ରାଜନଗର : ଆଜି(ରବିବାର) ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଟି(ଓଏସ୍ଏସ୍ଏସ୍ସି) ପକ୍ଷରୁ ଜୁନିଅର ଆସିଷ୍ଟାଣ୍ଟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ପରୀକ୍ଷା ପୂର୍ବରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦ ପାଇଁ ୧୪ ଲକ୍ଷ ଟଙ୍କା ଦେଲେ ଚାକିରି ମିଳିବାର ପ୍ରତିଶ୍ରୁତି ଦିଆଯାଇ ଟଙ୍କା ଆଦାୟ କରାଯାଉଥିବା ଭଳି ସଂଗିନ୍ ଘଟଣା ସାମ୍ନାକୁ ଆସିଛି। ଏପରିକି ଏହି ପରୀକ୍ଷାର ପ୍ରଶ୍ନପତ୍ର ଆସି ସାରିଛି। ପିଲାମାନେ ତାହାକୁ କପି କରିବା ଆରମ୍ଭ କଲେଣି ବୋଲି ଜଣେ ଶିକ୍ଷକ ଖୋଲାଖୋଲି କହିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏହା ପଛରେ ଏକ ବଡ଼ ରୢାକେଟ କାମ କରୁଥିବା ସନ୍ଦେହ କରାଯାଉଛି।
ଖବର ଅନୁଯାୟୀ, ଶନିବାର ସନ୍ଧ୍ୟାରେ ରାଜନଗର ବ୍ଲକ୍ ଓସ୍ତିଆ-ବନ୍ଧପାଟଣା ନୋଡାଲ୍ ହାଇସ୍କୁଲର ଖେଳ ଶିକ୍ଷକ ରାଜେଶ କୁମାର ପ୍ରଧାନ ତାଙ୍କର ହ୍ବାଟ୍ସଆପ୍ରେ ଦୁଇଟି ଷ୍ଟାଟସ୍ ଅପ୍ଲୋଡ୍ କରିଥିଲେ। ଗୋଟିଏରେ ‘ପିଇଓ ଜବ୍ ୧୪ ଲକ୍ଷ, କଣ୍ଟାକ୍ଟ୍ ମି ଓ ଅନ୍ୟ ଏକ ଷ୍ଟାଟସ୍ରେ ‘ଲିମିଟେଡ୍ ଜବ୍ ଅଫର୍ ଲେଖା ଯାଇଥିଲା। ଏହା ଜାଣିବା ପରେ ଜଣେ ପରୀକ୍ଷାର୍ଥୀ ଭାବେ ପରିଚୟ ଦେଇ ସଂପୃକ୍ତ ଶିକ୍ଷକଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ପଚାରି ଥିଲେ, ‘ମୋ ମୋବାଇଲ୍ରେ ଆପଣଙ୍କ ନମ୍ବର ସେଭ୍ ନାହିଁ, ଆପଣ ମୋର ଷ୍ଟାଟସ୍ କିପରି ଦେଖିଲେ? ଜଣେ ଗାଁ ପିଲା ଦେଖାଇଲା ବୋଲି କହି ଶିକ୍ଷକଙ୍କ ସହ ପିଇଓ ନିଯୁକ୍ତି ପାଇଁ କଥା ହେବା ପରେ ସେ ପିଇଓ ପଦବି ପାଇଁ ଆପଣ ଅବେଦନ କରିଛନ୍ତି କି ଓ କେଉଁଠି ସେଣ୍ଟର ପଡ଼ିଛି ବୋଲି ପଚାରିଥିଲେ।
କେନ୍ଦ୍ରାପଡ଼ା ସେଣ୍ଟର ବୋଲି କହିବା ପରେ ପିଲା ତ ପ୍ରଶ୍ନପତ୍ର ନେଇ ପଳାଇଲେଣି ବୋଲି ସେ କହିଥିଲେ। ତେବେ ସାହାଯ୍ୟ କରିବାକୁ ନେହୁରା ହେବାରୁ ‘ମୋତେ ସମ୍ପୂର୍ଣ୍ଣ ବିବରଣୀ ଦିଅ ବୋଲି କହିବା ସହ ଲିପୁଙ୍କୁ ଚିହ୍ନିଛ, ସିଏ ଅବୋଧ ଭାଇ ପୁତୁରା। ତା ପାଖକୁ ଯାଇ ମୋତେ ଫୋନ୍ କରି ସମସ୍ତ ତଥ୍ୟ ଦିଅ। ଯଦି ଲିପୁଙ୍କୁ ଚିହ୍ନିନ, ତାହଲେ କାଳିଆ ଭାଇ ଅଟୋ, ନ ହେଲେ କେଶବ ଭାଇ ପାଖରେ ପହଞ୍ଚି କଥା କରାଅ, ନଚେତ୍ କନ୍ଫରେନ୍ସରେ କଲ୍ କରି କଥା ହୁଅ ବୋଲି ଶିକ୍ଷକ ଜଣକ କହିଥିଲେ। ଆରମ୍ଭରୁ ଆମେ ଭୁବନେଶ୍ବରରେ ରହୁଛୁ। ଏଣୁ ଗାଁ ପିଲାଙ୍କ ସହ ସମ୍ପର୍କ ନାହିଁ ବୋଲି ଆମେ କହିବା ସହ ସହଯୋଗ କରିବାକୁ ନିବେଦନ କରିଥିଲୁ। ଏହା ପରେ ସେ କହିଥିଲେ, ପ୍ରଶ୍ନପତ୍ର ଆସିଗଲାଣି। ପିଲା ବସି କଷୁଛନ୍ତି। ତୁମେ ଆଡ୍ମିଟ କାର୍ଡ ପଠାଇଦିଅ। ପରୀକ୍ଷା ପୂର୍ବରୁ ଏହି ମୋବାଇଲ ନମ୍ବରକୁ ଫୋନ୍ ପେରେ ୧ ଲକ୍ଷ ଟଙ୍କା ପଠାଇବ।
ତେବେ ଷ୍ଟାଟସ୍ରେ ୧୪ ଲକ୍ଷ ଟଙ୍କା ଲେଖିଥିବା ବିଷୟରେ ପଚାରିବାରୁ ସେ କହିଥିଲେ ୧୨ ଲକ୍ଷ ଅନ୍ୟମାନଙ୍କ ପାଖକୁ ପଳାଉଛି, ୨ ଲକ୍ଷ ଟଙ୍କା ମୁଁ ନେଉଛି। ତୁମେ ଯେହେତୁ ମୋ ସ୍କୁଲ ପିଲା କହୁଛ, ତେଣୁ ମୋତେ ୧୨ ଲକ୍ଷ ଟଙ୍କା ଦେବ। ପରୀକ୍ଷା ଦେବାକୁ ଆସିବା ବେଳେ ‘ଏ-୪ ସାଦା କାଗଜର ଡାହାଣ ପାଖରେ ବାପାଙ୍କଠାରୁ ବୁଢା ଅଙ୍ଗୁଳି ଟିପ ଚିହ୍ନ ଓ ଦସ୍ତଖତ ଏବଂ ୩ଟି ବ୍ଲାଙ୍କ୍ ଚେକ୍ରେ ଆଗରେ ଗୋଟିଏ ଓ ପଛରେ ଦୁଇଟା ଦସ୍ତଖତ ଆଣିବ। ସୋମବାର ମୋ ସହ ଦେଖା ହେବ ବୋଲି ଶିକ୍ଷକ ଜଣକ କହିଥିଲେ। ଏଭଳି ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।