ମିଳିତ ବିଏଡ୍‌ ଶିକ୍ଷକ ମହାସଂଘର ମହାସମାବେଶ

ଭୁବନେଶ୍ୱର: ୩ ଦଫା ଦାବି ନେଇ ଆଜି ମିଳିତ ବିଏଡ୍‌ ଶିକ୍ଷକ ମହାସଂଘ ପକ୍ଷରୁ ତୃତୀୟ ମହାସମାବେଶ ଅନୁଷ୍ଠିତ ହୋଇଥିଲା। ବିଏଡ୍‌ ଶିକ୍ଷକଙ୍କ ଚାଲିଥିବା ପ୍ରତୀକ ସମାବେଶ ୪୦ଦିନ ଅତିକ୍ରମ କରିଛି। ମାତ୍ର ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଶିକ୍ଷକମାନେ ପୁଣିଥରେ ସମାବେଶ କରିଛନ୍ତି।

ମହାସଂଘର ଦାବି ମଧ୍ୟରେ ରହିଛି ଟିଜିଟି ମାନ୍ୟତା ଓ ବେତନ ପ୍ରଦାନ, ୨୦୧୪ ମସିହା ଜୁଲାଇ ୧ତାରିଖ କ୍ୟାଡର ନୀତି ତୁରନ୍ତ ପ୍ରଚଳନ ଓ ଶିକ୍ଷା ସହାୟକ ପଦର ଉଚ୍ଛେଦ ସହିତ ବିଏଡ୍‌ ଶିକ୍ଷା ସହାୟକ ନିଯୁକ୍ତି ଦିଆଯାଉ। ନିଯୁକ୍ତ ଦିନଠାରୁ ଲେବୁର-୩ ଟିଜିଟି ଶିକ୍ଷକର ମାନତ୍ୟା ସହିତ ୬ବର୍ଷର ସମୟ ଅବଧିକୁ ଚାକିରି କାଳରେ ସାମିଲ କରିବା ପାଇଁ ବିଏଡ୍‌ ଶିକ୍ଷକମାନେ ଦାବି କରିଛନ୍ତି। ରାଜ୍ୟରେ ଟିଜିଟି ପଦବିରେ ଥିବା ଉଚ୍ଚ ପ୍ରାଥମିକ ସ୍ତରରେ କାର୍ଯ୍ୟରତ ଟିଜି ଶିକ୍ଷକମାନଙ୍କୁ ସେମାନଙ୍କ ଉଚିତ ପ୍ରାପ୍ୟ ପ୍ରଦାନ କରାଯାଉ। ଯାହାଫଳରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ମଧ୍ୟବର୍ତୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷାଦାନ ହୋଇପାରିବ ବୋଲି ଶିକ୍ଷକମାନେ କହିଛନ୍ତି। ଗତ ଅଗଷ୍ଟ ମାସରେ ଶିକ୍ଷକମାନେ ଦାବି ପୂରଣ ପାଇଁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାତ୍ର ବିଭାଗୀୟ ମନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀ ଶିକ୍ଷକ ସଂଘ ସହିତ ଆଲୋଚନା କରି ନାହାନ୍ତି। ତେଣୁ ରାଜ୍ୟ ସରକାର ଯଦି ମହାସଂଘର ୩ଦଫା ଦାବିକୁ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଶ୍ରେଣୀ ବର୍ଜନ କରାଯିବ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି।

ବିକ୍ଷୋଭରେ ଲକ୍ଷ୍ମଣ ମହାନ୍ତି, ସନ୍ତୋଷ ପ୍ରଧାନ, ମୁରଲୀଧର ନାୟକ, ରଂଜନ ମହାନ୍ତି, ଅଜୟ କୁମାର ଧଳ, ଦେବେନ୍ଦ୍ର ନାୟକ, ସଚ୍ଚିକାନ୍ତ ମିଶ୍ର, ସୁଧୀର କୁମାର ପ୍ରଧାନ, ଉମେଶ ଚନ୍ଦ୍ର ନାୟକ ଓ ଅନ୍ୟମାନେ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର