ପାଠ ପଢ଼ାଇବା ପାଇଁ ବେକେ ପାଣିରେ ପଶି ସ୍କୁଲ ଆସୁଛନ୍ତି ଶିକ୍ଷୟିତ୍ରୀ ବିନୋଦିନୀ ସାମଲ

ଭାପୁର : ପାଠ ପଢ଼ାଇବା ପାଇଁ ଜଣେ ଶିକ୍ଷୟିତ୍ରୀଙ୍କୁ ବେକେ ପାଣିରେ ପଶି ସ୍କୁଲ୍‌ ଯିବାକୁ ପଡ଼ୁଛି। କହିବାକୁ ଗଲେ, ଛୋଟଛୋଟ ପିଲାଙ୍କ ଜୀବନ ଗଢ଼ିବା ପାଇଁ ସେ ଜୀବନକୁ ବାଜି ଲଗାଉଛନ୍ତି। ଏହା ଦିନେ କି ଦି’ଦିନର କଥା ନୁହେଁ, ୧୧ ବର୍ଷ ହେଲା ସେ ଏହିଭଳି ପରିସ୍ଥିତିର ସାମ୍‌ନା କରୁଛନ୍ତି। କିନ୍ତୁ, ସ୍ଥାନୀୟ ଲୋକ ଏବଂ ପ୍ରଶାସନ ଏହା ଜାଣୁଥିଲେ ବି କୌଣସି ପ୍ରତିକାର କରୁନାହାନ୍ତି। ଖାଲି ସମ୍ପୃକ୍ତ ଶିକ୍ଷୟିତ୍ରୀ କାହିଁକି, ଶହଶହ ଲୋକଙ୍କୁ ନଈ ଅଟକାଉଥିଲେ ବି ପୋଲଟିଏ ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ଏହି ଶିକ୍ଷୟିତ୍ରୀ ହେଉଛନ୍ତି ବିନୋଦିନୀ ସାମଲ। ୨୦୦୮ ମସିହାଠାରୁ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ରଥିଆପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସେ ଗଣଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ଅବିବାହିତ । ତାଙ୍କୁ ୫୦ ବର୍ଷ ବୟସ ଅତିକ୍ରମ କରିସାରିଲାଣି। ଘରଠାରୁ ପ୍ରାୟ ତିନି କିଲୋମିଟର ଦୂର ହୋଇଥିଲେ ମଧ୍ୟ ମଝିରେ ବହି ଯାଇଛି ସାପୁଆ ନଦୀ। ବର୍ଷା ଦିନେ ଏହି ନଦୀ ଶିକ୍ଷୟିତ୍ରୀ-ଶିଶୁଙ୍କ ମଧ୍ୟରେ ଦୂରତା ତିଆରି କରିଥାଏ। ନଦୀରେ ବନ୍ୟା ପାଣି ଆସିଗଲେ ପାଠପଢ଼ା ଏକରମକର ଠପ୍‌ ହୋଇଯାଉଥିଲା। ସ୍କୁଲ୍‌ରେ ତାଲା ପଡ଼ୁଥିଲା। କିନ୍ତୁ, ବିନୋଦିନୀଙ୍କ ଶିକ୍ଷାଦାନ ଝୁଙ୍କ୍‌ ଆଗରେ ନଦୀର ତୀବ୍ରସ୍ରୋତ ସତେ ଯେମିତି ହାର୍‌ ମାନିଯାଇଛି। ପାଦେ ପାଦେ ବିପଦ ସତ୍ତ୍ବେ ଗୋଟା ସାପୁଆ ନଦୀକୁ ୧୧ବର୍ଷ ହେଲା ପହଁରି ଆସୁଛନ୍ତି ସାହସୀ ଦିଦି ‘ବିନୋଦିନୀ’। ବର୍ଷା ପାଇଁ ସ୍କୁଲରେ ସେ ରଖିଛନ୍ତି ଗଣ ପୋଷାକ। ଲୁଗା ପିନ୍ଧି ବର୍ଷା ଦିନେ ନଦୀକୁ ପହଁରନ୍ତି। ଓଦା ସରସର ହୋଇ ସ୍କୁଲକୁ ଯାଆନ୍ତି। ସେଠାରେ ଓଦା ଲୁଗା ବଦଳି ସ୍କୁଲ୍‌ ପରିଧାନ ପିନ୍ଧି ଶିକ୍ଷାଦାନ କରନ୍ତି।‌ ଫେରିଲା ବେଳେ ଅନୁରୂପ ଓଦା ସରସର ହୋଇ ଘରକୁ ଆସନ୍ତି।

ଛାତ୍ରୀ ବେଳୁ ବିନୋଦିନୀଙ୍କର ଏ ଅଭ୍ୟାସ। ଘଟିପିରି ହାଇସ୍କୁଲରେ ୧୯୮୭ମସିହାରେ ସେ ମାଟ୍ରିକ୍‌ ପଢ଼ୁଥିଲେ। ସେତେବେଳେ ଶଙ୍ଖେଇ ନଦୀରେ ପୋଲ ନ ଥିଲା। ନିଜେ ନଦୀ ପହଁରି ପାଠ ପଢ଼ିବାକୁ ଯାଉଥିଲେ। ଏବେ ଶିକ୍ଷୟିତ୍ରୀ ହେବା ପରେ ନଦୀ ପହଁରା ଅଭ୍ୟାସ ତାଙ୍କ ପିଲାବେଳ କଥା ମନେ ପକାଇଦିଏ। ନଦୀ ପାଇଁ କୌଣସି ମତେ ଶିକ୍ଷାଦାନ ଯେପରି ପ୍ରଭାବିତ ନ ହେଉ, ସେଥିପାଇଁ ସେ ସବୁବେଳେ ସଚେତନ ବୋଲି ବିନୋଦିନୀ ‘ସମ୍ବାଦ’କୁ କହିଛନ୍ତି।

ବିଦ୍ୟାଳୟର ବିଦ୍ୟାର୍ଥୀ ସଂଖ୍ୟା ୫୩। ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ତିନୋଟି ଶ୍ରେଣୀରେ ପିଲାମାନେ ପାଠ ପଢ଼ନ୍ତି। ବିନୋଦିନୀଙ୍କ ସହ ପ୍ରଧାନଶିକ୍ଷୟିତ୍ରୀ କାନନ୍‌ବାଳା ମିଶ୍ରଙ୍କୁ ମଧ୍ୟ ସାପୁଆ ନଦୀ ପାର୍‌ ହେବାକୁ ପଡ଼େ। ନଦୀରେ ବେଶି ପାଣି ଆସିଲେ ସ୍କୁଲକୁ ପ୍ରଧାନଶିକ୍ଷୟିତ୍ରୀ ଯାଇପାରନ୍ତି ନାହିଁ। ଛୁଟି ପଡ଼େ। କିନ୍ତୁ, ଗତ ୧୧ବର୍ଷର ଶିକ୍ଷାଦାନ ଭିତରେ ୨୨ଦିନ ବି ସିଏଲ୍‌ (ଛୁଟି) ନେଇ ନାହାନ୍ତି। ଯାହା ବି ଛୁଟି ନେଇଛନ୍ତି ସବୁ ଉଚ୍ଚଶିକ୍ଷା ପାଇଁ ବୋଲି ବିନୋଦିନୀ କହିଛନ୍ତି। ଦୀର୍ଘ ୧୧ବର୍ଷର ଶିକ୍ଷାଦାନ ମଧ୍ୟରେ ଆଜି ଯାଏ ସେ ରେଗୁଲାର୍‌ ହୋଇ ପାରି ନାହାନ୍ତି। ବିଭିନ୍ନ ମାମଲା ପାଇଁ ୨ହଜାର ଗଣ ଶିକ୍ଷକଙ୍କ ଭଳି ତାଙ୍କର ରେଗୁଲାର୍‌ ପ୍ରକ୍ରିୟା ଅଧାରେ ଅଟକି ରହିଛି।

ଅନ୍ୟପକ୍ଷରେ, ଗଣମାଧ୍ୟମ ଏବଂ ସୋସିଆଲ୍ ମିଡିଆରେ ଏ ଦୃଶ୍ୟ ଭାଇରାଲ୍ ହେବା ପରେ ସାହସୀ ଦିଦି ‘ବିନୋଦିନୀ’ଙ୍କୁ କେହି କେହି ଶିକ୍ଷାର ସାକ୍ଷାତ୍‌ ଦେବୀ ବୋଲି ଅଭିହିତ କରୁଥିବା ବେଳେ ଶିକ୍ଷାଦାନରେ ଏଭଳି ନିଷ୍ଠା ଏବଂ ସାହସିକତା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିନୋଦିନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତେବେ, ବିନୋଦିନୀଙ୍କ ଏହି କଷ୍ଟକର ଯାତ୍ରାର କେବେ ଅବସାନ ଘଟିବ , ନଦୀ ଉପରେ ଏକ ପୋଲ ତିଆରି ହେବ ଏବଂ ସର୍ବୋପରି ଶିକ୍ଷକ-ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତ୍ବ ହ୍ରାସ ପାଇବ- ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର