ବାଲିଗୁଡ଼ା: ପତ୍ନୀ ବଞ୍ଚି ଥାଉ ଥାଉ ତାଙ୍କୁ ମୃତ ଦର୍ଶାଇ ନିଜେ ପାଠ ପଢ଼ାଉଥିବା ବିଦ୍ୟାଳୟ ପରିସରରେ ଦ୍ବିତୀୟ ବିବାହ କରିଛନ୍ତି ଜଣେ ଶିକ୍ଷକ। ଏଥିରେ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ତାଙ୍କୁ ସହଯୋଗ କରିଥିବା ବେଳେ କେକ୍ କାଟି ଓ ଭୋଜିଭାତ କରି ବିଦ୍ୟାଳୟରେ ବିବାହ ଉତ୍ସବ ପାଳନ କରିବା ସବୁ ମହଲକୁ ବିସ୍ମିତ କରିଛି। ଅନ୍ୟପଟେ ଘଟଣା ସଂପର୍କରେ ଜାଣିବା ପରେ ନ୍ୟାୟ ଦାବିରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ପ୍ରଥମ ପତ୍ନୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ।
ଅଭିଯୁକ୍ତ ଶିକ୍ଷକ ହେଲେ ଦାରିଙ୍ଗବାଡ଼ି ବ୍ଲକ୍ ସୁଜାମାଜୁ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀପତି ନାୟକ। ତାଙ୍କ ଘର ସ୍ଥାନୀୟ ଦଣ୍ଡିମାହା ହୋଇଥିବା ବେଳେ ୨୦୦୩ରେ ସେ ଦାରିଙ୍ଗବାଡ଼ିର ନିରୁପମା ଡାକୁଆଙ୍କୁ ବିବାହ କରିଥିଲେ। ଦାମ୍ପତ୍ୟ ଜୀବନ ଠିକ୍ ଚାଲିଥିବା ବେଳେ ୩ ବର୍ଷ ପରେ ଏକ କନ୍ୟା ସନ୍ତାନର ଜନକ ହୋଇଥିଲେ। ଏହା ପରେ ହଠାତ୍ ନିରୁପମାଙ୍କ ଉପରେ ଶ୍ରୀପତିଙ୍କ ନିର୍ଯାତନା ଆରମ୍ଭ ହୋଇ ଯାଇଥିଲା। ଘଟଣାକୁ ନେଇ ପ୍ରଥମେ ପୁଲିସ ଓ ପରେ ଫୁଲବାଣୀ ପରିବାର ଅଦାଲତରେ ମାମଲା ପହଞ୍ଚିଥିଲା। ପରେ ବାଲିଗୁଡ଼ା କୋର୍ଟରେ ଶ୍ରୀପତି ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।
ତେବେ କୋର୍ଟରେ ମାମଲା ଚାଲିଥିବା ବେଳେ ଗତ ୬ ତାରିଖରେ ଶ୍ରୀପତି ସୁଜାମାଜୁ ସ୍କୁଲ୍ ପରିସରରେ ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। ଅନ୍ୟପକ୍ଷରେ ବିଦ୍ୟାଳୟ ପରିସରରେ ଏପରି ଶିକ୍ଷକଙ୍କ ବାହାଘର ଓ ଭୋଜିଭାତ ଘଟଣାକୁ ନେଇ ଅଭିଭାବକ ଓ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Presentation2-3.jpg)