ଅନୁଗୁଳ : ଉତ୍ତରପ୍ରଦେଶ ଝାନ୍‌ସୀ ବିଶ୍ବବିଦ୍ୟାଳୟ ନାଁରେ ନକଲି ବିଏଡ୍ ସାର୍ଟିଫିକେଟ୍ ଦେଇ ଧରାପଡ଼ିଛନ୍ତି ଜାଲ୍ ଶିକ୍ଷକ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏ ପ୍ରକାର ଜାଲିଆତିର ପ୍ରମାଣ ଦେଲା ପରେ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ଚିଠି ନମ୍ବର ୧୮୯୦, ତାରିଖ ୨୦/୭/୨୦୨୩ରେ ତାଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି। ତାଙ୍କ ନାଁ ହେଲା, କୃଷ୍ଣକାନ୍ତ ଦେହୁରୀ। ସେ ଅନୁଗୁଳ ବ୍ଲକ୍‌ ତଳଗଡ଼ ପଞ୍ଚାୟତ କଳାପାଟ ହାଇସ୍କୁଲ୍‌ରେ ଚାକିରି କରୁଥିଲେ ବୋଲି ବିଭାଗ ସ୍ପଷ୍ଟ କରିଛି। କିଛି ଦିନ ତଳେ, ଏ ପ୍ରକାର ଜାଲିଆତି ଘଟଣାରେ ମୋଟ୍ ୬ ଜଣ ଶିକ୍ଷକ ଚାକିରିରୁ ବିଦା ହୋଇଥିଲେ। ଶ୍ରୀ ଦେହୁରୀଙ୍କୁ ମିଶାଇଲେ ଚାକିରିରୁ ବିଦା ହୋଇଥିବା ଶିକ୍ଷକଙ୍କ ସଂଖ୍ୟା ୭ ହୋଇଛି।

Advertisment

ଜିଲ୍ଲା ଶିକ୍ଷା ବିଭାଗ ତଥ୍ୟ ମୁତାବକ, ଶ୍ରୀ ଦେହୁରୀ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟର ନକଲି ବିଏଡ୍ ସାର୍ଟିଫିକେଟ୍ ଦେଖାଇ ୨୦୧୮ ମସିହାରେ ଶିକ୍ଷା ସହାୟକ ଭାବେ ଚାକିରି ଆରମ୍ଭ କରିଥିଲେ। ତାଙ୍କ ନାଁରେ ଜାଲିଆତି ଅଭିଯୋଗ ଆସିଥିଲା। ତେଣୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶ୍ରୀ ଦେହୁରୀଙ୍କ ବିଏଡ୍‌ ସାର୍ଟିଫିକେଟ୍‌ର ତନାଘନା ହୋଇଥିଲା। ଏ ସାର୍ଟିଫିକେଟ୍ ଅସଲି କି ନକଲି ସେନେଇ ଶିକ୍ଷା ବିଭାଗ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ। ବିଶ୍ବବିଦ୍ୟାଳୟ ଏ ସାର୍ଟିଫିକେଟ୍‌ ନକଲି ବୋଲି ସ୍ପଷ୍ଟ କରିଥିଲା। ତେଣୁ ନିଜର ପକ୍ଷ ରଖିବାକୁ ଶ୍ରୀ ଦେହୁରୀଙ୍କୁ ଶିକ୍ଷା ବିଭାଗ ନୋଟିସ୍‌ କରିଥିଲା। ସେ ସାର୍ଟିଫିକେଟ୍ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ତାହା ଅସଲି ବୋଲି ଏକ ବିଶ୍ବବିଦ୍ୟାଳୟ ନାଁରେ ଚିଠି ଆଣି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଗରେ ଉପସ୍ଥାପନ କରିଥିଲେ। ଏହାକୁ ନେଇ ଶିକ୍ଷା ବିଭାଗର ଦ୍ବନ୍ଦ୍ବ ବଢ଼ି ଯାଇଥିଲା। ଗୋଟିଏ ପଟେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ ଜରିଆରେ ସାର୍ଟିଫିକେଟ୍‌ ନକଲି ବୋଲି ଦର୍ଶାଉଥିବା ବେଳେ ଅଫ୍‌ଲାଇନ୍‌ରେ ଚିଠି କରି କେମିତି ଅସଲି ଦର୍ଶାଉଛନ୍ତି? ବିଭାଗ ଏ ନେଇ ପୁଣି ବିଶ୍ବବିଦ୍ୟାଳୟ ସହ ଯୋଗାଯୋଗ କରିଥିଲା।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ ଉତ୍ତରକୁ ଠିକ୍‌ ବୋଲି ଦର୍ଶାଇବା ପରେ ଶିକ୍ଷା ବିଭାଗ ଶ୍ରୀ ଦେହୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚାକିରିରୁ ତାଙ୍କୁ ବହିଷ୍କାର କରାଯାଇଛି। ଜାଲିଆତି ଏକପ୍ରକାର ଠକେଇ। ଏ ଘଟଣାରେ ଶ୍ରୀ ଦେହୁରୀଙ୍କୁ ଚାକିରିରୁ ସିନା ବହିଷ୍କାର କରାଗଲା, ତାଙ୍କ ନାଁରେ ଥାନାରେ ଠକେଇ ମାମଲା କେବେ ହେବ, ତାହାକୁ ଅପେକ୍ଷା ରହିଛି।