ପ୍ରକୃତି ପ୍ରେମରେ ଶିକ୍ଷକ: ଲଗାଇଲେଣି ୧୦ ହଜାର ତାଳଗଛ

ସତ୍ୟନାରାୟଣ ରାଉତରାୟ

ପୁରୀ: ଏବେ ନିଜକୁ ପ୍ରଦର୍ଶିତ କରିବା ପାଇଁ ଚାଲିଛି ପ୍ରତିଯାଗିତା। ପୁରସ୍କାର, ସମ୍ମାନ ପାଇଁ ଲୋକେ ବେଶ୍‌ ବ୍ୟାକୁଳ ହେଉଥିବା ବେଳେ ଏସବୁଠାରୁ ନିଜକୁ ଦୂରରେ ରଖି ଜଣେ ଶିକ୍ଷକ ପ୍ରକୃତି ପ୍ରେମରେ ପଡ଼ିଯାଇଛନ୍ତି। ପୁରୀ ସହରର ତାଳବଣିଆ ଅଞ୍ଚଳରେ ତାଳଗଛ ଲୋପ ପାଇବାକୁ ବସିଥିବାବେଳେ ଆଗାମୀଦିନରେ ମହାପ୍ରଭୁଙ୍କ ମହାପ୍ରସାଦ ନେବାପାଇଁ ଭୋଗେଇ ମିଳିବ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଜଣେ ଶିକ୍ଷକ ନିଜସ୍ବ ଉଦ୍ୟମରେ ପ୍ରାୟ ୩୦ ହଜାର ଗଛ ଲଗାଇଛନ୍ତି। ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଏହି ୩୦ ହଜାର ଗଛ ମଧ୍ୟରେ ସେ ଲଗାଇଛନ୍ତି ୧୦ ହଜାର ତାଳଗଛ। ଏଥିପାଇଁ ସେ ଆଜି ଲୋକମୁଖରେ ‘ତାଳଗଛ ମଣିଷ ଭଟ୍ଟସାର୍‌’ ପାଲଟି ଯାଇଛନ୍ତି। ସେ ହେଉଛନ୍ତି, ପୁରୀ ଜିଲ୍ଲା ଅସ୍ତରଙ୍ଗ ବେଳାଭୂମି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ଭଟ୍ଟ।

ଏନେଇ ଶ୍ରୀ ଭଟ୍ଟ କହିଛନ୍ତି, ୧୯୯୯ ମସିହା ମହାବାତ୍ୟା ମନରେ ଘୋର ରେଖାପାତ କରିଥିଲା। ଭାବିଲି, ବାତ୍ୟାବେଳେ ଯେତେ ପବନ ହେଲେ ମଧ୍ୟ ତାଳଭଳି ଶକ୍ତ ବୃକ୍ଷ ଏହାକୁ ପ୍ରତିରୋଧ କରେ। ପବନର ମାଡ଼ ୫୦ ପ୍ରତିଶତ କମିଯାଏ। ତେଣୁ ଏହା ଜନବସତିରେ ମାଡ଼ ହେବାବେଳକୁ ଦୁର୍ବଳ ହୋଇଯାଏ। ଘଡ଼ଘଡ଼ି ସମୟରେ ତାଳଗଛ ଆର୍ଥିଂ ଭାବେ ସହାୟକ ହୋଇଥାଏ। ତାଳପତ୍ରରେ ଅନେକ ପରିବାର ଭୋଗେଇ, ପଟି ପ୍ରସ୍ତୁତ କରି ଗୁଜରାଣ ମେଣ୍ଟାନ୍ତି। ତାଳଗଛ ମାଟି ତଳକୁ ପ୍ରାୟ ୩ ଫୁଟ ଯିବାପରେ ହିଁ ଗଜା ବାହାରୁଥିବାରୁ ଏହାକୁ ଗାଈ ଖାଇଲେ ମଧ୍ୟ ଗଛ ବଢ଼ିବାରେ ବ୍ୟାଘାତ ସୃଷ୍ଟି ହୁଏନାହିଁ। ତେଣୁ ସେ ତାଙ୍କ ଅଭିଯାନରେ ତାଳଗଛକୁ ବିଶେଷ ଗୁରୁତ୍ବ ଦେଇଆସୁଛନ୍ତି। ବୃକ୍ଷରୋପଣ ପୂର୍ବରୁ ସ୍ଥାନୀୟ ଲୋକ, ବିଦ୍ୟାଳୟର ପୁରାତନ ଛାତ୍ର ଓ ଅନ୍ୟ ଛାତ୍ରମାନଙ୍କ ସହଯୋଗରେ ତାଳ ମଞ୍ଜି, ଖଜୁରି ମଞ୍ଜି ସଂଗ୍ରହ କରନ୍ତି। ସେସବୁକୁ ସେ ଜୁଲାଇରୁ ଅଗଷ୍ଟମାସ ମଧ୍ୟରେ ରୋପଣ କରନ୍ତି। ରାସ୍ତାକଡ଼, ସମୁଦ୍ର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଓ ଅଦରକାରୀ ଜମିରେ ସେ ଏସବୁକୁ ରୋପଣ କରନ୍ତି ବୋଲି କହିଛନ୍ତି। ନିକଟରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ନିଧି କୁମାର ରାଉତରାୟ ତାଙ୍କର ଏଭଳି କାର୍ଯ୍ୟ ଦେଖି ତାଙ୍କୁ ଭେଟିବା ସହ ମେରାଇନ୍‌ ରୋଡ୍‌ରେ ବ୍ୟାପକ ତାଳ ଗଛରୋପଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ସେ ଏବେ ଆଉ ୧୦ ହଜାର ତାଳ ମଞ୍ଜି ସଂଗ୍ରହରେ ଲାଗିପଡ଼ିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଶ୍ରେଣୀଗୃହରେ ପିଲାଙ୍କୁ ସଂସ୍କୃତ ପଢ଼ାନ୍ତି ଭଟ୍ଟସାର୍‌।

ସମ୍ବନ୍ଧିତ ଖବର