ସେଲ୍‌ଫି ନେବାବେଳେ ଡଙ୍ଗା ଓଲଟି ଶିକ୍ଷକ ନିଖୋଜ: ଦୁଇ ଦିନ ପରେ ପୁଲିସର ଖୋଜିବା ଆରମ୍ଭ

 

ହରିଚନ୍ଦନପୁର/ଦୈତାରୀ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଦୈତାରୀ ଡ୍ୟାମ୍‌ରେ ହୁଲିଡଙ୍ଗା ଓଲଟି ପଡ଼ିବାରୁ ଜଣେ ଶିକ୍ଷକ ପାଣିରେ ବୁଡ଼ିଯାଇ ନିଖୋଜ ଅଛନ୍ତି। ନିଖୋଜ ଶିକ୍ଷକ ଜଣଙ୍କ ହେଲେ ବରେଇଗୋଡ଼ା ପଞ୍ଚାୟତ ଡ୍ୟାମ୍‌ସାଇଡ ପ୍ରାଥମିକ ବିଦ୍ୟାଳୟର ଚିରଞ୍ଜୀବୀ ମୁଣ୍ଡା (୪୩)। ଚିରଞ୍ଜୀବୀ ସେଲ୍‌ଫି ନେଉଥିବା ବେଳେ ଡଙ୍ଗାଟି ଓଲଟି ପଡ଼ିବାରୁ ଏଭଳି ଅଘଟଣ ଘଟିଛି। ଘଟଣାକୁ ଦୁଇଦିନ ବିତିଛି। ପୁଲିସ ଆଜି ଖବର ପାଇ ‌ଅଗ୍ନିଶମ ବାହିନୀ ସହଯୋଗରେ ଖୋଜାଖୋଜି ଆରମ୍ଭ କରିଛି।

ଚିରଞ୍ଜୀବୀ କନ୍ଥାଝରୀ ଗ୍ରାମରେ ରହୁଥିଲେ। ଗାଁଠାରୁ ବିଦ୍ୟାଳୟର ଦୂରତା ୩ କିଲୋମିଟର। ସେହିପରି ଡ୍ୟାମ୍‌ ଭିତର ଦେଇ ଗଲେ ମାତ୍ର ଗୋଟିଏ କିଲୋମିଟର। ୧୯ ତାରିଖ ପୂର୍ବାହ୍ନରେ ଚିରଞ୍ଜୀବୀ କନ୍ଥାଝରୀ ଗ୍ରାମର ସିଦିଓ ପୂର୍ତ୍ତିଙ୍କ ସହ ଏକ ହୁଲିଡଙ୍ଗାରେ ଦୈତା‌ରୀ ଜଳଭଣ୍ଡାର ଭିତର ଦେଇ ବିଦ୍ୟାଳୟକୁ ଯାଉଥିଲେ। ଡଙ୍ଗାରେ ଯାଉଥିବା ବେଳେ ଚିରଞ୍ଜୀବୀ ନିଜ ମୋବାଇଲରେ ସେଲ୍‌ଫି ନେଉଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ହୁଲିଡଙ୍ଗାଟି ଓଲଟି ପଡ଼ିଥିଲା। ଏହି ସମୟରେ ଡ୍ୟାମ୍‌ରେ ମାଛ ଧରୁଥିବା ନବମ ଶ୍ରେଣୀ ଛାତ୍ର କାଚେ ପୂର୍ତ୍ତି ତୁରନ୍ତ ତାଙ୍କ ଡଙ୍ଗା ନେଇ ସେମାନଙ୍କ ପାଖରେ ପହଞ୍ଚିଥିଲେ। ସିଦିଓଙ୍କୁ ଉଦ୍ଧାର କରିଥିବା ବେଳେ ଶିକ୍ଷକ ଶ୍ରୀ ମୁଣ୍ଡା ପାଣିରେ ବୁଡ଼ି ଯାଇଥିଲେ। କେବଳ ତାଙ୍କ ଚପଲ ହଳକ ମିଳିଥିଲା।

ଘଟଣାକୁ ଦୁଇଦିନ ବିତି ଯାଇଥିବା ବେଳେ ଆଜି ଏ ସମ୍ପର୍କରେ ଦୈତାରୀ ପୁଲିସ ଖବର ପାଇଥିଲା। ସିଦିଓଙ୍କୁ ଉଦ୍ଧାର କରିଥିବା ନବମ ଶ୍ରେଣୀ ଛାତ୍ର କାଚେଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା।  ତା’ର ସୂଚନା ଆଧାରରେ ପୁଲିସ ଆଜି ଅପରାହ୍‌ଣରେ ଅଗ୍ନିଶମ ବାହିନୀ ସହଯୋଗରେ ଡ୍ୟାମ୍‌ରେ ଖୋଜିଖୋଜି ଆରମ୍ଭ କରିଛି। ହେଲେ ଶିକ୍ଷକ ଚିରଞ୍ଜୀବୀଙ୍କ ସନ୍ଧାନ ମିଳିପାରି ନାହିଁ। ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ଆସନ୍ତାକାଲି ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର