଅ। ଉକ୍ତ ନକଲି ବିଡିଓଙ୍କୁ ପ୍ରଧାନ ଶିକ୍ଷକ ଜଣକ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଙ୍କ ନାଁ ଓ ମୋବାଇଲ୍‌ ନମ୍ବର ଦେଇଥିଲେ। ଏଥିସହ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ବିଡିଓ କଥା ହେବେ ବୋଲି ଜଣାଇଥିଲେ। ସହକାରୀ ଶିକ୍ଷୟିତ୍ରୀଙ୍କୁ ନକଲି ବିଡିଓ ଫୋନ୍‌ରେ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ ସଂଖ୍ୟା କେତେ ବୋଲି ପଚାରିଥିଲେ। ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାସ୍କ ଯିବ, ସେଥିପାଇଁ ଆପଣଙ୍କ ଆକାଉଣ୍ଟକୁ ଅଗ୍ରୀମ ୨୦ ହଜାର ଟଙ୍କା ଯିବ। ଏଥିପାଇଁ ୟୋନୋ ଏସ୍‌ବିଆଇ ଟ୍ରାଞ୍ଜାକ୍ସନ ଆଇଡି ଖୋଲନ୍ତୁ ଓ ଯାଇଥିବା ନମ୍ବର ଦିଅନ୍ତୁ ବୋଲି କହିଥିଲେ।

ଶିକ୍ଷୟିତ୍ରୀ ଜଣକ ନମ୍ବର ଦେଉ ଦେଉ ତାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ସେହିଦିନ ସେହି ପ୍ରଧାନ ଶିକ୍ଷକଙ୍କ ସମ୍ମିଳନୀରେ ଥିବା ଅନ୍ୟ ଜଣେ ପ୍ରଧାନ ଶିକ୍ଷକଙ୍କ ପାଖକୁ ଉକ୍ତ ନକଲି ବିଡିଓଙ୍କ ଫୋନ୍‌ ଆସିଥିଲା। ଅନୁରୂପ ଭାବେ ପିଲାଙ୍କ ପାଇଁ ମାସ୍କ ଯିବ, ଟ୍ରାଞ୍ଜାକ୍ସନ ଆଇଡି ଖୋଲ, ଯାଇଥିବା ନମ୍ବର କୁହନ୍ତୁ ବୋଲି ନକଲି ବିଡିଓ କହିଥିଲେ। ଏପରି କରିବା ପରେ ପ୍ରଧାନ ଶିକ୍ଷକଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ସାଇବର ଠକ ଉଠାଇ ନେଇଥିଲେ। ଏହିପରି ଭାବେ ଅନ୍ୟ ଜଣେ ସହଯୋଗୀ ଶିକ୍ଷକଙ୍କ ଆକାଉଣ୍ଟରୁ ମଧ୍ୟ ୨୦ ହଜାର ଟଙ୍କା ସାଇବର ଠକ ନେଇଯାଇଥିଲେ। ପୁଲିସ ପକ୍ଷରୁ ବାରମ୍ବାର ନାଚ ଗୀତ ମାଧ୍ୟମରେ ସାଇବର ଠକଙ୍କଠାରୁ କିଭଳି ସଜାଗ ରହିବା ନେଇ ସଚେତନ କରାଯାଉଥିବା ବେଳେ ଏବେ ଶିକ୍ଷକ, ପ୍ରଧାନ ଶିକ୍ଷକମାନେ ସାଇବର ଠକାମିର ଶିକାର ହୋଇଛନ୍ତି। ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି l