ରାଉରକେଲା: ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବାର୍ଷିକ ଶିକ୍ଷକଶିକ୍ଷୟିତ୍ରୀ ବଦଳି ପ୍ରକ୍ରିୟା ଆରମ୍ଭ ହୋଇପାରିନି। ପୂର୍ବ ବିଜ୍ଞପ୍ତି ଅନୁସାରେ, ଗତ ୨୭ ତାରିଖରୁ ଏହି ପ୍ରକ୍ରିୟାର ଶୁଭାରମ୍ଭ ହେବ ବୋଲି ପୂର୍ବରୁ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ଚାତକପରି ଚାହିଁ ବସିଥିଲେ ହଜାର ହଜାର ଶିକ୍ଷକଶିକ୍ଷୟିତ୍ରୀ। ତେବେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏହି ଅନଲାଇନ୍ ବଦଳି ପ୍ରକ୍ରିୟା ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ବୋଲି ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରତିବର୍ଷ ଭଳି ଚଳିତ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ବରିଷ୍ଠ ପ୍ରଧାନଶିକ୍ଷକ, ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, କନିଷ୍ଠ ଶିକ୍ଷକ, ଠିକାଭିତ୍ତିକି କନିଷ୍ଠ ଶିକ୍ଷକଙ୍କ ବଦଳି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅକ୍ଟୋବର ୨୭ ତାରିଖରୁ ଶିକ୍ଷକଶିକ୍ଷୟିତ୍ରୀ ‘ଅନଲାଇନ୍ ଟିଚର ଟ୍ରାନ୍ସଫର୍ ପୋର୍ଟାଲ’ ମାଧ୍ୟମରେ ଆବେଦନ କରିବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପୋର୍ଟାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନପାରିବାରୁ ତାରିଖ ପରିବର୍ତ୍ତନ କରାଯାଇଛି। ତେବେ ପୂର୍ବ ବର୍ଷଗୁଡ଼ିକରେ ମଧ୍ୟ ଏହି ପୋର୍ଟାଲରେ ଯାବତୀୟ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବହୁ ସମୟରେ ପୋର୍ଟାଲ କାର୍ଯ୍ୟକ୍ଷମ ନ ହେବାରୁ ବହୁ ଯୋଗ୍ୟ ଶିକ୍ଷକଶିକ୍ଷୟିତ୍ରୀ ଏହି ଅନଲାଇନ୍ ପ୍ରକ୍ରିୟାରୁ ବାଦ୍ ପଡ଼ିଥିଲେ। ଏଣୁ ଚଳିତ ବର୍ଷ ଆରମ୍ଭରୁ ଏଭଳି ସମସ୍ୟା ଦେଖାଦେଇଥିବାରୁ ପୂର୍ବ ବର୍ଷ ତ୍ରୁଟିର ପୁନରାବୃତ୍ତି ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଉଲ୍ଲେଖଯୋଗ୍ୟ, ଏହି ଅନଲାଇନ ବଦଳି ପ୍ରକ୍ରିୟାରେ ସାମିଲ ହେବାକୁ ସଂପୃକ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ୬ ବର୍ଷ ପୂରଣ କରିବା ବାଧ୍ୟତାମୂଳକ। କେବଳ ୬ ବର୍ଷ ପୂରଣ କରିସାରିଥିବା ଶିକ୍ଷକ/ଶିକ୍ଷୟିତ୍ରୀ ହିଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଏତଦ୍ବ୍ୟତୀତ ଆପୋଷ ବୁଝାମଣା, ଶିକ୍ଷକତା କରୁଥିବା ସ୍ବାମୀ-ସ୍ତ୍ରୀଙ୍କ କାର୍ଯ୍ୟକ୍ଷେତ୍ର ମଧ୍ୟରେ ଅତ୍ୟଧିକ ଦୂରତା, ଦୁର୍ବଳ ସ୍ବାସ୍ଥ୍ୟାବସ୍ଥା ଆଦି ସମସ୍ୟାର ସମ୍ମୁଖୀନ ଶିକ୍ଷକଶିକ୍ଷୟିତ୍ରୀ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି।