ବାଲେଶ୍ୱର: କ୍ୟାମିକାଲ ପାଣିରେ ସାଧାକାଗଜ ବୁଡ଼ାଇଲେ ଟଙ୍କା ବାହାରିବ। ଲୁଟେରାଙ୍କର ଏଭଳି କଥାରେ ପଡ଼ି ତଥା କମ ପରିଶ୍ରମରେ କୋଟିପତି ହେବାର ଆଶା କରି ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଏକ ଘରୋଇ ସ୍କୁଲର ଶିକ୍ଷକ ଠକେଇର ଶିକାର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଖନ୍ତାପଡ଼ା ସଦର ଏସ୍‌ଡିପିଏ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ, ଗତ ମଙ୍ଗଳବାର ଦିନ ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ଯୁବ ଶିକ୍ଷକ ସନ୍ତୋଷ କୁମାର ମହାକୁଡ଼ଙ୍କ ପାଖରୁ ଠକେଇ ହୋଇଥିବା ନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଥିଲା। ଖନ୍ତାପଡ଼ା ଅଞ୍ଚଳର କିଛି ଯୁବକ ସନ୍ତୋଷଙ୍କୁ କ୍ୟାମିକାଲରେ ସାଧାକାଗଜ ବୁଡ଼ାଇଲେ ଟଙ୍କା ହେଇଯାଉଥିବା ନେଇ କହିଥିଲେ। ତେଣୁ ସନ୍ତୋଷ ଲୋଭରେ ସେହି କ୍ୟାମିକାଲ ନେବାକୁ ରାଜି ହୋଇଥିଲେ। ସେହି କ୍ୟାମିକାଲ ସାଧାକାଗଜରେ ବୁଡ଼ାଇଲେ ୫୦୦ ଟଙ୍କିଆ ନୋଟ ହୋଇଯାଉଛି ବୋଲି କହିବା ପରେ ତାଙ୍କ ନିକଟରୁ ଟଙ୍କା ଠକେଇ କରି ନେଇଯାଇଥିଲେ। ଏହି ଟଙ୍କା ନେବାକୁ ତାଙ୍କୁ ପାଖାପାଖି ଗୋଟିଏ ମାସ ସମୟ ଲାଗିଥିଲା ଓ ଧୀରେ ଧୀରେ ଏମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢିଉଠିଥିଲା।

ପରେ ସନ୍ତୋଷ ବୀରମହାରାଜପୁରରୁ ଆସି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଦଣ୍ଡକାଳୀ ମନ୍ଦିର ପାଖକୁ ଡାକିଥିଲେ। କିନ୍ତୁ ଠକମାନେ ନିର୍ଦ୍ଧାରିତ ସ୍ଥାନକୁ ନଆସିବାରୁ ସନ୍ତୋଷ କିଛି ଲୋକଙ୍କ ସାହାଯ୍ୟ ନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଖନ୍ତାପଡ଼ା ପୁଲିସ ତଦନ୍ତ କରି ଏହି ଘଟଣାର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୪ ଜଣ ସମ୍ପୃକ୍ତ ଥିବା ବେଳେ ଜଣେ ଗିରଫ ହୋଇଛନ୍ତି। ସନ୍ତୋଷଙ୍କ ପାଖରୁ ଠକମାନେ ୧ ଲକ୍ଷ ୧୦ହଜାର ଟଙ୍କା ଠକେଇ କରିଥିବା ପୁଲିସ କହିଛି।