ଗ୍ରାମବାସୀଙ୍କୁ ମାଗଣାରେ ମାସ୍କ ବାଣ୍ଟିଲେ ଶିକ୍ଷକ ଦମ୍ପତ୍ତି

ପ୍ରଶଂସା ଓ ଧନ୍ୟବାଦ ଜଣାଇଲେ ଜିଲ୍ଲା ମଙ୍ଗଳ ଅଧିକାରୀ

ଫୁଲବାଣୀ :ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ନ ହେଲେ ଜରିମାନା ଦେବାକୁ ପଡିବ। ଏଭଳି ନିୟମ ଯୋଗୁ କନ୍ଧମାଳର ବହୁ ଗାଁରେ ଗରିବ ଲୋକ ଅଛନ୍ତି ଯେଉଁମାନେ କି ଅର୍ଥ ଅଭାବରୁ ମାସ୍କ କିଣିବା କଷ୍ଟକର ବ୍ୟାପର। ଏଭଳି ସ୍ଥଳେ ନିଜ ଗାଁ ସମେତ ଆଖପାଖ ଗାଁର ଗରିବ ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟୁଛନ୍ତି ଖଜୁରୀପଡା ବ୍ଳକ ନୂଆଗାଁର ମଧୁସୂଦନ ବେହେରା ଓ ତାଙ୍କ ପତ୍ନୀ ରୀନା ଦିଗାଲ। ଦୁହେଁ ନିଜ ଖର୍ଚ୍ଚରେ ମାସ୍କ ତିଆରି କରି ଆଜି ନିଜ ଗାଁ ନୂଆଗାଁ, ରଣପାଟୁଳି ଓ ମୁସକିଲ ଗାଁରେ ୧ହଜାର ଗ୍ରାମବାସୀଙ୍କୁ ବଣ୍ଟନ କରିଛନ୍ତି। ମଧୁସୂଦନ ଓ ରୀନାଙ୍କ ଏଭଳି ପ୍ରୟାସକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି।

ମଧୁସୂଦନ ରଣପାଟୁଳି ସେବାଶ୍ରମ ସ୍କୁଲର ଶିକ୍ଷକ ଓ ପତ୍ନୀ ରୀନା ଦିଗାଲ ପୁଡୁନିସୁଗା ସେବାଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଅଛନ୍ତି। କରୋନା ପାଇଁ ସ୍କୁଲ ବନ୍ଦ ରହିଛି। ଦୁହେଁ ପରିବାର ସହ ଘରେ ଲକ୍ ଡାଉନରେ ସମୟ ଅତିବାହିତ କରୁଥିବା ବେଳେ ଗରିବ ଲୋକଙ୍କ ପାଇଁ ମାସ୍କର ଆବଶ୍ୟକତା ଅନୁଭବ କରିଥିଲେ। ସପ୍ତାହେ ହେଲା ଦୁହେଁ ବଜାରକୁ କପଡା ଆଣି ନିଜେ ମେସିନରେ ମାସ୍କ ତିଆରିରେ ଲାଗି ପଡିଥିଲେ। ଛୁଟିରେ କିଏ ଘରେ ଆରାମ କରୁଛନ୍ତି ତ ଆଉ କିଏ କରୋନା ସହାୟତା ହାତେଇବାକୁ ଲାଗି ପଡିଛନ୍ତି। ଏଭଳି ସ୍ଥଳେ ଗାଁର ଗରିବ ଲୋକଙ୍କୁ ସହାୟତା କରିବାକୁ ଆସି ନିଜ ଅର୍ଥରେ ମାସ୍କ ତିଆରି କରି ମାଗଣାରେ ବାଣ୍ଟିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇଛି। ଏହି କାମରେ ବାବୁ ପାଢୀ,ସୁନିଲ ନାୟକ,ସୁମନ ବେହେରା ଓ ରାଧା ବେହେରା ସେମାନଙ୍କୁ ସହଯୋଗ କରିଥିବା କଥା କହିଛନ୍ତି ମଧୁସୂଦନ ଓ ରୀନା। ଏଭଳି କାମ ଓ ବଦାନ୍ୟତା ପାଇଁ ନିଜ ବିଭାଗ ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ମଧୁସୂଦନ ଓ ଶିକ୍ଷୟିତ୍ରୀ ରୀନାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି ଜିଲ୍ଲା ମଂଗଳ ଅଧିକାରୀ ଶେଷଦେବ ବେହେରା। ଅନ୍ୟ ଶିକ୍ଷକ ଓ କର୍ମଚାରୀ ଏହି ସମୟରେ ଗରିବଙ୍କୁ ଯଥା ସମ୍ଭବ କିଛି ନା କିଛି ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର