ପଙ୍କଜିନୀ ସାହୁ
ତିରିଂ: ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଶିକ୍ଷକଙ୍କୁ ଓଡ଼ିଶା ସରକାର ମାସିକ ମାତ୍ର ତିନି ହଜାର ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ପ୍ରଦାନ କରୁଥିବାବେଳେ ଏହା ମଧ୍ୟ ନିୟମିତ ମିଳୁନାହିଁ। ଗତ ଏପ୍ରିଲ୍ ମାସରେ ମିଳିବାକୁ ଥିବା ବର୍ଷକର ଅନୁଦାନ ବି ଶିକ୍ଷକ, ଶିକ୍ଷୟିତ୍ରୀ ପାଇନାହାନ୍ତି। ତତ୍କାଳୀନ ବିଜେଡି ସରକାର ମାସିକ ଆର୍ଥିକ ଅନୁଦାନ ୪,୫୦୦କୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଥିଲେ, ତାହା କେବଳ ଘୋଷଣାରେ ରହିଯାଇଥିଲା। ବର୍ତ୍ତମାନର ବିଜେପି ସରକାର ଆଉ ପାଦେ ଆଗେଇ ୬,୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଯେଉଁ ଘୋଷଣା କରିଥିଲେ, ତାହା ଏ ଯାବତ୍ କାର୍ଯ୍ୟକାରୀ ହୋଇ ପାରିନାହିଁ। ଫଳରେ ଓଡ଼ିଆ ଶିକ୍ଷକମାନେ ଘୋର ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଗତି କରୁଛନ୍ତି।
୨୦୨୪-୨୫ ଆର୍ଥିକ ବର୍ଷର ଅନୁଦାନ ମିଳିନି
ବର୍ଦ୍ଧିତ ରାଶି ଘୋଷଣା ବି କାର୍ଯ୍ୟକାରୀ ହେଲାନି
ଦୀର୍ଘ କୋଡ଼ିଏ ବର୍ଷ ଧରି ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଗତ ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ୬୨୬ ଓଡ଼ିଆ ଶିକ୍ଷକଶିକ୍ଷୟିତ୍ରୀ ବିଭିନ୍ନ ସରକାରୀ ବିଦ୍ୟାଳୟ ଏବଂ ଚାଟଶାଳୀରେ ମାତୃଭାଷା ଓଡ଼ିଆରେ ନିୟମିତ ପାଠ ପଢ଼ାଉଛନ୍ତି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ମାସିକ ୩ ହଜାର ଲେଖାଏଁ ପ୍ରଦାନ କରାଯାଇଥାଏ। ପ୍ରତିବର୍ଷ ଏପ୍ରିଲ୍ ମାସରେ ସେମାନଙ୍କୁ ଏକକାଳୀନ ୧୦ ମାସର ଏହି ସହାୟତା ରାଶି ଅର୍ଥାତ୍ ୩୦,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ ବୋଲି ଜଣାପଡ଼ିଛି। ତେବେ ୨୦୨୦-୨୦୨୧ ଆର୍ଥିକବର୍ଷରେ ଏହି ଆର୍ଥିକ ଅନୁଦାନ ମିଳିନାହିଁ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ୨୦୨୩-୨୪ ମସିହାରେ ତତ୍କାଳୀନ ବିଜେଡି ସରକାର ଅମଳରେ ବିଚ୍ଛିନ୍ନାଞ୍ଚଳ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ୪,୫୦୦ ଟଙ୍କା ପ୍ରଦାନ ସଂକ୍ରାନ୍ତରେ କ୍ୟାବିନେଟ୍ ଅନୁମୋଦନ ହୋଇଥିଲା। ମାତ୍ର କ୍ଷମତାରୁ ହଟିବା ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରି ନ ଥିଲେ ସରକାର। ସେହିପରି ୨୦୨୪, ସେପ୍ଟେମ୍ବର ୩୦ରେ ଝାଡ଼ଖଣ୍ଡର ଜଗନ୍ନାଥପୁରଠାରେ ଆୟୋଜିତ ଜନ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମାସିକ ୬୦୦୦ ଟଙ୍କା ହିସାବରେ ବର୍ଷକୁ ୭୨,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଓଡ଼ିଆ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଏହି ବର୍ଦ୍ଧିତ ଆର୍ଥିକ ଅନୁଦାନ ମିଳିନଥିବାରୁ ଓଡ଼ିଆ ଶିକ୍ଷକ, ଶିକ୍ଷୟିତ୍ରୀ ନିରାଶ ହୋଇଛନ୍ତି।
ଏ ସମ୍ପର୍କରେ ଷଢ଼େଇକଳାର ଓଡ଼ିଆ ଶିକ୍ଷୟିତ୍ରୀ ରୀତା ଦୁବେ କହିଛନ୍ତି, ‘ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଆର୍ଥିକ ଅନୁଦାନ ନ ମିଳିବା ଏକପ୍ରକାର ପ୍ରତାରଣା ସଦୃଶ। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟିଦେବେ ବୋଲି ଆମର ଆଶା ରହିଛି।’ ପଶ୍ଚିମ ସିଂହଭୂମର ଜିଲ୍ଲା ପରିଦର୍ଶକ ସରୋଜ ପ୍ରଧାନ ବିଚ୍ଛିନ୍ନାଞ୍ଚଳ ଶିକ୍ଷକମାନଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି। ଷଢ଼େଇକଳା ଉତ୍କଳ ସମ୍ମିଳନୀର ସଭାପତି ସୁମନ୍ତ ଚନ୍ଦ୍ର ମହାନ୍ତି କହିଛନ୍ତି, ବିଚ୍ଛିନ୍ନାଞ୍ଚଳରେ କାର୍ଯ୍ୟରତ ଓଡ଼ିଆ ଶିକ୍ଷକମାନଙ୍କୁ ଆର୍ଥିକ ଅନୁଦାନ ସଂକ୍ରାନ୍ତୀୟ ନିଷ୍ପତ୍ତିକୁ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ବିଚ୍ଛିନ୍ନାଞ୍ଚଳର ଶିକ୍ଷକଶିକ୍ଷୟିତ୍ରୀମାନେ ଏ ସମ୍ପର୍କରେ ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଓ ଉତ୍କଳ ସମ୍ମିଳନୀ ରାଜ୍ୟ ସମିତିଙ୍କୁ ଅବଗତ କରିଥିବା ଜଣାପଡ଼ିଛି।