ଓଡ଼ଗାଁ: ଛାତ୍ରଙ୍କୁ ଉଠ୍ବସ୍ କରି ହଟହଟା ହୋଇଛନ୍ତି ଅଧ୍ୟାପକ। ଏହି ଘଟଣାକୁ କେନ୍ଦ୍ର କରି ଆଜି ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ୧ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଆଁ ଜାଳି ଅଧ୍ୟାପକଙ୍କ ବଦଳି ଦାବି କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ମହାବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ର ଦେବାଶିଷ ପ୍ରଧାନ ଗତକାଲି କଲେଜକୁ ଆସିଥିଲେ। କିନ୍ତୁ କିଛିଦିନ ଧରି କଲେଜର ସମ୍ମାନ ବିଭାଗରେ ପାଠପଢ଼ା ହେଉନଥିବାରୁ ଛାତ୍ରଛାତ୍ରୀ ବୁଲାବୁଲି କରି ଘରକୁ ଫେରୁଥିଲେ। ତେବେ ଦିନେ କି ଦୁଇଦିନ ନୁହେଁ, ଅଧିକାଂଶ ଦିନ ପାଠପଢ଼ା ହେଉନଥିବା ଅଭିଯୋଗ କରିଥିଲେ ଦେବାଶିଷ। ଗତକାଲି ସେ ରାଜନୀତି ବିଜ୍ଞାନ ଅଧ୍ୟାପକ ସୋହମ୍ କୁମାର ପଣ୍ତାଙ୍କୁ ଅନର୍ସ କ୍ଲାସ୍ ହେବ କି ନାହିଁ ପଚାରିଥିଲେ।କିନ୍ତୁ ଅଧ୍ୟାପକ ଶ୍ରୀ ପଣ୍ତା କୌଣସି ଉତ୍ତର ଦେଇ ନଥିଲେ। ବରଂ କିଛି ସମୟ ପରେ ଦେବାଶିଷଙ୍କୁ ଡାକି ଗାଳିଗୁଲଜ କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ ଆଗରେ ୨୦ ଥର ଉଠ୍ବସ୍ ପାଇଁ ବାଧ୍ୟ କରିଥିଲେ। ଏମିତିକି ମୁଁ କ୍ଲାସ୍ କରିବିନି, ତୁ କାହାକୁ କହିବୁ କହ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି।
କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଏଥିରେ ବ୍ୟଥିତ ହୋଇ ଦେବାଶିଷ ଘଟଣା ସଂପର୍କରେ ଅଧ୍ୟକ୍ଷଙ୍କୁ ଅବଗତ କରିଥିଲେ। ଅଧ୍ୟକ୍ଷ ରାଜକିଶୋର ସାହୁ ଏହାର ବିଚାର କରିବାକୁ କହିଥିଲେ ମଧ୍ୟ ଆଜି ସମସ୍ତ ଛାତ୍ରଛାତ୍ରୀ ଏକଜୁଟ ହୋଇ କଲେଜ ଆଗରେ ଟାୟାର ଜାଳି ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଛାତ୍ରଛାତ୍ରୀ କଲେଜ ଗେଟ୍ରେ ତାଲା ପକାଇ ବିକ୍ଷୋଭ କରିବାବେଳେ ଅଧ୍ୟକ୍ଷ ବୁଝାଇବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ଓଡ଼ଗାଁ ପୁଲିସ ମଧ୍ୟ ବୁଝାଇବାକୁ ଉଦ୍ୟମ କରିଥିଲା। ହେଲେ ଛାତ୍ରଛାତ୍ରୀ ଜିଦ୍ରେ ଅଟଳ ରହିଥିଲେ। ଉତ୍ତେଜନା ବଢ଼ିବାରୁ ଅଧ୍ୟାପକ ଶ୍ରୀ ପଣ୍ତା ଆସି କ୍ଷମା ପ୍ରାର୍ଥନା କରିବା ସହିତ ଏଭଳି କାର୍ଯ୍ୟର ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଥିଲେ ଛାତ୍ରଛାତ୍ରୀ। ଅଧ୍ୟାପକ ଶ୍ରୀ ପଣ୍ଡାଙ୍କୁ ଚାକିରିରୁ ବହିଷ୍କୃତ କରାଯାଉ, ନଚେତ୍ ଅନ୍ୟତ୍ର ବଦଳି କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।