ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ବାଘମାରି ନିବାସୀ ତଥା ପଥରଘାଟ ଉଚ୍ଚ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ସକାଳ ୬ଟାରୁ ଏହି ଚଢ଼ଉ ଆରମ୍ଭ ହୋଇ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଚାଲିଥିଲା।

Advertisment

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶିକ୍ଷକ ଶ୍ରୀ ସାହୁଙ୍କ ୨କୋଟି ୧୫ ଲକ୍ଷ ୨ ହଜାର ୩୧୧ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଡିଏସ୍‌ପି ମାରିୟାନସ୍ ମିଞ୍ଜ, ଡିଏସ୍‌ପି ସୁଜାତା ପଣ୍ଡା, ସୁବର୍ଣ୍ଣପୁର ଭିଜିଲାନ୍ସ ଇନ୍‌ସପେକ୍ଟର ତୁଷାରକାନ୍ତ ମହାପାତ୍ରଙ୍କ ସମେତ ୨୩ ଜଣ କର୍ମଚାରୀ ଏହି ମିଳିତ ଚଢ଼ଉରେ ସାମିଲ ହୋଇଥିଲେ। ଅପରପକ୍ଷରେ ଶ୍ରୀ ସାହୁ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଘର ନିର୍ମାଣ କରିବା ପାଇଁ ବିଭିନ୍ନ ବ୍ୟାଙ୍କରୁ ୧୨ ଲକ୍ଷରୁ ଅଧିକ ଟଙ୍କା ଋଣ ଆଣିଛି। ଏହା ସହିତ ବର୍ଷକୁ ଦରମା ବାବଦକୁ ୩ ଲକ୍ଷ ୫୦ ହଜାର ଟଙ୍କା ପାଉଛି। ଚାଷ ଜମି ଓ ଦୋକାନ ଘର ଭଡ଼ାରୁ ବର୍ଷକୁ ପ୍ରାୟ ୫ ଲକ୍ଷ ୫୦ ହଜାର ଟଙ୍କା ବର୍ଷକୁ ପାଉଛି।