ଶିକ୍ଷକ ହତ୍ୟା ଘଟଣା: ସ୍କୁଟି ଖୋଜିଖୋଜି ଅଗ୍ନିଶମ ବାହିନୀ ନୟାନ୍ତ

ହାଟଡ଼ିହି: ହାଟଡିହି ବ୍ଲକ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ୬ ଦିନ  ବିତିଯାଇଥିଲେ ବି ପୁଲିସକୁ କୌଣସି ଠୋସ୍‌ ସୁରାକ ମିଳିପାରି ନାହିଁ । ବିଶେଷକରି ରବିବାର ରାତିରେ ଶିକ୍ଷକଙ୍କୁ  ହତ୍ୟା କରିବାପରେ ତାଙ୍କ ସ୍କୁଟି, ମୋବାଇଲକୁ ନେଇ ଫେରାର ହୋଇଥିବା ଦୁର୍ବୃତ୍ତକୁ ଠାବ କରିବାରେ ପୁଲିସ ବିଫଳ ହୋଇଛି । ହତ୍ୟାକାରୀ ଜଣକ ସ୍କୁଟିଟିକୁ ସଢ଼ା ଗାଁ ନିକଟସ୍ଥ କେନାଲରେ ପକାଇଦେଇଥିବା ନେଇ ପୁଲିସକୁ ଏକ ସୂଚନା ମିଳିବାପରେ କେନାଲରେ ପାଣି ଥିବାରୁ ତାହାକୁ ଉଦ୍ଧାର କରାଯାଇପାରୁ ନଥିଲା ।

ଆଜି ଜଳସମ୍ପଦ ବିଭାଗକୁ କହି କେନାଲରେ ପାଣି କମାଇବାପରେ  ଆନନ୍ଦପୁର ଏସଡିପିଓ, ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳଙ୍କ ଉପସ୍ଥିତିରେ ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀ  ଅକ୍ଳାନ୍ତ ପରିଶ୍ରମ କରି  ନୟାନ୍ତ ହୋଇଛନ୍ତି। କିନ୍ତୁ  ସ୍କୁଟିର ସନ୍ଧାନ ମିଳିପାରି ନାହିଁ। କେବଳ ବ୍ଲୁ ରଙ୍ଗର ଏକ ହେଲମେଟ ସେଠାରେ ପଡିଥିବା ଦେଖିବାକୁ ମିଳିଛି । କେନାଲର ସାଇଫନ ନିକଟରେ ସ୍କୁଟିକୁ ପକାଯାଇଥିବା କୁହାଯାଉଥିବାବେଳେ ସାଇଫନରେ ଅକାତକାତ ପାଣି ରହିଛି। ସେପଟେ ପୁଲିସ ସନ୍ଦେହ ଘେରରେ ଥିବା କିଛି ବ୍ୟକ୍ତିଙ୍କୁ ନିୟମିତ ଥାନାକୁ ଡକାଇ ଜେରା କରୁଥିଲେ ବି ସେମାନଙ୍କ ଠାରୁ ହତ୍ୟାକାଣ୍ଡ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇପାରି ନାହିଁ ।

ସୂଚନାଯୋଗ୍ୟ ଯେ  ଇଞ୍ଚୋଳ ଗ୍ରାମର ଅନିରୁଦ୍ଧ ସ୍ୱାଇଁ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ମରୈଗାଁ ଛକରେ ଏକ ଭଡାଘରେ ରହୁଥିଲେ।  ୧୩ ତାରିଖ ରବିବାର ରାତିରେ ଭଡାଘରେ କେହି ଦୁର୍ବୃତ୍ତ ତାଙ୍କୁ ଛୁରି ଭୁସି ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର